୫୮ କୋଟିର ସଡ଼କ ମାତ୍ର ୫୦ ଲକ୍ଷରେ ହୋଇଗଲା !

ଜନସାଧାରଣଙ୍କ ସମର୍ଥନରେ ଝାଡ଼ଖଣ୍ଡ ପରି ରାଜ୍ୟରେ ଏ ଅସମ୍ଭବ ସମ୍ଭବ ହୋଇପାରିଲା୤

ରାଜନୀତି | 10 ମିନିଟ୍‌ରେ ପଢ଼ନ୍ତୁ | 02 Aug, 2017
ସମୁଦାୟ 2753 ଜଣ ପଢ଼ିଛନ୍ତି

ସ୍ବାଧିନତାପ୍ରାପ୍ତିର ଅନେକ ଦଶନ୍ଧି ବିତିଗଲାଣି, ତଥାପି ଆମ ଦେଶର ଅନେକ ସ୍ଥାନ ଏମିତି ଅବସ୍ଥାରେ ରହିଛି ଯେ ସେଠାକୁ ଗମନାଗମନର କୌଣସି ସୁବିଧା ନାହିଁ୤ ଏହିପରି ଏକ ସ୍ଥାନ ହେଉଛି ଝଡ଼ଖଣ୍ଡ ରାଜ୍ୟର ହଜାରିବାଗ୍ ଜିଲ୍ଲାର ଲରେହି୤ ସାଧାରଣ ସଡ଼କଟିଏ ନଥିବା ହେତୁ ଏହି ଗ୍ରାମର ଲୋକମାନଙ୍କୁ ଅନେକ କଷ୍ଟ କରିବାକୁ ପଡୁଥିଲା୤ ନିର୍ବାଚନ ସମୟ ଆସିଲେ ସବୁବେଳେ ରାଜନେତାମାନେ ଗ୍ରାମକୁ ପକ୍କା ସଡ଼କ ନିର୍ମାଣ କରିଦେବାର ପ୍ରତିଶୃତି ଦେଉଥିଲେ ଅବଶ୍ୟ୤ ହେଲେ ସେ ସବୁ କେବଳ ସ୍ବପ୍ନରେ ହିଁ ରହିଗଲା୤

ବର୍ଷ ୧୯୯୬ରେ ଏହି ଅଞ୍ଚଳକୁ ରାଜ୍ୟର ଅନ୍ୟ ଅଞ୍ଚଳ ସହ ଯୋଗାଯୋଗ କରିବାପାଇଁ ଡଙ୍ଗାର ସାହାଯ୍ୟ ନେବାକୁ ପଡୁଥିଲା୤ କୋଇନା ନଦୀକୁ ପାର କଲେହିଁ ଏହି ଅଞ୍ଚଳ ଲୋକମାନେ ରାଜ୍ୟର ଅନ୍ୟ ଅଞ୍ଚଳ ସହ ସଂଯୋଗ ହୋଇପାରୁଥିଲେ୤ ନହେଲେ ଅନ୍ୟୁନ ୪୫ କିମିବାଟ ବୁଲି ବୁଲି ଯିବାକୁ ପଡ଼ୁଥିଲା୤ ୧୯୯୬ ପରଠାରୁ ଚାରି ଚାରିଥର ନିର୍ବାଚନ ହେବା ସତ୍ତ୍ବେ କୌଣସି ବି ରାଜନୈତିକ ଦଳ ଏଠାରେ ସଡ଼କ ନିର୍ମାଣ କରାଇବା ଭଳି ଦେଖାଗଲା ନାହିଁ୤ ୧୯୯୬ରେ କୋଇନା ନଦୀ ଉପରେ ଡଙ୍ଗାରେ ଯାଉଥିବା ଲୋକମାନଙ୍କ ସୁରକ୍ଷାକୁ ନେଇ ପ୍ରଶ୍ନ ଉଠିଥିଲା ଯେତେବେଳେ ନଦୀ ଉପରେ ଗୋଟିଏ ଡଙ୍ଗା ବୁଡ଼ିଯାଇ ଛଅ ଜଣ ପ୍ରାଣ ହରାଇଥିଲେ୤ ହେଲେ ଦୀର୍ଘ ଦୁଇଦଶନ୍ଧୀ ଅପେକ୍ଷା କରିବା ପରେ ମଧ୍ୟ ଅବସ୍ଥାରେ ତିଳେ ହେଲେ ପରିବର୍ତ୍ତନ ନ ହେବା ଦେଖି ଏହି ଅଞ୍ଚଳର ପଚାଶ ଜଣ ଉତ୍ସାହୀ ଯୁବକ ଏହି ରାସ୍ତା ନିର୍ମାଣ କରିବାର ଗୁରୁଦାୟିତ୍ବ ନେଇଥିଲେ୤

ସରକାରୀ ଭାବରେ ଏହି ରାସ୍ତାର ନିର୍ମାଣ ପାଇଁ ୫୮ କୋଟି ଟଙ୍କାର ବ୍ୟୟବରାଦ ହୋଇଥିବା କଥା କୁହାଯାଉଥିଲା, ଏବଂ ଖୁବ୍ ଶୀଘ୍ର ଏହି ରାସ୍ତା ନିର୍ମାଣ ହେବ ବୋଲି ମଧ୍ୟ ବାରମ୍ବାର କୁହାଯାଇଥିଲା୤ କିନ୍ତୁ ୨୦ ବର୍ଷ ଅପେକ୍ଷାପରେ ସ୍ଥାନୀୟ ଅଞ୍ଚଳର ଲୋକମାନେ ଆଉ ଅପେକ୍ଷା କରିବା ଅବସ୍ଥାରେ ନଥିଲେ୤ ତେଣୁ ୫୦ ଜଣ ସ୍ଥାନୀୟ ଅଧିବାସୀ ଏହି ରାସ୍ତା ନିର୍ମାଣରେ ଲାଗିଗଲେ୤

ଦେଢ଼ କିଲୋମିଟର ଦୀର୍ଘ ଏହି ରାସ୍ତା ନିର୍ମାଣ ପରେ ଏବେ ସ୍ଥାନୀୟ ଅଞ୍ଚଳର ବାସିନ୍ଦାମାନେ ପୂର୍ବରୁ ଯାଉଥିବା ରାସ୍ତା ଅପେକ୍ଷା ଅତି କମରେ ୧୫ କିଲୋମିଟର କମ ବାଟ ଯିବେ ବୋଲି ଜଣାପଡ଼ିଛି୤ ଏହାପରେ ଏହି ଅଞ୍ଚଳରେ ଖୁସିର ପରିବେଶ ସୃଷ୍ଟି ହୋଇଛି୤ ସବୁଠାରୁ ଆଶ୍ଚର୍ଯ୍ୟର ବିଷୟ, ଏହି ରାସ୍ତା ନିର୍ମାଣରେ ମାତ୍ର ୫୦ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଛି୤ ଏବଂ ଏହି ଖର୍ଚ୍ଚ କେବଳ ରାସ୍ତା ନୁହେଁ, ବରଂ ରାସ୍ତା ସମେତ କୋଏନା ନଦୀ ଉପରେ ଏକ ପକ୍କା ସଡ଼କ ନିର୍ମାଣ ମଧ୍ୟ ହୋଇଛି୤

ବର୍ତ୍ତମାନ ସର୍ବସମକ୍ଷରେ ଏହି ପ୍ରଶ୍ନ ଉଠୁଛି, ଯେଉଁ ରାସ୍ତା ଗ୍ରାମାଞ୍ଚଳର ମାତ୍ର ୫୦ ଜଣ ଅଧିବାସୀ ୫୦ ଲକ୍ଷଟଙ୍କାରେ କରିଦେଇ ପାରିଲେ, ସରକାରୀ ଭାବରେ ସେଥିରେ ୫୮ କୋଟି ଟଙ୍କା ଖର୍ଚ୍ଚ ହୋଇଥାନ୍ତା କିପରି? ଏହାର ଅର୍ଥ ଯଦି ମାତ୍ର ୫୦ ଲକ୍ଷ ଖର୍ଚ୍ଚ ହୋଇଥାନ୍ତା ତା ହେଲେ ବାକି ୫୭ କୋଟି ୫୦ ଲକ୍ଷ କିଏ ନେଇଥାନ୍ତା ? ଆମ ଦେଶରେ ଭ୍ରଷ୍ଟାଚାର ଉନ୍ମୁଳନ ପାଇଁ ଯେତେ କାର୍ଯ୍ୟକ୍ରମ କରିଲେ ସୁଦ୍ଧା ସେ ସବୁ ସଫଳ ହୁଏନାହିଁ, ଏବଂ ଦୋଷ କାହାକୁ ଦେବା, ଆମ ସରକାରୀକଳ ର ମୂଳରୁ କଳୁଷିତ୤

ସେ ଯା’ହେଉ ଏହି ସଡ଼କ ନିର୍ମାଣ କରିଥିବା ଲରାହୀ ଗ୍ରାମର ଉତ୍ସାହୀ ଅଧିବାସୀଙ୍କୁ ଆମେ ସମ୍ମାନ ଜଣାଉଛୁ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤