ଓଡ଼ିଆ ଭାଷା ଆନ୍ଦୋଳନ ଏବଂ ଆମେ

ଯେଉଁମାନେ ବାହାରେ ରହିଲେ ସେମାନେ ଓଡ଼ିଆରେ କହିଲେ କି ନ କହିଲେ ସେ ବିଷୟରେ ଚର୍ଚ୍ଚା କରିବାର ଅଧିକାର ଆମର ନାହିଁ

ସମାଜ | 12 ମିନିଟ୍‌ରେ ପଢ଼ନ୍ତୁ | 31 Jul, 2017
ସମୁଦାୟ 515 ଜଣ ପଢ଼ିଛନ୍ତି

ଓଡ଼ିଶା ଏକ ବିଶାଳ ରାଜ୍ୟ୤ ଏହାର ଚତୁର୍ପାର୍ଶ୍ବରେ ଅନେକ ରାଜ୍ୟ ରହିଛି, ଯେଉଁଠି ଭିନ୍ନ ଭିନ୍ନ ଭାଷା କୁହାଯାଏ୤ ସେହି ସବୁ ଭାଷାର ପ୍ରଭାବ ନିଶ୍ଚିତ ଭାବରେ ଆମ ଭାଷା ଉପରେ ପଡ଼ିଛି୤ ଦକ୍ଷିଣରେ ଗଞ୍ଜାମ ଓ ଗଜପତି ଜିଲ୍ଲା, ସମେତ କୋରାପୁଟ, ଜୟପୁର, ମାଲକାନଗିରି, ମାଥିଲି ଆଦି ଅଞ୍ଚଳ ସଂଲଗ୍ନ ଆନ୍ଧ୍ରପ୍ରଦେଶରୁ ତେଲୁଗୁ ଶବ୍ଦାବଳୀକୁ ଓଡ଼ିଆରେ ସମ୍ମିଳିତ କରି କୁହାଯିବାର ଦୃଷ୍ଟାନ୍ତ ରହିଛି୤ ସେହିଭଳି ଉତ୍ତରରେ ବାଲେଶ୍ବରରେ ବଙ୍ଗାଳୀ ଭାଷାର ପ୍ରଭାବ ଦେଖିବାକୁ ମିଳେ୤ କିଛି ସମ୍ଭ୍ରାନ୍ତ ପରିବାରରେ ବଙ୍ଗାଳୀ ପରିବାରଙ୍କ ସହ ବନ୍ଧୁତା ଏବଂ ବିବାହ ବନ୍ଧନ ହେତୁ ସ୍ଥାନେ ସ୍ଥାନେ ବଙ୍ଗାଳୀ ଭାଷାର ବ୍ୟବହାର ଦେଖିବାକୁ ମିଳିଥାଏ୤
ସର୍ବୋପରି ପ୍ରାନ୍ତୀୟ ବିଭିନ୍ନତା ଭିତରେ ଓଡ଼ିଆ ଭାଷା ନିଜର ସ୍ଥିତି ବଜାୟ ରଖିବା ନିଶ୍ଚୟ ଭାବରେ ଆମ ଭାଷାପ୍ରତି ଥିବା ଆମ ନିଷ୍ଠା ଓ ସମ୍ମାନକୁ ସୁଚାଏ୤ ଯେଉଁମାନେ ଭାବନ୍ତି ଓଡ଼ିଆ ଭାଷା ତାହାର ସ୍ଥିତି ହରାଇ ବସିଲାଣି, ହୁଏତ ସେମାନେ କହିବାକୁ ଚାହାନ୍ତି ଯେ ଆମ ଭାଷା ନିଜର ମୌଳିକତାକୁ ହରେଇ ବସିଛି୤ ଭିନ୍ନ ଭିନ୍ନ ଭାଷାର ସମ୍ମିଶ୍ରଣରେ ଓଡ଼ିଆ ଭାଷାକୋଷ ବରଂ ସମୃଦ୍ଧ ହୋଇଛି କହିଲେ ଅତ୍ୟୁକ୍ତି ହେବନାହିଁ୤ ସେ ଯା ହେଉ, ଓଡ଼ିଆ ଭାଷା ପ୍ରତି ସମସ୍ତଙ୍କର ଆଦର ଓ ସମ୍ମାନ ରହିଛି୤ ବିଛିନ୍ନାଞ୍ଚଳରେ ହେଉ ଅବା ବିଦେଶରେ (ଓଡ଼ିଶା ବାହାରେ) କିଛି ଓଡ଼ିଆ ନିଜର ପରିଚୟକୁ ଅଣଦେଖା କରି ଓଡ଼ିଆକୁ ସମ୍ପୂର୍ଣ୍ଣ ଭାବରେ ଭୁଲିଯାଉଛନ୍ତି ବୋଲି ଅଭିଯୋଗ ଆସିଛି, ଆମେ ବି ଏହିପରି ଅନେକ ଉଦାହରଣ ଦେଇଛୁ୤ କିନ୍ତୁ ତାହା ହୁଏତ ସ୍ଥିତିର ସମ୍ପୂର୍ଣ୍ଣ ବା ଶତପ୍ରତିଶତ ସତ୍ୟ ଛବି ନ ହୋଇପାରେ୤ ସ୍ଥାନର ଆବଶ୍ୟକତାକୁ ପ୍ରାଧାନ୍ୟ ଦେଇ ଆମେ ସ୍ଥଳବିଶେଷରେ ହିନ୍ଦୀ, ବଙ୍ଗାଳୀ, ତେଲୁଗୁ ଆଦି ଭାଷାର ବ୍ୟବହାର କରୁ୤ କାରଣ ଯେତେବେଳେ କେବଳ ଓଡ଼ିଆରେ କଥା କହିବାଦ୍ବାରା ଆମର କହିବାର ସମ୍ପୂର୍ଣ୍ଣ ଅର୍ଥ ଅନ୍ୟବ୍ୟକ୍ତି ପାଖରେ ପ୍ରକାଶ୍ୟ ହୋଇପାରେ ନାହିଁ, ସେତେବେଳେ ଆମେ ଅନ୍ୟ ଭାଷାରେ ହେଉ ଅବା ଇଂରେଜୀ ଭାଷାରେ ହେଉ କଥା କହିଥାଉ୤ ଓଡ଼ିଶା ବାହାରେ ରହୁଥିବା ଅନେକ ଦମ୍ପତ୍ତିଙ୍କ ସନ୍ତାନମାନେ ସେହି ଅଞ୍ଚଳର ବିଦ୍ୟାଳୟମାନଙ୍କରେ ପଢୁଥିବା ହେତୁ ସେମାନେ ସେହି ଅଞ୍ଚଳରେ ବ୍ୟବହୃତ ଶବ୍ଦ ଓ ଭାଷାକୁ ଆପଣେଇ ନିଅନ୍ତି୤ ଅବଶ୍ୟ ଘରେ ଓଡ଼ିଆର ବ୍ୟବହାର ମୁଖ୍ୟ ରହିଥିଲେ ଏହା କୌଣସି ଅସୁବିଧା ସୃଷ୍ଟି କରିପାରିବ ନାହିଁ୤ କିନ୍ତୁ ବିଦେଶରେ ରହୁଥିବା ଓଡ଼ିଆଙ୍କ ପିଲାମାନେ କେବଳ ଇଂରେଜୀ ଭାଷାରେ ହିଁ କଥା ହୁଅନ୍ତି, ତାହା ସେମାନଙ୍କ ବିଦ୍ୟାଅଧ୍ୟୟନ ହେତୁ ଜରୂରୀ ହୋଇପଡ଼େ ଏବଂ ଘରେ ପିତାମାତା ପିଲାର ବିଦ୍ୟା ଗ୍ରହଣକୁ ଉତ୍ସାହିତ କରିବା ଉଦ୍ଦେଶ୍ୟରେ ତା ସହ ଅଧିକ ସମୟ ଇଂରେଜୀରେ କଥା ହେବା ହେତୁ ସେମାନେ ଓଡ଼ିଆରେ କଥାବାର୍ତ୍ତା ଆଦୌ କରିପାରନ୍ତି ନାହିଁ କିମ୍ବା ଭୁଲଭାବରେ କରନ୍ତି୤ ଏହି ସବୁ ସ୍ଥଳେ ଆମେ ପିତାମାତାଙ୍କୁ ସମ୍ପୂର୍ଣ୍ଣ ଦୋଷୀ ବୋଲି କହିପାରିବା ନାହିଁ୤
ନିଜ ରାଜ୍ୟ ବାହାରେ ଭେଟହେଲେ ବଙ୍ଗାଳୀ ହୁଅନ୍ତୁ ଅବା ତେଲୁଗୁ କିମ୍ବା ତାମିଲ ଲୋକମାନେ ନିଜ ମାତୃଭାଷାରେ ଭାବ ବିନିମୟ କରିବାକୁ ଭଲପାଆନ୍ତି, ଯାହା କିଛି ଓଡ଼ିଆଙ୍କ କ୍ଷେତ୍ରରେ ବ୍ୟତିକ୍ରମ ଦେଖାଦିଏ, ସେଇଥିପାଇଁ ମନକୁ ଦୁଃଖ ଲାଗେ୤ କିନ୍ତୁ ଯେଉଁମାନେ ଓଡ଼ିଶା ବାହାରେ ରହିଲେ ଏବଂ ଯେଉଁମାନେ ନିଜ ଭବିଷ୍ୟ କେବଳ ଓଡ଼ିଶା ବାହାରେ ବୋଲି ଧରିନେଲେ ସେମାନେ ଓଡ଼ିଆରେ କଥାବାର୍ତ୍ତା କରିବାକୁ ଏତେ ଯତ୍ନବାନ ହେଲେ ନାହିଁ, କିମ୍ବା ସେମାନେ ଓଡ଼ିଆ ଭାଷାର ବ୍ୟବହାରକୁ ପ୍ରାଧାନ୍ୟ ଦେଲେ ନାହିଁ୤ ଅନେକ ଓଡ଼ିଆ ପରିବାର ବାଙ୍ଗାଲୋର, ପୁନେ, ଦିଲ୍ଲୀରେ ରହିଲେଣି୤ ଏହା ବ୍ୟତୀତ ଲକ୍ଷାଧିକ ଓଡ଼ିଆ ଆମେରିକା, ଲଣ୍ଡନ, ଆଦି ଦେଶମାନଙ୍କରେ ରହିଲେଣି୤ ସେମାନେ ପୁଣି କେବେ ଓଡ଼ିଶା ଫେରିବେ କି ନା, ତାହା ସେମାନେ ଜାଣିନାହାନ୍ତି୤ ତେଣୁ ସେମାନେ ଓଡ଼ିଆରେ କଥାବାର୍ତ୍ତାକୁ ଏତେ ପ୍ରାଧାନ୍ୟ ଦେଉନାହାନ୍ତି୤ ଅବଶ୍ୟ ଅନେକ ଓଡ଼ିଆ ବିଦେଶରେ ଅନେକ ଦଶନ୍ଧି ଧରି ରହିବା ସତ୍ତ୍ବେ ଓଡ଼ିଆ ଚାଲିଚଳନ ଓ ଭାଷାକୁ ଭୁଲି ନ ଯିବାପାଇଁ କେବଳ ଓଡ଼ିଆ ପ୍ରାଧାନ୍ୟ ଅନେକ ପର୍ବପର୍ବାଣୀ ଆୟୋଜିତ କରୁଛନ୍ତି, ବିଦେଶରେ ମଧ୍ୟ ଓଡ଼ିଆ ସାହିତ୍ୟ ପତ୍ରିକାର ପ୍ରକାଶନ ହେଉଛି୤ ଓଡ଼ିଶା ବିଷୟରେ ବିଭିନ୍ନ ଖବର ଓଡ଼ିଆ ଖବର ପ୍ରସାରଣକାରୀ ୱେବସାଇଟ୍‌ରୁ ପଢୁଛନ୍ତି୤ ଓଡ଼ିଆ ଇ-ପତ୍ରିକାର ଆଦର କାହିଁ କେତେ୤ ଅନେକ ଓଡ଼ିଆରେ ବହୁତ ସୁନ୍ଦର ସୁନ୍ଦର ଲେଖାଲେଖି ଅନେକ ଓଡ଼ିଆ ପତ୍ରପତ୍ରିକାରେ ପ୍ରକାଶିତ କରୁଛନ୍ତି୤
ଏ ତ ଗଲା, ବିଦେଶୀ ଓଡ଼ିଆଙ୍କ କଥା ବର୍ତ୍ତମାନ କଥା ଉଠୁଛି ଯେଉଁମାନେ ଓଡ଼ିଶା ଭିତରେ ରହୁଛନ୍ତି ସେମାନେ ଓଡ଼ିଆ ଭାଷାପ୍ରତି କେଉଁପ୍ରକାର ଧାରଣା ମନରେ ରଖୁଛନ୍ତି୤ ଭାଷାର ପ୍ରଚାର ଓ ପ୍ରସାରର ମୁଖ୍ୟ ବାର୍ତ୍ତାବହ ହେଉଛି ପୁସ୍ତକ ଓ ଗଣ ମାଧ୍ୟମ୤ ଖବର କାଗଜ ହେଉ ବା ରେଡ଼ିଓ କିମ୍ବା ଟେଲିଭିଜନ ହେଉ୤ ଆଜିକାଲି ଯେକୌଣସି ଖବର କାଗଜକୁ ଦେଖିଲେ ଶହ ଶହ ସଂଖ୍ୟାରେ ବନାନତ୍ରୁଟି, ବ୍ୟାକରଣଗତ ତ୍ରୁଟି ଏବଂ ଭୁଲ ସବୁ ଦେଖାଯାଉଛି୤ ଅବଶ୍ୟ ଏ ସବୁକୁ ମୁଦ୍ରଣ ବେଳର ତ୍ରୁଟି ବା କ୍ଷୀପ୍ରବେଗରେ ଖବର ପରିବେଷଣ ହେତୁ ଖବରକୁ ତ୍ରୁଟିହୀନ କରିବାର ସମୟ ଅଭାବ ବୋଲି ଧରିନିଆ ଯାଇପାରେ୤ ଅବଶ୍ୟ କିଛି ଖବରକାଗଜ ଭାଷାକୁ ସରଳ କରିବାପାଇଁ କଦର୍ଯ୍ୟ କରିଦେବାରେ ମଧ୍ୟ ପଛଘୁଞ୍ଚା ଦେଇନାହାନ୍ତି୤ ରେଡ଼ିଓ ଓ ଟେଲିଭିଜନରେ ପ୍ରସାରିତ ହେଉଥିବା ଓଡ଼ିଆ କାର୍ଯ୍ୟକ୍ରମମାନଙ୍କ ବିଷୟରେ ନ କହିବା ଭଲ୤ ଉଦଘୋଷିକାମାନେ ଯେ କଣ ଭାଷା ବ୍ୟବହାର କରୁଛନ୍ତି, ସେଥିରେ ଓଡ଼ିଆର ମାତ୍ରା କେତେ ଆଉ ଇଂରେଜୀ ଓ ହିନ୍ଦୀର ମାତ୍ରା କେତେ ତାହା ପରୀକ୍ଷାଯୋଗ୍ୟ୤

Blake wore these eye-catching, classic christian louboutin dames sneakers to the 2016 Gala in NYC, which she attended with her hubs Ryan Reynolds, of course. (Not pictured here. You know what Louboutin Dames Sneakers looks like.)

ଓଡ଼ିଆ ଭାଷାର ଭୂମି ଓଡ଼ିଶାରେ ଯଦି ଆମେ ଓଡ଼ିଆକୁ ସଠିକ ଭାବରେ କହିବା ଓ ଲେଖିବା ନାହିଁ, ତା ହେଲେ ଯେଉଁମାନେ ବାହାରେ ରହିଲେ ସେମାନେ ଓଡ଼ିଆରେ କହିଲେ କି ନ କହିଲେ ସେ ବିଷୟରେ ଚର୍ଚ୍ଚା କରିବାର ଅଧିକାର ଆମର ନାହିଁ ବୋଲି ମୁଁ ବ୍ୟକ୍ତିଗତ ଭାବରେ ମନେକରେ୤ ଯଦି ମୁଁ ନିଜେ ଓଡ଼ିଆରେ ଭଲଭାବରେ ଦୁଇପଦ କହିପାରେନି ବା ଲେଖିପାରେନି ତା ହେଲେ ଆମ ମୁଖ୍ୟମନ୍ତ୍ରୀ ଓଡ଼ିଆରେ ପଢ଼ିଲେନି ଓ ଲେଖିଲେନି କହି ବିଷୋଦଗାର୍ କରିବାର ଅଧିକାର ମୋର ନାହିଁ୤ ଆମେ ନିଜ ହୃଦୟ ଉପରେ ହାତ ରଖି କହିପାରିବା କି ଆମେ ଓଡ଼ିଆ ବୋଲି ? ସଭା ସମିତିରେ ଭାଷଣ ଦେଉଥିବା ବେଳେ ଆମେ କେତେ ଓଡ଼ିଆ ବ୍ୟବହାର କରୁଛୁ ? ସାଙ୍ଗସାଥୀଙ୍କ ମେଳରେ ଥିବା ବେଳେ, ବଜାରରେ ସଉଦା କରୁଥିବା ବେଳେ କିମ୍ବା ରେସ୍ତୋରାଂରେ ଖାଉଥିବା ବେଳେ ଆମେ କେତେ ଓଡ଼ିଆ ବ୍ୟବହାର କରୁ ? ଆମ ବ୍ୟବସାୟ ଅନୁଷ୍ଠାନର ଫଳକରେ ଓଡ଼ିଆରେ ଲେଖୁଛୁ କି ?
ସମୟ ଆସିଛି ଆତ୍ମଚିନ୍ତନ କରିବାପାଇଁ୤ ପ୍ରାନ୍ତୀୟ ଭାଷାକୁ ନେଇ ଆମେ ଗର୍ବିତ କରିବା ସତ ହେଲେ ଓଡ଼ିଆ ବୋଲି ଆମେ ଭୁଲିଯିବା ଅନୁଚିତ୤ ଭାଷା ବିଭିନ୍ନତାକୁ ନେଇ ପରସ୍ପର ସହ ଲଢ଼େଇ ନ କରି ବରଂ ଆମେ ସମସ୍ତେ ମିଳିମିଶି କେମିତି ଆମ ଭାଷାକୁ ଉନ୍ନତ କରିବା ସେ ବିଷୟରେ ଚିନ୍ତା କରିବା ସମୟ ଆସିଛି୤ ଖାଲି କିଛି ସାହିତ୍ୟିକ ଓ ରାଜନୈତିକ ବ୍ୟକ୍ତି ମିଶି ଆମ ଭାଷାର ସମ୍ମାନ ବଢ଼ାଇଦେବେ ବୋଲି ଭାବିବା ଆମ ମୂର୍ଖତା୤ ଏହି ଭାଷା ସମସ୍ତ ଓଡ଼ିଶାବାସୀଙ୍କର, ଏଥିପାଇଁ ସମସ୍ତେ ଏକତ୍ରିତ ଭାବରେ କାମ କରିବାକୁ ପଡ଼ିବ୤ ଆମେ ନିଜେ ସଜାଗ ହେଲେ ଆମ ଭାଷା ନିଶ୍ଚୟ ସମୃଦ୍ଧ ହେବ୤ ଏଥିପାଇଁ ଆମକୁ ଅନେକ ପଦକ୍ଷେପ ନେବାକୁ ପଡ଼ିବ, ସେଥିମଧ୍ୟରୁ କିଛି ପଦକ୍ଷେପ ଯାହା ମୋ ମତରେ ଆମ ଭାଷାକୁ ସମ୍ମାନ ଆଣିଦେଇପାରେ, ଯଥା:
୧. କଥାବାର୍ତ୍ତା ବେଳେ ଓଡ଼ିଆ ଭାଷାର ବହୁଳ ବ୍ୟବହାର୤
୨. ଘରେ ସାନ ପିଲାମାନଙ୍କୁ ଓଡ଼ିଆରେ କଥା କହିବା ଶିଖାଇବା୤
୩. ରାଜ୍ୟର ସମସ୍ତ ଅନୁଷ୍ଠାନ ନିଜର ଫଳକପତ୍ର / ନାମଫଳକ ଓଡ଼ିଆରେ ନିଶ୍ଚୟ ଲେଖନ୍ତୁ୤
୪. ସମସ୍ତ ସରକାରୀ କାର୍ଯ୍ୟାଳୟରେ ଓଡ଼ିଆର ବ୍ୟବହାରକୁ ବାଧ୍ୟତାମୂଳକ କରିବା୤
୫. ଓଡ଼ିଆ ଭାଷାକୁ ବିକୃତ କରି ପରିବେଷଣ କରାଯାଉଥିବା ଗଣମାଧ୍ୟମଙ୍କୁ ଦଣ୍ଡିତ କରିବା୤
୬. ସମସ୍ତଙ୍କ ପାଇଁ ଓଡ଼ିଆ ବାଧ୍ୟତାମୂଳକ ବିଷୟ ବୋଲି ବିଦ୍ୟାଳୟସ୍ତରରୁ ହିଁ ଘୋଷଣା କରିବା୤
୭. ରାଜ୍ୟ ସଡ଼କପଥରେ ଥିବା ସମସ୍ତ ନାମଫଳକରେ ଓଡ଼ିଆରେ ମଧ୍ୟ ଲେଖିବା୤
ଏହିପରି ଆହୁରି ଅନେକ ପଦକ୍ଷେପ ନିଆଯାଇପାରେ୤ ସେହି ବିଷୟରେ ଆପଣମାନେ ଚିନ୍ତା କରି ଜଣାନ୍ତୁ୤ କେବଳ ସରକାରୀ ସ୍ତରରେ ନିଷ୍ପତି ନିଆଯାଇ ଓଡ଼ିଆର ଉନ୍ନତି କରିହେବ ବୋଲି ଭାବିଲେ ହୁଏତ ପୁଣିଥରେ ଭାଷା ସଂରକ୍ଷଣ ଆନ୍ଦୋଳନ କରିବାକୁ ପଡ଼ିବ୤
ବୀମା ନଗର, ବ୍ରହ୍ମପୁର, ଓଡ଼ିଶା


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤