ଲୋକ ଦେଖାଣିଆ ବନାମ ସତ ବାହାଘର

ବାହାଘର ଦିନକୁ ଦିନ ଏକ ପ୍ରହସନରେ ପରିଣତ ହେଉନାହିଁ ତ !!!

ସମାଜ | 10 ମିନିଟ୍‌ରେ ପଢ଼ନ୍ତୁ | 02 Aug, 2017
ସମୁଦାୟ 669 ଜଣ ପଢ଼ିଛନ୍ତି

ଅନେକ ବର୍ଷ ତଳର କଥା୤ ସେତେବେଳେ ହୁଏତ ମୁଁ ନୂଆ ନୂଆ ସ୍କୁଲ୍ ଯାଉଥିଲି କି କଣ୤ ଆମ ଗାଁରେ ଥିଲେ ଜଣେ ମହାନ ବ୍ୟକ୍ତି୤ ମହାନ ମାନେ ଧନୀକ ବୋଲି ଧରିନେବେ୤ ଗ୍ରାମର ଜଣେ ପ୍ରମୁଖ ବ୍ୟକ୍ତି ଥିଲେ ଶ୍ରୀଯୁକ୍ତ ମହାନ୍ତି୤ ତାଙ୍କର ଏକମାତ୍ର ପୁଅର ବିବାହ ଯେତେବେଳେ ଧାର୍ଯ୍ୟ ହୋଇଥିଲା, ତାହା ଥିଲା ସେ ସମୟର ସବୁଠାରୁ ବଡ଼ ବିବାହୋତ୍ସବ୤ ସୂଚନାଯୋଗ୍ୟ ଯେ ବିବାହ ଧାର୍ଯ୍ୟ ହୋଇଥିଲା ଆମ ଗାଁଠାରୁ ମାତ୍ର ତିନି ମାଇଲ ଦୂରରେ ଥିବା ଏକ ଗ୍ରାମର ଆଉ ଜଣେ ପ୍ରମୁଖ ବ୍ୟକ୍ତିଙ୍କ କନ୍ୟା ସହିତ୤ ବିବାହର ବିଶେଷତ୍ବ ଏହା ଥିଲା ଯେ, ବିବାହୋପରାନ୍ତ ଯେତେବେଳେ ବରଯାତ୍ରୀ ସ୍ବଗ୍ରାମକୁ ପ୍ରତ୍ୟାବର୍ତ୍ତନ କରିଥିଲେ, ଆମ ଗାଁଠାରୁ ସେହି ଗାଁ ପର୍ଯ୍ୟନ୍ତ ସଡ଼କରେ ଶଗଡ଼ ଧାଡ଼ିବାନ୍ଧି ରହିଥିଲେ୤ କେତେ ସଂଖ୍ୟାରେ ଶଗଡ଼ ଥିଲା ମନେ ନାହିଁ, କିନ୍ତୁ ଗୋଟିଏ ଗାଁରୁ ଆଉ ଗୋଟିଏ ଗାଁ ଯାଏଁ ଶଗଡ଼ର ଲମ୍ବା ଧାଡ଼ି ଦେଖିବା ପାଇଁ ପ୍ରବଳ ଜନସମାଗମ ହୋଇଥିଲା୤ ଯାହା ଦିଆନିଆ ହୋଇଥିବ ତାହା ଆମେ ଜାଣିବାର ଜୂ ନଥିଲା୤ ସେ ଯା ହେଉ ଏମିତିକା ବିବାହ ଆମ ଅଞ୍ଚଳରେ କେହି ଆଜିଯାଏଁ ଦେଖିନାହାନ୍ତି ବୋଲି ଆମ ଗାଁର ଜଣେ ବୟୋଜ୍ୟୋଷ୍ଟ ବ୍ୟକ୍ତି ମତ ଦେଇଥିଲେ୤


Indian Wedding Image


ଏହି କଥା ଶୁଣି ଆମର ଜଣେ ବନ୍ଧୁ କହିଲେ, “ଭାଇ, ତୁମେ କୋଉ ମାନ୍ଧାତା କାଳର କଥା କହୁଛ? ଜାଣିଛ ଗୋବିନ୍ଦ ମସଲା କଥା ? ଏଇ ଆମ ସହରର ସବୁଠାରୁ ପ୍ରତିଷ୍ଠିତ ପାନମସଲା ବ୍ୟାପାରୀଙ୍କ ପୁଅର ବାହାଘର୤ କଟକରେ ହେଇଥିଲା୤ ମୁଁ ଯାଇଥିଲି୤ ଭାଇରେ ବରଯାତ୍ରୀରେ ଯାଇଥିଲା ତିରିଶି ସରିକି ଗାଡ଼ି, ଆଠଟା ବଡ଼ ବସ, ଟ୍ରକ, ଟ୍ରେକର ଆଉ କେତେ କଣ କହିହେବନି୤ ପୁରା ରାସ୍ତା ଜାମ୍ କରିଦେଇଥିଲେ୤ ଆଉ କି ଭୋଜି!!! ମାନେ ଯେଉଁଠି ଭୋଜି କରିଥିଲେ, ସେଇ ଜାଗାଟା ଗୋଟେ ଫୁଟବଲ୍ ଖେଳପଡ଼ିଆଠୁ ବଡ଼ ଆଉ ଧାଡ଼ି କି ଧାଡ଼ି ଲୋକ ଠିଆ ହୋଇଥିଲେ ଖାଦ୍ୟ ପରଷିଦେବା ପାଇଁ୤ ଗେଟ ଡେଇଁଲେ ପ୍ରଥମେ କମଳା ରସ, ଆମ୍ବ ରସ, ଇତ୍ୟାଦି ଇତ୍ୟାଦି୤ ତା ପରେ ପରେ ଷ୍ଟାର୍ଟର ମାନେ, ଏଇ ଚିକେନ୍ ପକୋଡ଼ା, ପନିର୍ ପକୋଡ଼ା, ସ୍ପ୍ରିଙ୍ଗ୍ ରୋଲ୍ ଆଉ କେତେ କଣ୤ ମୁଖ୍ୟ ଖାଇବା ବେଳକୁ ଥାଳିରେ ଅଠର ପ୍ରକାରର ଖାନା୤ ଆଉ ଖାଇବା ପରେ ଚାରି ପ୍ରକାର ଆଇସ୍‌କ୍ରିମ୍, କୋଲ୍‌ଡ ଡ୍ରିଙ୍କ୍, ପାନ ଆଉ କଣ ନାହିଁ୤ ଏମିତିକା ଭୋଜି ମୁଁ ମୋ ଜୀବନରେ ଦେଖିନି୤ ଆମେ ଯାଇଥିଲୁ ସାଢ଼େ ଦୁଇଶହ ବରଯାତ୍ରୀ, ତଥାପି କାହାକୁ କିଛି ଉଣା ହେଇନି୤”


North Indian Wedding Image


“ଆଜି କାଲି ଆଉ ବାହାଘର କଣ ପୂର୍ବଭଳି ଅଛି?” ଚା’ କପଟାକୁ ଟେବୁଲ୍ ଉପରେ ଥୋଇଦେଇ ମିଶ୍ରବାବୁ କହୁଥିଲେ୤ ମିଶ୍ରବାବୁକ ବୟସ ଷାଠିଏ ଉପରେ୤ ସ୍କୁଲ ଶିକ୍ଷକଥିଲେ ଏବେ ଅବସର ପରେ ସହରରେ ଘର ଖଣ୍ଡିଏ କିଣି ରହୁଛନ୍ତି୤ “ ଆମ ସମୟରେ ବାହାଘରରେ ଯାହା ମଜା ହେଉଥିଲା ଆଜିକାଲି ଆଉ ସେ ସବୁ ନାହିଁ୤ ବାହାଘର ମାସେ ଆଗରୁ ଘରେ କୁଣିଆ ମଇତ୍ର ଭିଡ଼. ଯେ ନିତି ଖନ୍ଦା ଲାଗିବାକୁ ପଡୁଥିଲା୤ ଆମ ଗାଁ ମଠର ଗୋସେଇଁଙ୍କ ସାନପୁଅ, ପୁରା ବାହାଘର ସରିବା ଯାଏଁ, ଖନ୍ଦାଶାଳ ଆଉ ରୋଷେଇ କଥା ବୁଝିବ୤ ତା ହାତ ରନ୍ଧା କି ସୁଆଦ! ଆଜିକାଲି ଆଉ ସେ ସୁଆଦ ନାହିଁ୤ ଭୋଜିରେ ଯାହା କରିବ ସେ ତ କହିବା ଅସମ୍ଭବ, ଏମିତି ସବୁଦିନ କୁଣିଆମଇତ୍ର ଆଉ ଘର ଲୋକଙ୍କ ପାଇଁ ଯେଉଁ ରୋଷେଇ ହେବ, ସେଥିରେ ଭାତ, ଡାଲି, ମହୁର, ବେସର, ଚିଙ୍ଗୁଡ଼ି ଘଣ୍ଟା, ଆମ୍ବିଳ, ଯିଏ ଖାଇଥିବ ସେ ହିଁ ଜାଣିବ ପ୍ରକୃତ ସ୍ବାଦ କେମିତି୤ ସାଧା ଘାଣ୍ଟତରକାରୀର ବାସ୍ନା ଏମିତି ଯେ ପେଟେ ଖାଇଥିଲେ ସୁଦ୍ଧା ଆଉଥରେ ବସି ପଡ଼ିବ୤ ବାହାଘରେ ମାମୁଘର, ମଉସା ମାଉସୀ, ପିଉସା ପିଉସୀ କିଏ କେତେ ଆଡ଼ୁ ଆସି ଏକାଠି ହେଉଥିଲେ୤ ଦିନ ଦିନ ଧରି ଘରେ ହସଖୁସିର ପରିବେଶ ରହୁଥିଲା୤ ବଡ଼ି ପକେଇବା, ବେଦୀ ସଜେଇବା, ହଳଦି ପାଣିରେ ଗାଧୋଇବା, କେତେ କଣ ରୀତିନୀତି ସବୁ ହେଉଥିଲା୤ ବରଯାତ୍ରୀରେ ଘରର ବୟୋଜ୍ୟୋଷ୍ଠ ବ୍ୟକ୍ତିମାନେ ଯାଉଥିଲେ୤ ସାନ ଝିଅମାନଙ୍କୁ ଛାଡ଼ିଦେଲେ ଆଉ ମହିଳା ମାନଙ୍କୁ ବରଯାତ୍ରୀରେ ଯିବା ବାରଣ ଥିଲା୤ ସେ ବରଯାତ୍ରୀରେ ମଦ ନଥିଲା, ଅଭଦ୍ର ନାଚ ନଥିଲା୤


ବାହାଘର ସରିବାପରେ ଦୁଇ ସପ୍ତାହ ଯାଏଁ ଘରେ ଭିନ୍ନ ଭିନ୍ନ ପ୍ରକାରର ଉତ୍ସବ ଚାଲୁଥିଲା୤ ଘରକୁ ଆସିଥିବା ନୂଆ ବୋହୁଟା ସମସ୍ତଙ୍କ ସହ ଏମିତି ମିଶି ଯାଉଥିଲା ଯେ ତାକୁ ନିଜ ଘର ଛାଡ଼ି ଆସିବାର ଦୁଃଖ ନଥିଲା୤ ଆଉ ଆଜିକାଲିକା ବାହାଘର? କେଉଁଠିକି ସରିନାହିଁ୤ ବାହାଘର ହେଉଛି ବୋଲି କେହି ଜାଣନ୍ତିନାହିଁ, ଜାଣିବା ବେଳକୁ ବାହାଘର ଆସି ପହଞ୍ଚି ଯାଇଥିବ୤ ଘରେ ତ ଆଉ କିଛି କରାଯାଉନି, ତେଣୁ ସବୁ ଭଡ଼ାଟିଆ ମଣ୍ଡପରେ ହେବ୤ ଘରେ କୁଣିଆ ମଇତ୍ର ଆସିବା ଆଉ ଆବଶ୍ୟକ ହିଁ ରହୁନି୤ ବାହାଘର ଦିନ ବରଯାତ୍ରୀରେ ଯିବା ଲୋକ ବି ହାତଗଣତି୤ ସେଥିରେ ମଦପାଣି ନଥିଲେ ସଂଖ୍ୟା ଆହୁରି କମ୤ ବର ବେଦୀ ପାଖରେ ପହଞ୍ଚିଗଲେ, ବରଯାତ୍ରୀ ଖାଇଦେଇ ଫେରାର୤ ବୋହୁକୁ ନେଇ ଘରକୁ ଆସିବା ବେଳକୁ ଘରେ କେହି ନଥିବେ୤ ନିଛାଟିଆ ଘରକୁ ଆସିବା ପରେ ବୋହୁଟାର ମନ କଣ ହେଉଥିବ କୁହ୤ ସେ କାହିଁକି ଆଉ କାହାକୁ ଚିହ୍ନିବ ? ମାମୁଁ ଶଶୁର କିଏ, ମଉସା ଶଶୁର, ଶାଶୁ ଏମାନଙ୍କୁ କେହି ଚିହ୍ନେଇଲେ ମୁଣ୍ଡ ନୁଆଇଁ ଦେବ୤ ଗୋଡ଼ ଛୁଇଁବା ଓଳିଗି ହେବା ଏ ସବୁ ଆଉ କଣ ଅଛି୤ ବାହାଘର ଦିନ କେଇଟା ପଳେଇଲେ ତ ସେହି ବୋହୁ ହାଏ ହାଲୋ କହିବ୤ ସମ୍ମାନ ଆସିବ କୋଉଠୁ ? ନା, ଆଜିକାଲି ଆମେ ଖାଲି ପରମ୍ପରା ନାଁରେ ନିଜକୁ ନିଜେ ଠକି ଚାଲିଛେ ସିନା୤ ଲୋକ ଦେଖାଣିଆ ଭୋଜି ଭାତ କରିଦେଲେ କଣ ହେବ, ମନରେ ତ ସ୍ନେହ ନାହିଁ୤ ଦେଖିବ ରୁହ ଦିନ ଆସିବ ଆମ ଦେଶରେ ବିଦେଶ ଭଳିଆ ବାହାଘର ହେବ୤ ଆଉ ବେଦୀରେ ବସି କେହି ବାହାହେବେନି, ଠିଆ ଠିଆ ‘ଆଇ ଡୁ’ ‘ଆଇ ଡୁ’ କହିଦେଇ, କାମ ତୁଲେଇ ଦେବେ୤”


ସନ୍ଧ୍ୟା ବହୁତ ହେଇଯାଇଥିଲା୤ ବଳିଆ ଚା ଦୋକାନର କାଚ ଗିଲାସ ସବୁ ଧୋଇବାରେ ବ୍ୟସ୍ତ ଥିଲା୤ ସବୁ ଉଠିଲେ ଯେ ଯା ଘରକୁ ଯିବା ପାଇଁ୤ ବଳିଆ ନିଜର ପ୍ରାପ୍ୟ ହାତେଇ ଦେବାପରେ ଧିରେ କହିଲା, “ଆଜ୍ଞା, ଆର ମାସକୁ ମୋ ବଡ଼ ପୁଅର ବାହାଘର କରୁଛି୤ ଆପଣମାନେ କହିବା ଭଳି ଏତେ ରାଜଥାଟରେ ତ କରିପାରିବିନି୤ ବାସୁଦେବ ନଗରରେ ଝିଅ ଦେଖିଛି୤ ପାଠ ପଢ଼ିଛି୤ ବାପା ତା’ର ଷ୍ଟେସନ ପାଖରେ ଜଳଖିଆ ହୋଟେଲଟେ ଦେଇଛି୤ ଆମେ ଆଜ୍ଞା ଗରୀବ ଲୋକ୤ ଏତେ ଟଙ୍କା କୋଉଠୁ ଆଣିବୁ ? ତେଣୁ ମୋ ସାନଭାଇକୁ କହିଛି ସେ ଭୋଜି ରାନ୍ଧିଦେବ୤ ବେଶୀ କିଛି କରିପାରିବିନି୤ ଆଜ୍ଞା ଆପଣମାନଙ୍କୁ ଡାକିବି ବୋଲି ଭାବୁଛି ଯେ...”


ବଳିଆର କଥା ଅଧାରେ ରହିବା ପରେ ମିଶ୍ରବାବୁ କହିଲେ, “ଯେ ପୁଣି କଣ? ଡାକିବୁ ନା୤ ଆମ ପିଲାଟା, ଆମେ ଯାଇ ଆଶୀର୍ବାଦ ଦେବୁ୤ ଆଉ ବଡ଼ ଭୋଜି ବେଶୀ ଖିଆହେଇଗଲା୤ ତୋ ଭାଇକୁ କହିବୁ ଗୋଟେ ଭଲ ଘାଣ୍ଟ କରିବ, ଆଉ ସେଥିରେ ଚିଙ୍ଗୁଡ଼ି ଟିକେ ଛାଡ଼ିଦେବ୤ ଚିକେନ୍ ମଟନ୍ କରିବୁନି୤ ମାଛ କରିବୁ୤ ମାଛମୁଣ୍ଡ ମହୁର ଟିକେ କରିବ୤”


ବଳିଆ ହସିଦେଇ କହିଲା, “ଆଜ୍ଞା, ମନେ ରହିଲା୤ ସବୁ ହେବ୤ ଆପଣମାନେ ଆସି ଠିଆ ହେଲେ ମୋ ସମ୍ମାନ ବଢ଼ିଯିବ୤ ମୋ ପୁଅବୋହୁର ଉନ୍ନତି ହେବ୤”


ଆମେ ଚା’ଷ୍ଟଲରୁ ବାହାରି ଆସୁଥିଲୁ, ମନେ ମନେ ଭାବୁଥିଲି, ଆଜିକାଲି ହେଉଥିବା ବାହାଘର କଣ ସତସତିକା ନା ଲୋକଦେଖାଣିଆ୤ ସେ ଯା ହେଉ, ଚିଙ୍ଗୁଡ଼ି ଘାଣ୍ଟ ଅନେକ ଦିନ ହେଲା ଖିଆ ହେଇନି, ଦେଖିବା କେବେ ସେ ସୁଯୋଗ ମିଳୁଛି୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤