ଓଡ଼ିଶା ହେଉଛି ନିର୍ବୁଦ୍ଧିଆଙ୍କ ରାଜ୍ୟ

ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟ୍‌ଜୁ ମହାଶୟଙ୍କ ଉଦ୍ଦେଶ୍ୟରେ

ସୋସିଆଲ୍ ମିଡ଼ିଆ | 10 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 4907 ଜଣ ପଢ଼ିଛନ୍ତି

Justice Markandey Katju on Odisha


ପୂର୍ବତନ ବିଚାରପତି ମାର୍କଣ୍ଡେୟ କାଟ୍‌ଜୁ ମହାଶୟ



ମୁଁ ଚାହିଁଥିଲେ ଏହି ଉତ୍ତର ଇଂରେଜୀ ଭାଷାରେ ବି ଦେଇ ପାରିଥାନ୍ତି, କିନ୍ତୁ ଆପଣଙ୍କ ପରି ମହାନୁଭବ ମୋ ପରି ଜଣ ଅପାଂକ୍ତେୟ ଗରୀବ ଓଡ଼ିଆ (ଆପଣଙ୍କ ଭାଷାରେ)ଙ୍କ ଲେଖାକୁ ପଢ଼ିବେ ଆଉ ଉତ୍ତର ଦେବେ ବୋଲି ମୋର ମନେ ହୁଏନି୤ ସେ ଯା ହେଉ, ଆପଣଙ୍କ ଦ୍ବାରା ଫେସବୁକ୍ ପୃଷ୍ଠାରେ ପ୍ରକାଶିତ ଓଡ଼ିଆ ଏବଂ ଓଡ଼ିଶା ବିଷୟ ସମ୍ବଳିତ ଲେଖାକୁ ଧ୍ୟାନ ପୂର୍ବକ ପଢ଼ିବାପରେ ମୋର ମନେ ହେଲା ଆପଣ ଓଡ଼ିଆ ଜାତି ବିଷୟରେ ଅନେକ କିଛି ଜାଣିଥିବା ଜଣେ ବ୍ୟକ୍ତି୤ ହୁଏତ ରାଷ୍ଟ୍ରୀୟ ସ୍ତରରେ ଅନ୍ୟ କୌଣସି ରାଜନେତା ବା ବ୍ୟକ୍ତି ଓଡ଼ିଶାରେ ପାତ୍ର, ମହାପାତ୍ର ଓ ପଟ୍ଟନାୟକ ଥିବା କଥା ଜାଣିଥିବେ କି ନା ସନ୍ଦେହ, କିନ୍ତୁ ଯେ ହେତୁ ଆପଣ ଏତେ ସବୁ ବିଷୟ ଜାଣିଛନ୍ତି, ତେଣୁ ଆପଣ ବାସ୍ତବିକ ଧନ୍ୟବାଦର ପାତ୍ର୤


ଆଉ ବାକି ଯାହା ବି ଆପଣ ଲେଖିଛନ୍ତି ସେତେ ଜ୍ଞାନ ହୁଏତ ଆମ ପରି ଅଣଶିକ୍ଷିତ ଓଡ଼ିଆଙ୍କର ନ ଥାଇ ପାରେ, ତେଣୁ ଯେଉଁମାନେ ଆପଣଙ୍କ ବିରୋଧ କରୁଛନ୍ତି ସେମାନେ ସବୁ ନିଜର ନିର୍ବୋଧତାର ପରିଚୟ ଦେଉଛନ୍ତି ବୋଲି ଧରିନେବେ, ଆମେ ବି ଏକ ସ୍ବରରେ କହିବାକୁ ଚାହୁଁ, “ଆପଣ ଜଣେ ହିଁ ବୁଦ୍ଧିମାନ ଆଉ ଓଡ଼ିଶା ହେଉଛି ନିର୍ବୁଦ୍ଧିଆଙ୍କ ରାଜ୍ୟ”୤ ଆପଣଙ୍କୁ ଆମ ରାଜ୍ୟ ବିଷୟରେ ଅଧିକ କିଛି କହିବାକୁ ସାହାସ କରିବା ଆମର ଧୃଷ୍ଟତା ହେବ, ତେଣୁ ଆପଣ ପରବର୍ତ୍ତି ମନ୍ତବ୍ୟରେ ଯାହା ଲେଖିଛନ୍ତି, “ମୁଁ କେବେ ବି ଓଡ଼ିଶା ଯିବି ନାହିଁ...” ସେହି କଥାକୁ ଧ୍ୟାନରେ ରଖିବେ୤ କାରଣ ହୁଏତ ଆପଣଙ୍କ ପରି ଜଣେ ମହାନୁଭବଙ୍କୁ ଆମେ କେବେ ଉଚିତ ସମ୍ମାନ ନ ଦେଇପାରୁ୤ ଆମେ ଆପଣଙ୍କ ପରି ବିଚକ୍ଷଣ ପ୍ରତିଭାର ଅଧିକାରୀ ତ ନୋହୁଁ, ଯେହେତୁ ଆମେ ଓଡ଼ିଆ୤ ଆପଣଙ୍କ ଲେଖାରେ ଆପଣ ବି ତ ସେଇୟା ହିଁ ପ୍ରମାଣ କରିବାକୁ ଚାହିଁଥିଲେ ନା୤


ଆପଣଙ୍କୁ ଅପମାନିତ କରିବା ଆମ ଉଦ୍ଦେଶ୍ୟ କଦାପି ନାହିଁ, କାରଣ ଆମେ ସରଳ ବିଶ୍ବାସୀ ମନୁଷ୍ୟମାନେ ମାତ୍ର, ପରକୁ ଆପଣାର କେମିତି କରିହୁଏ ତାହା ଆମର ପୂର୍ବପୁରୁଷମାନେ ଆମ ରକ୍ତରେ ଛାଡ଼ି ଦେଇଛନ୍ତି୤ ବିଶ୍ବକୁ ଏକ ସୂତ୍ରରେ ବାନ୍ଧିବାର କଳା ଆମ ସାଧବପୁଅ ମାନେ ଆମକୁ ଶିଖାଇଛନ୍ତି୤ ଆମ ଏହି ଭୂମିରୁ ଗୌତମବୁଦ୍ଧଙ୍କ ବାଣୀ ସମଗ୍ର ବିଶ୍ବରେ ପ୍ରଚାର ଏବଂ ପ୍ରସାର ହୋଇଛି, ଆମେ ମଧ୍ୟ ଶାନ୍ତିରେ ହିଁ ବିଶ୍ବାସ କରୁ୤ ଏକା ଅଶୋକ ନୁହେଁ, ଅନେକ ଚଣ୍ଡାଶୋକ ଆମ ଜାତିକୁ ତଳିତିଳାନ୍ତ କରିବାକୁ ତତ୍ପର ହୋଇଛନ୍ତି ଏବଂ ଆମେ କେବେ ବି କାହା ବିରୋଧରେ ମହାପ୍ରଭୂ ଜଗନ୍ନାଥଙ୍କୁ ପ୍ରାର୍ଥନା କରିନାହୁଁ, କାରଣ ଆମ ଜାତିର ଦେବତା ଆମକୁ ଘୃଣା କରିବା କେବେ ଶିଖାଇନାହାନ୍ତି୤ ଗୋଟିଏ ପତ୍ରରେ ଆଚାଣ୍ଡାଳବିପ୍ର ମହାପ୍ରସାଦ ଭୁଞ୍ଜିବା ପରମ୍ପରା ଆମକୁ ଅନ୍ୟ ସମସ୍ତଙ୍କ ଠାରୁ ଅନନ୍ୟ କରିରଖିଛି୤ ଛାଡ଼ନ୍ତୁ ସେ ସବୁ କଥା ଆପଣ କେବେ ବୁଝିପାରିବେ ନାହିଁ, କାରଣ ଆପଣ ଆମ ସମସ୍ତଙ୍କ ଠାରୁ ଅଧିକ ବୁଦ୍ଧିମାନ୤ ଆମେ ଆପଣଙ୍କ ପରି ହୋଇ ପାରିନୁ କି କେବେ ହେବାପାଇଁ ଚେଷ୍ଟା କରିନୁ୤ ଆମେ ଥିଲୁ, ଅଛୁ ଆଉ ସବୁବେଳେ ହିଁ ଥିବୁ କେବଳ ଓଡ଼ିଆ ହୋଇ୤


ଧନ୍ୟବାଦ୤


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤