ସମାଜକୁ କଣ ଦେଖାଉଛନ୍ତି ଆପଣ ?

ଡାକ୍ତରମାନଙ୍କୁ ଅପମାନିତ କରିବା ପୂର୍ବରୁ ନିଶ୍ଚୟ ପଢ଼ିବେ

ସମାଜ | 12 ମିନିଟ୍‌ରେ ପଢ଼ନ୍ତୁ | 02 Aug, 2017
ସମୁଦାୟ 4999 ଜଣ ପଢ଼ିଛନ୍ତି

ନମସ୍କାର,
ଆଜି ପୂର୍ବାହ୍ନରେ ଓଡ଼ିଶାର ଏକ ପ୍ରମୁଖ ଓ ପ୍ରତିଷ୍ଠିତ ସମ୍ବାଦପତ୍ରର ରବିବାର ବିଶେଷାଙ୍କରେ ଏକ ଲେଖା ପଢ଼ିବାର ସୁଯୋଗ ପାଇଲି, ଶୀର୍ଷକ ଥିଲା ଡାକ୍ତରଙ୍କ ଦପ୍ତର୤ ଲେଖାଟିରେ ଲେଖକ ଡାକ୍ତରଙ୍କ ବିରୋଧରେ ଅନେକ ବିଷୋଦଗାର କରିଥିଲେ୤ ପଢ଼ିବାପରେ ମନେ ହେଲା ସତେ ଯେମିତି ସେହି ମହାଶୟଙ୍କ ପାଇଁ ଜଣେ ଡାକ୍ତର ଅନାବଶ୍ୟକ ବ୍ୟକ୍ତିତ୍ବ୤ ସେ ଯା ହେଉ, ଜଣେ ଡାକ୍ତର ହିସାବରେ ଏହା ମୋତେ ଏବଂ ବୋଧହୁଏ ମୋ ପରି ଅନେକ ବନ୍ଧୁଙ୍କୁ ଆହତ କରିଥିବ ନିଶ୍ଚୟ୤ ଲେଖକ ଜଣକ ଏହି ଲେଖାଟିକୁ ଏକ ପ୍ରମୁଖ ସମ୍ବାଦପତ୍ରରେ ଛାପିଦେଇ ଅନେକ ଲୋକଙ୍କ ବାହାବା ଲୁଟି ନେଇଥିବେ, ଏବଂ ତାଙ୍କରି ସ୍ବରରେ ଏକସ୍ବର ହେବାକୁ ଅନେକ ଲୋକ ମିଳିଥିବେ ମଧ୍ୟ୤ ଅନ୍ୟ ବିରୋଧରେ ସ୍ବରୋତ୍ତଳନ କଲେ ଆମ ସମାଜରେ ଏହାକୁ ସମର୍ଥନ କରିବାକୁ ଅନେକ ମିଳନ୍ତି୤ ସେ ଲେଖିଥିବା ଅନେକ ସତ୍ୟ ସହ ମୁଁ ମଧ୍ୟ ଏକମତ୤ କିନ୍ତୁ ମୁଷ୍ଟିମେୟ ଡାକ୍ତରଙ୍କ କଳା ବ୍ୟବସାୟ ପାଇଁ ସମୁଦାୟ ଡାକ୍ତର ସମାଜକୁ ଅପମାନିତ କରିବା ଅନୁଚିତ୤ ଏହିପରି ପ୍ରକାଶିତ ହେଉଥିବା ଆଲେଖ୍ୟ ଦ୍ବାରା ଜନ ସମାଜ ମଧ୍ୟରେ ଡାକ୍ତରମାନଙ୍କ ବିଷୟରେ ଏକ ଭୂଲ ଓ ଭ୍ରାନ୍ତ ଧାରଣା ପ୍ରସାରିତ ହେଉଛି୤ ଯେଉଁମାନେ ଡାକ୍ତରମାନଙ୍କ (ଡାକ୍ତର ନୁହନ୍ତି ବରଂ ସେମାନଙ୍କୁ ବ୍ୟବସାୟୀ ବୋଲି ଆମେ କହିବା) ଦ୍ବାରା ଅସୁବିଧାର ଶୀକାର ହୋଇଛନ୍ତି ସେମାନେ ଏହାକୁ ସହଜରେ ଗ୍ରହଣ କରିନେଇ ପାରନ୍ତି, କିନ୍ତୁ ସମାଜର ଏକ ବିଶାଳ ବର୍ଗର ଲୋକ ଏମିତି ବି ଅଛନ୍ତି, ଯେଉଁମାନେ ଆଜିମଧ୍ୟ ନିଜର ସ୍ବାସ୍ଥ୍ୟପାଇଁ ଡାକ୍ତରମାନଙ୍କ ଉପରେ ନିର୍ଭର କରୁଛନ୍ତି ଏବଂ ସେମାନେ କେବେ ବି ଅସୁବିଧାର ଶୀକାର ହୋଇନାହାନ୍ତି, ସେମାନେ ମଧ୍ୟ ଏହାକୁ ପଢ଼ିବାପରେ ମନେ ମନେ ଡାକ୍ତରଙ୍କ ଏକ ଅସୁନ୍ଦର ଛବି ନିଜ ମନରେ ଆଙ୍କିଦେଇଥିବେ୤ କିଛି ଡାକ୍ତର ଅଯଥାରେ ରୋଗୀକୁ ଖର୍ଚ୍ଚାନ୍ତ ଚିକିତ୍ସା ଓ ରୋଗନିଦାନ ପାଇଁ କହୁଛନ୍ତି ବୋଲି ଲେଖକ ଉଲ୍ଲେଖ କରିଛନ୍ତି, ଏହାକୁ ପଢ଼ିବାପରେ ଯଦି କୌଣସି ରୋଗୀ ଅତ୍ୟାବଶ୍ୟକ ନିଦାନ ବା ରୋଗନିରୁପଣକୁ ଡାକ୍ତରଙ୍କ ଅର୍ଥଲୋଭ ମନେ କରି କରେନାହିଁ, ଏବଂ ଏହାଦ୍ବାରା ସମ୍ପୃକ୍ତ ରୋଗୀର ଅଧିକ କ୍ଷତି ହୁଏ ତେବେ ସେଥିପାଇଁ ଲେଖକ ଦାୟୀ ରହିବେ ତ ? କୌଣସି ଡାକ୍ତର ବିନା ଆବଶ୍ୟକତାରେ ରୋଗୀ ପାଇଁ ଦାମୀ ରୋଗନିଦାନ ଓ ଚିକିତ୍ସା କଥା କହନ୍ତି ନାହିଁ୤ କିମ୍ବା କୌଣସି ରୋଗୀକୁ କେହି ଧମକାଇ ବା ଭୟ ଦେଖାଇ ଏହି ସବୁ ଖର୍ଚ୍ଚ କରିବାକୁ କହନ୍ତି ନାହିଁ୤ ଡାକ୍ତର ନିଜ ଦାୟିତ୍ବ ତୁଲାଇବାରେ କୌଣସି ତ୍ରୁଟି କରୁନାହାନ୍ତି କିନ୍ତୁ ଯେଉଁମାନେ ବଡ଼ ବଡ଼ ହସପିଟାଲ୍ ଖୋଲିଛନ୍ତି ସେମାନେ ଡାକ୍ତର ନୁହନ୍ତି, ସେମାନେ ବ୍ୟବସାୟୀ୤ ସେମାନେ ରୋଗୀର ନିଦାନ ଓ ଚିକିତ୍ସାରେ ଅହେତୁକ ଖର୍ଚ୍ଚ କରାଇପାରନ୍ତି, ଏଥିପାଇଁ ଡାକ୍ତରଙ୍କୁ ଦାୟୀ କରାଯିବା ଅନୁଚିତ୤ ଯେଉଁମାନେ ମନେ କରୁଛନ୍ତି ଯେ ପ୍ରାଇଭେଟ୍ ହସପିଟାଲ୍ ବା ନର୍ସିଂ ହୋମରେ ଚିକିତ୍ସା ହେଲେ ଅହେତୁକ ଖର୍ଚ୍ଚ ହେଉଛି ସେମାନେ ସରକାରୀ ଡାକ୍ତରଖାନାକୁ ବି ଯାଇପାରିବେ୤ ସେ ଯା ହେଉ ଲେଖକ ଅନେକ ଯୁକ୍ତି ଦେଇଛନ୍ତି ଏବଂ ବିଭିନ୍ନ ଦେଶସହ ତୁଳନାତ୍ମକ ଛବିଦେଇ ପ୍ରମାଣ କରିବାକୁ ଚେଷ୍ଟା କରୁଛନ୍ତି ଯେ ଆମ ଦେଶର ଡାକ୍ତରମାନେ ଭ୍ରଷ୍ଟ ଏବଂ ସେମାନେ ହିଁ ସବୁପ୍ରକାର ଭ୍ରଷ୍ଟାଚାର କରୁଛନ୍ତି୤ ଲେଖକଙ୍କ ସମସ୍ତ ଯୁକ୍ତିର ଉତ୍ତର ଦେବାକୁ ଚେଷ୍ଟା କରୁଛି, ଆଶା କରୁଛି ଲେଖକ ବନ୍ଧୁଜଣକ ଯଦି ଏହି ଲେଖା ପଢୁଥିବେ ତା ହେଲେ ଅନ୍ତତଃ ଏତିକି ତ ହୃଦୟଙ୍ଗମ କରିବେ ଯେ ଡାକ୍ତରଙ୍କୁ ଦୋଷଦେଇ ସେ ଯେଉଁ ଆତ୍ମସନ୍ତୋଷ ଲାଭ କରିଛନ୍ତି ତାହା ସେ କେତେ ନ୍ୟୁନ ମାନସିକତାରେ କରିଛନ୍ତି୤
ପ୍ରଥମେ ଲେଖକ ଯୁକ୍ତି ଦେଇଛନ୍ତି ଯେ ଦୁନିଆରେ ସବୁଠାରୁ ଅସୁନ୍ଦର ହସ୍ତଲେଖା ହେଉଛି ଡାକ୍ତରଙ୍କର୤ ଏହା ସହ ମୁଁ ଏକମତ୤ ମୋର ହସ୍ତାକ୍ଷର ବି ବହୁତ ଅସୁନ୍ଦର୤ ବୋଧହୁଏ ଡାକ୍ତର ହେବାର ଝୁଙ୍କରେ ଦୈନିକ ସତର ଅଠରଘଣ୍ଟା ପାଠପଢ଼ା ଭିତରେ ଡାକ୍ତରମାନେ ନିଜ ହସ୍ତାକ୍ଷରକୁ ସୁନ୍ଦର କରିବାପାଇଁ ସମୟ ପାଇ ନଥିବେ୤ ଅବଶ୍ୟ ସମସ୍ତ ଡାକ୍ତରଙ୍କ ହସ୍ତଲେଖା ଅସୁନ୍ଦର ନୁହେଁ୤ କିନ୍ତୁ ଅଳ୍ପ ସମୟ ଭିତରେ ଅଧିକ ରୋଗୀ ଦେଖିବାର ଗତିଶୀଳତା ହାତର ସୁନ୍ଦର ଲେଖାକୁ ବିକୃତ କରିଦେବାପାଇଁ ଯଥେଷ୍ଟ୤ ପରୀକ୍ଷାରେ ଶେଷ ଅଧଘଣ୍ଟା ସମୟରେ ଯେମିତି ତରବର ହୋଇ ସମସ୍ତେ ଲେଖନ୍ତି, ସେହିପରି ଯେତେବେଳେ ରୋଗୀମାନଙ୍କ ସଂଖ୍ୟା ଅହେତୁକ ଭାବରେ ଅଧିକ ଥାଏ, ସେତେବେଳେ ଜଣେ ଡାକ୍ତର ସୁନ୍ଦର ହସ୍ତାକ୍ଷରରେ ନିଜ ଉପଦେଶ ଚିଠା (ପ୍ରେସକ୍ରିପ୍‌ସନ) ଲେଖିପାରିବ ବୋଲି ମୁଁ ମନେ କରୁନାହିଁ୤
ଦ୍ବିତୀୟ ଯୁକ୍ତି ଦେଇଛନ୍ତି ଯେ ଜଣେ ରୋଗୀ ପାଞ୍ଚଶହ ଲେଖାଏ ଦେଇ ପାଞ୍ଚଥର ଡାକ୍ତରଙ୍କ ପରାମର୍ଶ ନେଇ ପଚିଶିଶହ ଟଙ୍କା ଖର୍ଚ୍ଚ କରିବା ସତ୍ତ୍ବେ ପ୍ରେସକ୍ରିପ୍‌ସନର ଅଧା ପୃଷ୍ଠା ବି ସରିନାହିଁ୤ ପାଞ୍ଚଶହ ଟଙ୍କା କେଉଁ ଡାକ୍ତର ନିଅନ୍ତି, ମୁଁ ଜାଣେନି୤ ଲୋକମାନେ ନିଜ ମାଲିମୋକଦ୍ଦମା ଲଢ଼ିବାପାଇଁ ଓକିଲ ମାନଙ୍କୁ ହଜାର ହଜାର ଟଙ୍କା ଦେଇ ଦିଅନ୍ତି୤ ରାମଜେଠମାଲାନୀ ନିଜ ମହକିଲଙ୍କ ଯୁକ୍ତି ବାଢ଼ିବାପାଇଁ ଥରେ କୋର୍ଟରେ ହାଜର ଦେବାକୁ ୨୨ ଲକ୍ଷ ଟଙ୍କା ନିଅନ୍ତି୤ ଗୃହନିର୍ମାଣରେ ନିଯୁକ୍ତ ଇଞ୍ଜିନିୟରମାନେ ଲକ୍ଷ ଲକ୍ଷ ଟଙ୍କା ନିଅନ୍ତି୤ କେହି କିଛି କହନ୍ତି ନାହିଁ୤ ଅଥଚ ଜଣେ ଡାକ୍ତର ଯଦି ଶହେ ଟଙ୍କା ପରାମର୍ଶ ପାଇଁ ମାଗନ୍ତି ଭାବନ୍ତି ଡାକ୍ତର ଆମକୁ ଲୁଟୁଛନ୍ତି୤ ସେ ଯା ହେଉ, ଅନ୍ତତଃ ଏତେ ଦାମ ଦେଇ ପରାମର୍ଶ କେହି ଓଡ଼ିଶାରେ କରୁଥିବେ ବୋଲି ମୋତେ ମନେ ହେଉନି୤ ଯଦି ବା ନେଉଥିବେ ସେ ନିଜର ବିଶେଷତ୍ବ ଓ ବିଷୟ ଜ୍ଞାନ ପାଇଁ ହିଁ ନେଉଥିବେ୤ ଯେମିତି ଆପଣ ଚାହିଁଲେ ରାସ୍ତକଡ଼ ହୋଟେଲରେ ୨୦ ଟଙ୍କାରେ ଜଳଖିଆ ଖାଇପାରିବେ, କିମ୍ବା ସେଇ ସମାନ ଜଳଖିଆ ୨୦୦ ଦେଇ ରେସ୍ତୋରାଂରେ ଖାଇପାରିବେ୤ ସେମିତି ଅଧିକ ସୁବିଧା ଚାହୁଁଥିବା ଲୋକ ଅଧିକ ଖର୍ଚ୍ଚ କରିବାକୁ ରାଜି ହୋଇଥିବେ ନିଶ୍ଚୟ୤ ସେ ଯାହେଉ, ଯଦି ସଂପୃକ୍ତ ବ୍ୟକ୍ତିଙ୍କ ପ୍ରେସକ୍ରିପ୍‌ସନ ଅଧା ବି ସରିନାହିଁ, ତା ହେଲେ ସେ ଡାକ୍ତରଙ୍କୁ ଧନ୍ୟବାଦ ଦେବାକଥା ଯେ ସେ ଅଧିକ ଔଷଧ ବା ରୋଗନିଦାନ ପରୀକ୍ଷା ନିରୀକ୍ଷା କରାଇନାହାନ୍ତି୤ ତଥାପି ସେ ସୁସ୍ଥ ଅଛନ୍ତି୤
ଆଉ ଗୋଟିଏ ଯୁକ୍ତି କରିଛନ୍ତି ଯେ ଡାକ୍ତରମାନେ ରୋଗୀକୁ ପର୍ଯ୍ୟାପ୍ତ ସମୟ ଦେଉନାହାନ୍ତି୤ ସେ ଏକ ତୁଳନାତ୍ମକ ଯୁକ୍ତିଦେଇଛନ୍ତି ଯେ ଆମେରିକାରେ ପ୍ରଥମଥର ପରାମର୍ଶପାଇଁ ଆସିଥିବା ରୋଗୀକୁ ଅନ୍ୟୁନ ଚାଳିଶି ମିନିଟ ଓ ପରେ ଅନ୍ତତଃ କୋଡ଼ିଏ ମିନିଟ୍ ଦିଅନ୍ତି, ସେହିପରି ଇଂଲଣ୍ଡରେ ଅନ୍ୟୁନ ପନ୍ଦର ମିନିଟ୍ ଏବଂ ଅନ୍ୟ କୌଣସି ଦେଶରେ ଅନ୍ୟୁନ ପାଞ୍ଚ ମିନିଟ୍ ଥିବା ବେଳେ ଭାରତର ଡାକ୍ତରମାନେ ଏକ ମିନିଟରୁ ବି କମ ସମୟରେ ରୋଗୀ ଚିକିତ୍ସା କରୁଛନ୍ତି୤ ଏହି ତୁଳନାରେ ଆମେ ସନ୍ତୁଷ୍ଟ ନୋହୁଁ୤ ଲେଖକ ଜଣକ ଯଦି ଏଠାରେ ଉଲ୍ଲେଖ କରିଥାନ୍ତେ ଯେ ଆମେରିକାରେ ଜଣେ ଡାକ୍ତରଙ୍କ ସହ ସାକ୍ଷାତ କରିବାପାଇଁ ଅନ୍ୟୁନ ତିନିରୁ ଚାରିଦିନ ଅପେକ୍ଷା କରିବାକୁ ପଡ଼େ ଏବଂ ପ୍ରତ୍ୟେକ ସାକ୍ଷାତରେ ରୋଗୀକୁ ସର୍ବନିମ୍ନ ତିନିଶହ ଡଲାର (କୋଡ଼ିଏ ହଜାରଟଙ୍କା) ଖର୍ଚ୍ଚ କରିବାକୁ ପଡ଼େ ତା ହେଲେ ପାଠକମାନେ ଅନୁମାନ କରିପାରିଥାନ୍ତେ ଭାରତରେ ସେମାନେ କେତେ ଦେଇ ଏଇ ସମୟ ପାଉଛନ୍ତି? ଏହା ବାଦ ଭାରତରେ ପ୍ରତି ସତର ହଜାର ଲୋକରେ ଜଣେ ଡାକ୍ତର ଅଛନ୍ତି ବୋଲି ଲେଖକ ଭଲଭାବରେ ଜାଣନ୍ତି ତା ହେଲେ ପ୍ରତିଦିନ ସେ କେତେ ସଂଖ୍ୟାରେ ରୋଗୀ ଦେଖିବେ ତାହା ବି ସହଜରେ ଅନୁମେୟ କରିପାରିବେ୤ ଏତେ ଅଧିକ ସଂଖ୍ୟକ ରୋଗୀ ଦେଖିବାପାଇଁ ସ୍ବଳ୍ପ ସମୟ ରହିବା ସ୍ବାଭାବିକ୤ ବିଦେଶରେ ରୋଗୀ ଚିକିତ୍ସା ସମୟରେ କିଛି ନୈତିକତା ଅବଲମ୍ବନ କରନ୍ତି, ଆମ ଦେଶରେ ରୋଗୀ ଚିକିତ୍ସାରେ ମିନଟ୍ ଟିଏ ବିଳମ୍ବ ହେଲେ ଡାକ୍ତରଙ୍କ ଉପରେ ଆକ୍ରମଣ କରିବା ଘଟଣା ବିରଳ ନୁହେଁ୤ ଯେତେବେଳେ ରୋଗୀଙ୍କ ସଂଖ୍ୟା ଅଧିକ ହେବ ଏବଂ ସମୟର ଅଭାବ ରହିବ ସେତେବେଳେ ଡାକ୍ତରମାନେ ତ୍ବରାନ୍ବିତ ଗତିରେ ରୋଗୀ ଚିକିତ୍ସା କରିବାକୁ ବାଧ୍ୟ ହେବେ୤ ଏହାପରେ ମଧ୍ୟ ଆମ ଦେଶରେ ଡାକ୍ତରମାନେ ହସପିଟାଲରେ ମ୍ୟାନେଜର ଭଳି କାମ କରନ୍ତି୤ ଅସଂଖ୍ୟ ସ୍ବାସ୍ଥ୍ୟ ଯୋଜନାର ରିପୋର୍ଟ୍ ଦୈନିକ ଭିତ୍ତିରେ ପଠାଇବା, ସହିତ ନିଜ କର୍ମକ୍ଷେତ୍ର ଅଞ୍ଚଳରେ ସ୍ବାସ୍ଥ୍ୟ ଯୋଗାଇବା ପାଇଁ ଡାକ୍ତରମାନେ କେଉଁ ଧରଣର ଅସୁବିଧା ଭୋଗ କରନ୍ତି ତାହା ଉଲ୍ଲେଖ କରିବାକୁ କେହି ଉଚିତ ମନେ କରନ୍ତି ନାହିଁ୤
ଲେଖକ ଆହୁରିମଧ୍ୟ ଯୁକ୍ତି ଦେଇଛନ୍ତି ଯେ ଡାକ୍ତରମାନେ ଔଷଧ କମ୍ପାନୀ ସହିତ ମିଶି ଦାମୀ ଔଷଧ ହିଁ ବ୍ୟବହାର କରିବାପାଇଁ ରୋଗୀକୁ ବାଧ୍ୟ କରିଛନ୍ତି୤ ଆରେ ଭାଇ, ଯେଉଁ ଦେଶରେ କବିତା ଲେଖୁଥିବା ଜଣେ ବ୍ୟକ୍ତି (ଜାଭେଦ୍ ଅଖତର୍) ଟିଭି ଓ ସିନେମା ମଝିରେ ଆସି ବିଜ୍ଞାପନ ଆଳରେ ନିଜ ଆଣ୍ଠୁର ଯନ୍ତ୍ରଣା ପାଇଁ ସେ ବ୍ୟବହାର କରିଥିବା ଆୟୁର୍ବେଦିକ ଔଷଧ ଭଲ କହି କୋଟି କୋଟି ଲୋକଙ୍କୁ ବୁଝେଇଥାଏ୤ ସେହି ଦେଶରେ ଜଣେ ଏକ ଦଶନ୍ଧିରୁ ଅଧିକ ଡାକ୍ତରୀ ପାଠ ପଢ଼ି ମଧ୍ୟ ଭଲ ଔଷଧଟିଏ ରୋଗୀକୁ କହିପାରିବ ନାହିଁ ? ଯଦି ଡାକ୍ତରମାନେ ଅର୍ଥଲୋଭୀ ତା ହେଲେ ସରକାରଙ୍କୁ ସଚେତନ କରାଅ୤ ଭାରତରେ ମାତ୍ର ଦଶହଜାର କମ୍ପାନୀ ଔଷଧ ନିର୍ମାଣ କରୁଛନ୍ତି, ସେ ସବୁ ବନ୍ଦ କରାଇଦିଅ୤ ଦେଖିବ ସବୁ ଡାକ୍ତର ଆପେ ଆପେ ଜେନେରିକ୍ ମେଡ଼ିସିନ୍ ଲେଖିବେ୤ ଯେମିତି ତୁମେ ମୋବାଇଲ୍ ଟିଏ କିଣିବାକୁ ଗଲେ ବ୍ରାଣ୍ଡ୍ ଦେଖୁଛ, ଟିଭି ହେଉ ଅବା ରେଡ଼ିଓ, ପୋଷାକ ହେଉ ବା ଖାଦ୍ୟ ସବୁଠି ତ ବ୍ରାଣ୍ଡ ଦେଖୁଛ, କିନ୍ତୁ ଔଷଧ କିଣିବା ବେଳକୁ ଅସୁବିଧା ହେଉଛି୤ ଭଲ ବ୍ରାଣ୍ଡର ଜିନିଷ ଯେମିତି ଭଲ ରହେ ସେମିତି ଭଲ ବ୍ରାଣ୍ଡର ଔଷଧ ମଧ୍ୟ ଭଲ ହିଁ ରହିବ ଏହି ଆଶାରେ ଆମେ ଡାକ୍ତରମାନେ ସେହି ସବୁ ଔଷଧ ଲେଖୁଥାଉ୤ ଜେନେରିକ୍ ଔଷଧ ଲେଖିବାରେ ବି କୌଣସି ଆପତ୍ତିନାହିଁ, କିନ୍ତୁ ଯଦି ଏହା ଦ୍ବାରା ରୋଗୀ ଉପକୃତ ନ ହୁଏ ତେବେ ଏହାର ଦୋଷ ଡାକ୍ତରଙ୍କ ଉପରେ ଦାୟ ହେବ ନାହିଁ ତ ? ଲୋକମାନେ ସାଧାରଣତଃ ଗୋଟିଏ କଥା କହିଥାନ୍ତି, ଅମୁକ ବା ସମୁକ ଡାକ୍ତରଙ୍କ ହାତ ଭଲ୤ ତା ହେଲେ ସେହି ଡାକ୍ତର ବନ୍ଧୁ ଯେଉଁ ଭଲ କମ୍ପାନୀର ଔଷଧ ଲେଖି ଲୋକଙ୍କୁ ଭଲ କରି ଆସୁଛନ୍ତି ଯଦି ହଠାତ୍ ସେ ସବୁ ବ୍ୟବହାର କରିବାକୁ ମନା କରିଦିଆଯାଏ, ଏହାର ସୁଫଳ ବା କୁଫଳ ଭୋଗିବ କିଏ ? ଔଷଧର ଦାମ ନିର୍ଦ୍ଧାରଣ କରନ୍ତି ସରକାର୤ ଯଦି ସରକାରଙ୍କୁ ସାଧାରଣ ଜନତାଙ୍କ ଚିନ୍ତା ଅଧିକ ତା ହେଲେ ସେ ବିଭିନ୍ନ ଦାମୀ କମ୍ପାନୀମାନଙ୍କୁ ନିର୍ଦ୍ଦେଶ ଦେଇ କହିପାରିବେ ଜେନେରିକ୍ ଔଷଧ ହିଁ ପ୍ରସ୍ତୁତ କରିବାପାଇଁ୤
ଭାରତର ଧନୀକ ମାନଙ୍କ ଯଦି ଗୋଟିଏ ତାଲିକା କରାଯାଏ, ସେଥିରେ କେତେଜଣ ଡାକ୍ତର ରହିବେ ଆଉ କେତେଜଣ ଔଷଧ କମ୍ପାନୀମାଲିକ ରହିବେ ତାହା ଦେଖିପାରିବେ୤ ଦାମୀ କମ୍ପାନୀର ମାଲିକମାନେ ରାଜନୈତିକ ଦଳକୁ ମୋଟା ଅଙ୍କର ଅର୍ଥ ଦାନ ଆକାରରେ ଦେଉଛନ୍ତି ବୋଲି ସେମାନଙ୍କ ବ୍ୟବସାୟକୁ କେହି ନିନ୍ଦୁନାହାନ୍ତି, ଅଥଚ ସେହି କମ୍ପାନୀର ଔଷଧ ଲେଖିଦେଲେ ଡାକ୍ତର ହୋଇଗଲେ ଦୋଷୀ? ଏହା ତ ଅନ୍ତତଃ ଉଚିତ ନୁହେଁ୤
ସ୍ବାସ୍ଥ୍ୟ ସେବା କ୍ଷେତ୍ରକୁ ଆସିବାକୁ ହେଲେ ଜଣେ ବ୍ୟକ୍ତି ନିଜ ଜୀବନର ଅନ୍ୟୁନ ଏକ ଦଶକ କେବଳ ଶିକ୍ଷାରେ ହିଁ ବିତାଇ ଦେଇଥାଏ୤ ଅନେକ କଷ୍ଟ କରିବାପରେ ଜଣେ ଡାକ୍ତର ହୋଇଥାଏ ଏବଂ କେହି ଡାକ୍ତର ରୋଗୀକୁ ଶୋଷଣ କରନ୍ତି ନାହିଁ୤ କରନ୍ତି ନର୍ସିଂ ହୋମର ମାଲିକ ବା ପ୍ରାଇଭେଟ୍ ହସପିଟାଲର ମାଲିକମାନେ୤ ଲୋକଙ୍କ ମନରେ କିନ୍ତୁ ଧାରଣା ଥାଏ ଡାକ୍ତର ହିଁ ସବୁ କରୁଛନ୍ତି୤
ନିକଟ ଅତୀତରେ ସରକାର ନିର୍ଦ୍ଦେଶ ଦେଇଥିଲେ ଯେ ଡାକ୍ତରମାନେ ପ୍ରେସକ୍ରିପ୍‌ସନରେ ଔଷଧର ଜେନେରିକ ନାଁ ମଧ୍ୟ ଲେଖିବେ ଅର୍ଥାତ ସେ ଦେଉଥିବା ଔଷଧରେ ଥିବା ମୂଳତତ୍ତ୍ବକୁ ସୁନ୍ଦର ଭାବେ ଉଲ୍ଲେଖ କରିବେ୤ ଏବଂ ରୋଗୀମାନେ ନିଜ ମୁତାବକ ଜେନେରିକ୍ କିମ୍ବା ବ୍ରାଣ୍ଡେଡ୍ ଔଷଧ କିଣିନେବେ୤ ଏହାକୁ ନେଇ ଅନେକ ଚର୍ଚ୍ଚା ହୋଇଥିଲା୤ ବିଭିନ୍ନ ଗଣମାଧ୍ୟମରେ ଏହାକୁ ଏମିତି ପ୍ରଚାର କରାଗଲା ଯେମିତି ଏହା ଦ୍ବାରା ଡାକ୍ତରମାନଙ୍କ ମାନହାନୀ ହୋଇଗଲା୤ ବା ଡାକ୍ତରମାନଙ୍କୁ ଉଚିତ ଶିକ୍ଷା ମିଳିଲା୤ ସେହି ସବୁ ଲେଖା ଲେଖୁଥିବା ଲୋକମାନେ ଭୁଲିଗଲେ ଯେ ଆମ ଦେଶରେ ପଚାଶ ପ୍ରତିଶତ ଲୋକ ଏବେ ବି ପଢ଼ିବା ଶିଖିବା ଜାଣିନାହାନ୍ତି, ସେମାନଙ୍କୁ ଆମେ ଜେନେରିକ୍ ନାଁ ଲେଖି ଦେଇଦେଲେ, ସେମାନେ ଉପକୃତ ତ ହେବେ ନାହିଁ ବରଂ ମେଡ଼ିସିନ୍ ଷ୍ଟୋର କରିଥିବା ଲୋକମାନେ ସେମାନଙ୍କ ସହ ଚଞ୍ଚକତା କରି ସେମାନଙ୍କୁ ଅଧିକ ଠକିବେ ଏବଂ ନିଜକୁ ସୁହାଇବା ଭଳି ଅଧିକ ଦାମର ଔଷଧ ହିଁ ଦେବେ୤ ଜେନେରିକ୍ ଔଷଧ ଲେଖିବା ପାଇଁ କାହାକୁ ବାଧ୍ୟ କରିବା ବା କହିବା ପୂର୍ବରୁ ସରକାର ଲୋକଙ୍କ ମଧ୍ୟରେ ଏହାକୁ ନେଇ ସଚେତନତା ସୃଷ୍ଟି କରିବା ଉଚିତ୤
ଯେଉଁ ଲେଖକ ବା ଉପସ୍ଥାପକ ମାନେ ଡାକ୍ତରମାନଙ୍କ ବିରୋଧରେ ଗଣମାଧ୍ୟମରେ ଗଳାଫଟାଇ ଚିତ୍କାର କରି ସେମାନଙ୍କୁ ସମସ୍ତ ପ୍ରକାର ଅସୁବିଧା ପାଇଁ ଦୋଷୀ ବୋଲି ପ୍ରମାଣିତ କରିବାକୁ ଲାଗୁଛନ୍ତି ସେମାନଙ୍କ ଉପରେ ରୋକ ଲଗାଇବା ଆବଶ୍ୟକ୤ ପ୍ରକାରାନ୍ତରେ ଏହା ଦ୍ବାରା ଲୋକମାନଙ୍କ ଭିତରେ ଡାକ୍ତରମାନଙ୍କର ଛବି ଅସୁନ୍ଦର ହେବାରେ ଲାଗିଛି୤ ଡାକ୍ତର ଓ ରୋଗୀର ସମ୍ପର୍କ ଦୃଢ଼ ବିଶ୍ବାସ ଉପରେ ଥାଏ, ଯଦି ଏହି ବିଶ୍ବାସ ତୁଟିଯିବ ତା ହେଲେ ଭବିଷ୍ୟତରେ ଏହା ସମାଜ ପାଇଁ କ୍ଷତିକାରକ ହିଁ ହେବ୤
ପରିଶେଷରେ ମାତ୍ର ଏତିକି କହିବି, ଯେ ଡାକ୍ତରମାନଙ୍କୁ ଦୋଷ ଦେବାପୂର୍ବରୁ ଅନ୍ତତଃ ଥରେ ପରୀକ୍ଷାନିରୀକ୍ଷା କରିଦେଖ ପ୍ରକୃତରେ ଦୋଷୀ କିଏ ? ମାନୁଛି କିଛି ଡାକ୍ତର ଦୋଷୀ ହୋଇପାରନ୍ତି, କିନ୍ତୁ ଭାରତର ଅଗଣିତ ଡାକ୍ତରମାନଙ୍କ ଯୋଗୁଁ ହିଁ ସ୍ବାସ୍ଥ୍ୟସେବା ଚାଲୁଛି୤ ଡାକ୍ତରଙ୍କୁ ଅଭିଯୁକ୍ତ ଭାବରେ ଦେଖାନ୍ତୁ ନାହିଁ୤
ଧନ୍ୟବାଦ
ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page