ଆସ ଜୀବନଧନ ମୋ ପଖାଳ କଂସା

ବିଶ୍ବ ପଖାଳ ଦିବସର ଅନୁଚିନ୍ତା

ସମାଜ | 20 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 1064 ଜଣ ପଢ଼ିଛନ୍ତି

ଗ୍ରୀଷ୍ମଋତୁର ଆରମ୍ଭ, ଓଡ଼ିଶାପାଇଁ ଦାରୁଣ ସମାଚାର ନେଇ ଆସେ୤ ପ୍ରତିବର୍ଷ ଅନେକ ମୂଲ୍ୟବାନ ଜୀବନ ଅକାଳରେ ଅଂଶୁଘାତର ଶୀକାର ହୋଇଯାଆନ୍ତି୤ ଏହି ମୃତ୍ୟୁଦର ପ୍ରତିବର୍ଷ ବୃଦ୍ଧି ପାଉଥିବା ବେଳେ କିନ୍ତୁ ଓଡ଼ିଶାର ଏକ ପାରମ୍ପରିକ ଖାଦ୍ୟ ଯୋଗୁଁ ଅନେକାଂଶରେ ଏହାକୁ ପ୍ରତିରୋଧ କରି ହେଉଛି ଆଉ ସେଇ ଖାଦ୍ୟଟି ହେଉଛି ପଖାଳ୤ ଭାତକୁ ଓଦା କରି ପାଣି କିମ୍ବା ତୋରାଣୀରେ ଭିଜେଇ କରି ରଖିବା ଓ ଖାଇବା ଆମ ଓଡ଼ିଶାର ପ୍ରତ୍ୟେକ ପରିବାରରେ ଅନେକ ଶତାବ୍ଦୀରୁ ରହି ଆସିଛି୤ ପ୍ରତ୍ୟେକ ଓଡ଼ିଆ ଘର ପଖାଳ ବିନା ଅସମ୍ପୂର୍ଣ୍ଣ କହିଲେ ଅତ୍ୟୁକ୍ତି ହେବ ନାହିଁ୤ କେବଳ ଓଡ଼ିଶା କାହିଁକି, ଭାରତର ଅନେକ ରାଜ୍ୟ ତଥା ବିଶ୍ବର ଅନେକ ଦେଶରେ ମଧ୍ୟ ଏହି ଖାଦ୍ୟର ପ୍ରଚଳନ ରହିଛି୤ ଏହା ଏକ ସୁଷମ ଓ ପୁଷ୍ଟିକର ଖାଦ୍ୟ ବୋଲି ଡାକ୍ତରମାନେ ଜଣାନ୍ତି୤ ନିକଟ ଅତୀତରେ ଆମେରିକାରୁ ପ୍ରକାଶିତ ଏକ ସ୍ବାସ୍ଥ୍ୟ ସମ୍ବନ୍ଧୀୟ ପୁସ୍ତିକାରେ ଏହିପ୍ରକାରର ଖାଦ୍ୟକୁ ଦେହ ପାଇଁ ଅତ୍ୟନ୍ତ ପୁଷ୍ଟିକର ବୋଲି କୁହାଯାଉଛି୤ ଯୁଗଯୁଗରୁ ଏହା ଓଡ଼ିଆ ମାନଙ୍କର ଏକ ପ୍ରିୟ ଖାଦ୍ୟ ଭାବରେ ଜଣା୤ ବିଷୁବ ବୃତ୍ତର ନିକଟରେ ରହୁଥିବା ହେତୁ ଆମ ଦେଶ ଗ୍ରୀଷ୍ଣପ୍ରବଣ ଦେଶ ଏବଂ ଆମ ରାଜ୍ୟ ବା ସେଥିରୁ ନିସ୍ତାର ପାଇବ କେମିତି୤ ଏହି ପରି ପରିବେଶରେ ରହୁଥିବା ଅଧିବାସୀମାନେ ଅଧିକ ଜଳୀୟଅଂଶ ଧାରଣ କରିବାପାଇଁ ଆବିଷ୍କାର କରିଥିଲେ ଏହି ଅନନ୍ୟ ଉପାୟ, ଯାହା ଏକ ଉପାଦେୟ ଖାଦ୍ୟ ଭାବରେ କାଳାତିକ୍ରମେ ପ୍ରସିଦ୍ଧି ଲାଭ କରି ଆସିଛି୤ ପ୍ରତିଦିନର ବଳକା ଭାତକୁ ତୋରାଣିରେ କିମ୍ବା ପାଣିରେ ବତୁରାଇ ରଖି ପରଦିନ ସକାଳୁ ତାହା ଖାଇବା ଦ୍ବାରା ପେଟ ଥଣ୍ଡା ହେବା ସହ ଦେହକୁ ଆବଶ୍ୟକ ଜଳୀୟଅଂଶ ବି ମିଳିଥାଏ୤ ବିଶେଷ କରି ଚାଷବାସ କରୁଥିବା ଲୋକମାନଙ୍କ ପାଇଁ ଏହା ଅତି ଆବଶ୍ୟକ ଖାଦ୍ୟ କହିଲେ ଚଳେ୤


Pakhal Dibas
ପଖାଳର ବିଭିନ୍ନତା ପ୍ରାନ୍ତ ଓ ଲୋକଚଳଣୀ ଆଧାରରେ ବଦଳିଥାଏ୤ କେହି କେହି ସାଧା ବା ସଜ ପଖାଳ ଖାଇବାକୁ ପସନ୍ଦ କରୁଥିବା ବେଳେ ଅନେକେ ବାସି ପଖାଳ ବା ଦହି ପଖାଳ ଖାଇବାକୁ ପସନ୍ଦ କରନ୍ତି୤ ଏହାକୁ ତିଆରି କରିବା ପାଇଁ କୌଣସି ବିଶେଷ ଜ୍ଞାନ ବା କୌଶଳର ଆବଶ୍ୟକତା ନଥିବା ବେଳେ, ଏହା ଆମର ସାମାଜିକ ଚଳଣୀ ସମେତ ଅନ୍ନ ନଷ୍ଟ ନ କରିବାର ପରମ୍ପରାକୁ ବଜାୟ ରଖିବାରେ ସହାୟକ ହୋଇଥାଏ୤ ଧନୀ ଗରିବ ସମସ୍ତେ ପଖାଳ ତିଆରି କରି ଖାଇପାରିବେ୤ ପଖାଳ ସହ ଯାହା ବି ମିଳିଲେ ଚଳିଯାଏ୤ ଭଜା, ତରକାରୀ, ଶାଗ, ବଡ଼ି, ପାମ୍ପଡ଼, ଆଚାର, ଶୁଖୁଆ, ରାଇ ଇତ୍ୟାଦି ସମସ୍ତ ପ୍ରକାର ଖାଦ୍ୟ ପଖାଳ ସହ ଭଲରେ ଚଳିଯାଏ୤ କେହି କେହି କେବଳ ପଖାଳ ସହ ଲଙ୍କା, ଲୁଣ, ଲେମ୍ବୁ ଆଦି ପକାଇ ଖାଇ ଥାଆନ୍ତି୤ ଏହାର ବିଶେଷତ୍ବ ହେଉଛି ଏହା ବର୍ଷର ଯେ କୌଣସି ସମୟରେ ଖିଆଯାଇପାରେ୤ ଏହି ଖାଦ୍ୟର ପ୍ରଚଳନ ସମସ୍ତ ଓଡ଼ିଶା ସମେତ, ଦକ୍ଷିଣପୂର୍ବ ଏସିଆର ଅନେକ ଦେଶରେ ଦେଖିବାକୁ ମିଳେ୤


ବର୍ତ୍ତମାନ ଏହାର ବ୍ୟବହାର ଏତେ ମାତ୍ରାରେ ବଢ଼ିଗଲାଣି, ଯେ ଓଡ଼ିଶାର ପ୍ରାୟ ସମସ୍ତ ଛୋଟବଡ଼ ସହରମାନଙ୍କର ହୋଟେଲ୍ ମାନଙ୍କରେ ପଖାଳ ସହିତ ଭିନ୍ନ ଭିନ୍ନ ପ୍ରକାରର ଖାଦ୍ୟ ମିଳୁଥିବାର ଦେଖାଗଲାଣି୤ ଖରାଦିନ ଆରମ୍ଭ ନ ହେଉଣୁ, ହୋଟେଲ୍ ମାଲିକ ମାନେ ନିଜ ନିଜ ହୋଟେଲ୍ ସାମନାରେ ସଜ ପଖାଳ, ଦହି ପଖାଳର ବିକ୍ରୀ ହେଉଥିବା କଥା ବିଜ୍ଞାପିତ କଲେଣି୤ ବ୍ରହ୍ମପୁର ସହରରେ ମାତ୍ର ୨୦ ଟଙ୍କାରେ ପେଟପୁରା ପଖାଳ ଖାଇବାକୁ ମିଳେ୤ ଅବଶ୍ୟ ଗ୍ରାହକଙ୍କ ଚାହିଦାକୁ ଆଖିରଖି ମାଲିକମାନେ ପଖାଳକୁ ବି ବିଭିନ୍ନ ପ୍ରକାର ପରିବେଷଣ କରିଲେଣି୤ ଏବଂ ଏହାକୁ ସୁହାଇବା ଭଳି ଅନେକ ଖାଦ୍ୟ ମାଲିକମାନେ ଯୋଗାଇଲେଣି୤ ଶୁଣାଯାଉଛି ଭୁବନେଶ୍ବର, ପୁରୀ ପରି ସହରମାନଙ୍କରେ ଥିବା ତାରକା ହୋଟେଲର ରେସ୍ତୋରାଂ ମାନଙ୍କରେ ମଧ୍ୟ ପଖାଳ ପାଇଁ ବିଶେଷ ପ୍ରବନ୍ଧ ହେଇ ପାରୁଛି୤ ଯା ହେଉ ଦିନକୁ ଦିନ ପଖାଳର ଆଦର ବୃଦ୍ଧି ପାଇବାରେ ଲାଗିଛି୤


କିଛି ବର୍ଷପୂର୍ବେ ଆମେ ପଖାଳ ସହିତ ସାଧାରଣତଃ ବିଭିନ୍ନ ପ୍ରକାରର ପରିବା ଭଜା, ଯଥା ସଜନା ଛୁଇଁ, ତୋରଡ଼ା, ଜହ୍ନି, ପୋଟଳ, ବାଇଗଣ, ପଣସ, ଆଳୁ, ଶାଗ ଆଦି ଖାଉଥିଲୁ୤ ଏହା ସହିତ ଆଳୁ ଚକଟା ବା ଆଳୁ ଭର୍ତ୍ତା, ବାଇଗଣ ଭର୍ତ୍ତା, ଜହ୍ନି/ଭେଣ୍ଡି/ଦେଶୀ ପୋଟଳ ପୋଡ଼ା, ଲେମ୍ବୁଲୁଣ, ଜମ୍ବିଲ (ଟଭା / କମଳା), ତେନ୍ତୁଳି ପାଣି, ପିତା ଶୁଖୁଆ, ଚିଙ୍ଗୁଡ଼ି ଶୁଖୁଆ, ଲୁଣି ଶୁଖୁଆ, ମାଛ ଭଜା ଆଦି ବହୁତ ଭଲ ଲାଗେ୤ ଅନେକ ଲୋକ ପଖାଳ ସହ ବଡ଼ିଚୁରା, ପାମ୍ପଡ଼, ଆଚାର ଆଦି ମଧ୍ୟ ଖାଇ ଥାଆନ୍ତି୤ ଏବେ ଅବଶ୍ୟ ସ୍ବାଦ ଓ ସଉକ ବଦଳିଲାଣି, ତେଣୁ ସମୟ ସହ ତାଳ ଦେଇ ଅନେକ ନୁଆ ନୁଆ ଖାଦ୍ୟ ପରଷା ଗଲାଣି୤ କିନ୍ତୁ ପଖାଳ ଯେମିତି ଥିଲା ସେମିତି ଅଛି୤ ବାସି ଭାତକୁ ତୋରାଣୀରେ ପକାଇ ରଖିଲେ ସାମାନ୍ୟ ଖଟା ଲାଗେ ଏବଂ ଏଥିରେ କଞ୍ଚା ଲଙ୍କା ଭାଙ୍ଗିଦେଇ ଟିକେ ଦହି ପକାଇ ଦେଲେ ଯେଉଁ ଶାନ୍ତିକର ଖାଦ୍ୟ ମିଳେ ତାହା ତାରକା ହୋଟେଲର ବିରିୟାନୀରେ ମଧ୍ୟ ମିଳିବ ନାହିଁ୤


ବିଗତ ଦଶନ୍ଧିରେ ଓଡ଼ିଶାର ପାଣିପାଗରେ ବିପୁଳ ପରିବର୍ତ୍ତନ ଆସିଛି୤ ଏହା ସହିତ ଖରାଦିନେ ଓଡ଼ିଶାରେ ଅଂଶୁଘାତ ଜନିତ ମୃତ୍ୟୁ ସଂଖ୍ୟା ମଧ୍ୟ ପ୍ରତିବର୍ଷ ବୃଦ୍ଧି ପାଇବାରେ ଲାଗିଛି୤ ଆମ ରାଜ୍ୟ ସେମିତିରେ ବି ଉଷ୍ଣ ପ୍ରବଣ୤ ଏହିପରି ପାଣିପାଗକୁ ଠିକ୍ ସୁହାଏ ପଖାଳ୤ ଅଂଶୁଘାତରୁ ରକ୍ଷା ପାଇବା ପାଇଁ ବିଶେଷଜ୍ଞମାନେ ଅଧିକ ଜଳୀୟାଂଶ ଥିବା ଖାଦ୍ୟ ଖାଇବାକୁ ପ୍ରସ୍ତାବ ଦେଇଥାନ୍ତି୤ ସେଥିରେ ପଖାଳ ହେଉଛି ପ୍ରମୁଖ୤ ଗ୍ରାମାଂଚଳରେ ଲୋକମାନେ ସକାଳୁ ସକାଳୁ କଂସାଏ ପଖାଳ ଖାଇଦେଇ ବିଲକୁ ଯାଆନ୍ତି ଏବଂ ଦିପହର ବେଳକୁ ମଧ୍ୟ ପଖାଳ ଖାଆନ୍ତି, ତେଣୁ ସେମାନଙ୍କୁ ଅଂଶୁଘାତ ଜନିତ କଷ୍ଟ ଭୋଗିବାକୁ ପଡ଼େନାହିଁ୤


ଆଜି ମାର୍ଚ ୨୦ ତାରିଖ, ବିଶ୍ବ ଓଡ଼ିଆ ସମାଜର ଆହ୍ବାନରେ ଅନେକ ବର୍ଷରୁ ଏହି ଦିବସକୁ ବିଶ୍ବ ପଖାଳ ଦିବସ ଭାବରେ ପାଳିତ କରି ଆସୁଛୁ୤ ଆମ ଜନଜୀବନ ସହ ଜଡ଼ିତ ପଖାଳ ପାଇଁ ଦିନଟିଏ ଦେଇ ପାରୁଥିବା ହେତୁ ଆମେ ଆନନ୍ଦିତ ମନେ କରୁଛୁ୤


ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ
ସମ୍ପାଦକ, ଆହ୍ବାନ ଇ-ପତ୍ରିକା
ବୀମା ନଗର, ଆମ୍ବପୁଆ,
ବ୍ରହ୍ମପୁର-୧୦, ଓଡ଼ିଶା
ଦୂରଭାଷ - ୯୦୪୦୯୮୫୪୬୩


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤