ଗପ ହେଲେ ବି ସତ

କାହାଣୀରେ କିଛି ସତ୍ୟ ଲୁଚିରହିଛି, ବୁଝିଲେ ହେଲା!!!

ସମାଜ | 10 ମିନିଟ୍‌ରେ ପଢ଼ନ୍ତୁ | 02 Aug, 2017
ସମୁଦାୟ 6260 ଜଣ ପଢ଼ିଛନ୍ତି

ପଟ୍ଟନାୟକ ବାବୁଙ୍କ ସମ୍ଭ୍ରାନ୍ତ ପରିବାର୤ ଆକାର ଓ ଆୟତନରେ ମଧ୍ୟ ଅନ୍ୟ ସମସ୍ତଙ୍କଠାରୁ ବିଶାଳ୤ ହେଲେ ସବୁବେଳେ ଘରେ ଭାଇଭାଗକୁ ନେଇ ଗଣ୍ଡଗୋଳ ହେଲା୤ ସାନମାନେ ଆଉ ବଡ଼ଙ୍କୁ ସମ୍ମାନ ଦେଲେ ନାହିଁ୤ କହିଲେ ଆମେ ଅଲଗା ଘର କରି ରହିବୁ୤ ବଡ଼ମାନେ ଯେତେ ବୁଝେଇଲେ ସେମାନେ ସେତେ ଅରାଜି ହେଲେ, ଶେଷରେ ଘରର ବୟୋଜ୍ୟୋଷ୍ଠଙ୍କ ମତକୁ ପ୍ରାଧାନ୍ୟ ଦେଇ ଘର ସମ୍ପତ୍ତିକୁ ଭାଗ କରିଦିଆଗଲା୤ ହେଲେ ସାନ ସବୁବେଳେ ମନେ କଲେ ଯେ ସେମାନଙ୍କ ପ୍ରତି ଅନ୍ୟାୟ ହୋଇଛି୤ ବଡ଼ମାନେ କୌଣସି କପଟ କରି ସେମାନଙ୍କୁ ଅଳ୍ପ ସମ୍ପତ୍ତି ଦେଇଛନ୍ତି, ତେଣୁ ସେମାନେ ସୁଯୋଗ ଉଣ୍ଡିଲେ ବଡ଼ ଘର ସମ୍ପତ୍ତିରେ ହକ୍ ଦାବୀ କରିବାପାଇଁ୤ କଥା ଦିନକୁ ଦିନ ଖରାପ ଆଡ଼କୁ ଗତି କରିବା ଦେଖି ବଡ଼ ମାନେ ନିଷ୍ପତ୍ତି ନେଲେ ଘରର ପାଚେରୀକୁ ଅଧିକ ଉଚ୍ଚ କରିବାକୁ ପଡ଼ିବ୤ ଘର ବାଡ଼ିରେ କରିଥିବା କୁକୁଡ଼ା ଭାଡ଼ିରୁ ପ୍ରାୟତଃ ସବୁବେଳେ କୁକୁଡ଼ା ଚୋରୀ ହେଲା୤ ଏହାକୁ ନେଇ ଅନେକ କଳି କଜିଆ ଚାଲିଲା୤ ସବୁବେଳେ ସାନ ଏ ସବୁ କାମ କରିଦେଇ ବଡ଼ଙ୍କୁ ଗାଁ ଦାଣ୍ଡରେ ବସେଇବାକୁ ଧମକାଇବା ପରେ ଅବସ୍ଥା ଏତେ ଖରାପ ହେବାକୁ ଲାଗିଲା ଯେ ବଡ଼ମାନେ ଘରର ଅନ୍ୟ କୌଣସି ବ୍ୟବସ୍ଥା କଥା ଭୁଲିଗଲେ୤
ଘରର ମୁଖିଆ ଘୋଷଣା କରିଦେଲେ ଯେ ଘର ଚଳିବା ପାଇଁ ଆବଶ୍ୟକ ଅର୍ଥ ସବୁ ପୁଅମାନେ ଭାଗବାଣ୍ଟି ଦେବେ୤ କିନ୍ତୁ ସବୁ ପୁଅ କଣ ସମାନ୤ ଯେଉଁମାନେ ପାରିବାର ଥିଲେ ସେମାନେ ଚାକିରୀ ବେଉସା କରିଲେ ଆଉ ଘର ଚଳିବା ପାଇଁ କିଛି କିଛି ଯୋଗଦାନ ଦେଲେ, ସେଥିରେ ସମସ୍ତଙ୍କ ଖାଇବା ପିଇବା, ଦେହ ପା ଆଉ ଅନ୍ୟାନ୍ୟ ଖର୍ଚ୍ଚ ସବୁ କରାଗଲା୤ ଧିରେ ଧିରେ କୁହାଗଲା, ଯେଉଁମାନେ ପାରିବାର ସେମାନେ ନିଜ ପରିବାରକୁ ନିଜେ ଚଳାଇବେ, ଆଉ ସେମାନେ ଦେଉଥିବା ଅର୍ଥକୁ ଅନ୍ୟମାନଙ୍କ ପାଇଁ ଖର୍ଚ୍ଚ କରାଯିବ୤ ଯେଉଁ ପୁଅମାନେ ଅକାଳକୁଷ୍ମାଣ୍ଡ ପରି ଘରେ ବସିଲେ ସେମାନଙ୍କ ପରିବାର ଚଳାଇବା ଦାୟିତ୍ବ ମଧ୍ୟ ପାରିବାର ପୁଅଙ୍କ ଉପରେ ପଡ଼ିଲା୤ ଧିରେ ଧିରେ ସେମାନେ ଏଥିରେ ବିତସ୍ପୃହ ହୋଇ ଘର ଚଳିବା ଭଳି ଅର୍ଥ ଦେବାକୁ ଅନିଚ୍ଛା ପ୍ରକାଶ କରିଲେ୤ ଯାହା ଆୟ କଲେ ସେ ସବୁକୁ କିଏ କେଉଁଠି ଲୁଚେଇ ରଖି ଘରେ କହିଲେ ଆମ ପାଖରେ କିଛି ନାହିଁ୤ ହେଲେ ଯେଉଁ ପରିବାରରେ ଅନେକ ଲୋକ ଚଳୁଛନ୍ତି ସେଠି ସେଇ ପରିମାଣର ଯୋଗଦାନ ନ ଦେଲେ ଅବସ୍ଥା କଣ ହେବ ? ଘରର ମୁଖିଆ ମଧ୍ୟ ସବୁ ଅର୍ଥ ବେକାର ପୁଅଙ୍କ ଉପରେ ଖର୍ଚ୍ଚ କରିଦେଇ ନିଜେ ଗରୀବ ହେବା ଅବସ୍ଥାକୁ ଆସିଗଲେ୤ ଦିନେ ସବୁଠାରୁ ସମ୍ଭ୍ରାନ୍ତ ବୋଲି ବୋଲାଉଥିବା ପଟ୍ଟନାୟକଙ୍କ ପରିବାର ଏବେ ସବୁଠାରୁ ଗରୀବ ହୋଇଗଲା୤
ଘରର ଏ ଅବସ୍ଥା ଦେଖି ପୁଅମାନେ ନିଷ୍ପତ୍ତି ନେଲେ ଯେ ବାପା ଆଉ ଘର ଚଳାଇବାକୁ ସମର୍ଥ ନାହାନ୍ତି, ତେଣୁ ସବୁଠାରୁ ଯୋଗ୍ୟ ପୁଅକୁ ଏହି ସ୍ଥାନ ଦିଆଯାଉ୤ ଯୋଗ୍ୟ ପୁଅ କହିଲା, ଘର ଚଳାଇବି ସତ କିନ୍ତୁ ମୋ ମତ ମାନିଲେ ହିଁ ଚଳାଇବି, ନହେଲେ ଯେମିତି ଚାଲୁଛି ଚାଲୁଥାଉ୤ ସମସ୍ତେ ଏଥିରେ ସହମତ ହେଲେ୤ ଯୋଗ୍ୟ ପୁଅ ଘରର ଦାୟିତ୍ବ ହାତେଇ ନେବାପରେ ପ୍ରଥମେ ଗାଁ ଲୋକଙ୍କୁ ଆପଣାର କରିବାରେ ଲାଗିଗଲା ଆଉ ପଡ଼ିଶା ଘରେ ଥିବା ସାନ ଭାଇ ମାନଙ୍କ ଅତ୍ୟାଚାର ବିଷୟରେ ସମସ୍ତଙ୍କୁ ବୁଝେଇବାକୁ ଲାଗିଲା୤ ସମସ୍ତେ ଏବେ ବଡ଼ଘର କଥା ବୁଝୁଥିଲେ୤ ଗାଁର କାର୍ଜି ଗୋସେଇଁ ମଧ୍ୟ ବଡ଼ଘର ସମର୍ଥନରେ ବାହାରି ଆସିଲେ୤ ଏହାପରେ ପଡ଼ିଶାଘରେ ରହୁଥିବା ସାନପୁଅ ମୁହଁରେ ପାଳଚୁଣ୍ଟା ଦେଇ ବସିଗଲା୤
ଏଣେ ପଡ଼ିଶାଘର କଥାରେ ନିଜ ଘର କଥା ଭୁଲିଯାଇଥିଲେ ସମସ୍ତେ, ଯୋଗ୍ୟ ପୁଅ କହିଲା ଏବେ ଘର ସୁଧାରିବାକୁ ପଡ଼ିବ୤ ସମସ୍ତେ ଯଦି ସହଯୋଗ କରିବେ ନାହିଁ, ତ ଘର କେମିତି ଚଳିବ୤ ସମସ୍ତଙ୍କ ସହଯୋଗ ରହିଲେ ହିଁ ସବୁ ସମ୍ଭବ ହେବ୤ ତେଣୁ ସେ କହିଲା, ଯେଉଁ ପୁଅମାନେ କିଛି ବି ଦେଉନାହାନ୍ତି, ଆଉ ଯେଉଁମାନେ ବେକାର ବୋଲି କହୁଛନ୍ତି ସେମାନେ ଆଗ ନିଜର ଅର୍ଜିତ ଧନ ବିଷୟରେ କୁହନ୍ତୁ୤ ଆଉ ଯେଉଁମାନେ ଧନ ଲୁଚେଇ ରଖିଛନ୍ତି ସେତକ କୁହନ୍ତୁ୤ ତୁମ ଧନ ତୁମର ହିଁ ହେଉ କିନ୍ତୁ ସେ ସବୁକୁ ଯଦି ଆମେ ବ୍ୟାଙ୍କରେ ରଖିବା ତା ହେଲେ ସେଥିରୁ ଯେଉଁ ସୁଧ ମିଳିବ, ସେଥିରେ ହୁଏତ ଆମ ଘର ଚଳିଯିବ ଆଉ କାହାକୁ କିଛି ଅଧିକ ଦେବାକୁ ପଡ଼ିବ ନାହିଁ୤ ଯେଉଁ ପୁଅମାନେ ସମ୍ପତ୍ତି ଲୁଚେଇଥିଲେ ସେମାନେ ସବୁ କାନମୁଣ୍ଡ ଆଉଁସି ସବୁକିଛି ଖୋଲା ଖୋଲି ଦେଖାଇବାକୁ ବାଧ୍ୟ ହେଲେ୤ ଆଉ କିଛି ପୁଅ ଯେଉଁମାନେ ଘର ଚଳିବା ପାଇଁ ପଇସାଟିଏ ବି ଦେଉନଥିଲେ ସେମାନେ ମଧ୍ୟ ଯୋଗ୍ୟ ହୋଇ ସୁଦ୍ଧା ଠକୁଥିବା କଥା ଧରାପଡ଼ିଲା୤ ଆଗରୁ ମାତ୍ର କେଇଜଣ ଘରଖର୍ଚ୍ଚ ବାବଦକୁ ଟଙ୍କା ଦେଉଥିବା ବେଳେ ବର୍ତ୍ତମାନ ସମସ୍ତେ ଉଣାଅଧିକେ ଦେବାକୁ ରାଜି ହେଲେ୤
ଧିରେ ଧିରେ ଘରର ଅବସ୍ଥା ସୁଧୁରିବାକୁ ଲାଗିଲା୤ ଅଧିକ ଟଙ୍କା ବ୍ୟାଙ୍କରେ ରଖି ସୁଧ ପାଇବାପରେ ସେଥିରେ ସମସ୍ତଙ୍କ ସ୍ବାସ୍ଥ୍ୟପାଇଁ ସମୁଚିତ ବ୍ୟବସ୍ଥା, ଭଲ ସ୍କୁଲରେ ପାଠପଢ଼ା, ଆଦି ହୋଇପାରିଲା୤ ଯେଉଁ ପୁଅମାନେ ତଥାପି ବେକାର ଥିଲେ ସେମାନଙ୍କୁ ଋଣ ଦେଇ ସେମାନଙ୍କ ଅବସ୍ଥା ସୁଧୁରିବା ବ୍ୟବସ୍ଥା କରାଗଲା୤ ଘରର ପାଚେରୀ ଡେଇଁ ଘର ଭିତରେ ପଶି ଉତ୍ପାତ କରୁଥିବା ସାନପୁଅ ପାଇଁ ପାଚେରୀକୁ ସୁଦୃଢ଼ କରିବା ବ୍ୟବସ୍ଥା କରାଗଲା୤ ବର୍ତ୍ତମାନ ପଟ୍ଟନାୟକବାବୁଙ୍କ ପରିବାର ପୁଣିଥରେ ସମ୍ଭ୍ରାନ୍ତ ପରିବାର ବୋଲି ଜଣାଗଲା୤ ଗାଁରେ ସମସ୍ତେ ପୁଣିଥରେ ପଟ୍ଟନାୟକ ବାବୁଙ୍କ ପରିବାରକୁ ସମ୍ମାନ ଦେବାକୁ ଲାଗିଲେ୤
ଉପରେ ଲେଖାଯାଇ ଥିବା ଗଳ୍ପର ଆମ ଦେଶର ବର୍ତ୍ତମାନର ଅବସ୍ଥା ସହ ଯଦି କିଛି ସାମଞ୍ଜସ୍ୟ ଥାଏ, ତେବେ ତାହା ସମ୍ପୂର୍ଣ୍ଣତଃ କାଳ୍ପନିକ ବୋଲି ଧରିବେ ନାହିଁ୤ ଆସନ୍ତୁ ଏହି କାହାଣୀକୁ ସମସ୍ତଙ୍କୁ ଶୁଣାଇବା ଆଉ ବୁଝେଇବା ଆମ ପରିବାର ଏତେ ଦୁର୍ବଳ କାହିଁକି ହେଲା୤ ଏହା ଏକ ସ୍ଥୁଳ ଅନୁଶୀଳନମାତ୍ର୤ ସୂକ୍ଷ୍ମତାର ସହ ଚିନ୍ତା କରିବାପାଇଁ ଏବଂ ବୁଝେଇବା ପାଇଁ ପରିବାରର ଯୋଗ୍ୟ ପୁଅ ବର୍ତ୍ତମାନ ବାହାରିଲେଣି, ସେ ସବୁକିଛି ଠିକ୍ କରିଦେବେ୤ ବିଶ୍ବାସ ରଖନ୍ତୁ୤

Picture Courtesy : http://tamilculture.com/13-struggles-face-big-family/


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤