ଓଡ଼ିଶା ସ୍ବାସ୍ଥ୍ୟସେବାରେ ବେସରକାରୀ ସଂସ୍ଥା

ଓଡ଼ିଶାରେ ସରକାରୀ ତୁଳନାରେ ଅଧିକ ବଡ଼ ବେସରକାରୀ ଡାକ୍ତରଖାନା ରହିଛି

ସମାଜ | 10 ମିନିଟ୍‌ରେ ପଢ଼ନ୍ତୁ | 01 Aug, 2017
ସମୁଦାୟ 864 ଜଣ ପଢ଼ିଛନ୍ତି

Odisha Healthcare
ଓଡ଼ିଶାରେ ସରକାର ଅନେକ ବର୍ଷଧରି ମାତ୍ର ତିନୋଟି ସରକାରୀ ଭେଷଜ ମହାବିଦ୍ୟାଳୟ ନିର୍ମାଣ କରି ସ୍ବାସ୍ଥପାଇଁ ଯଥେଷ୍ଟ ବୋଲି ଧରି ନେଇଥିଲେ୤ ଜନସଂଖ୍ୟା ଦୃଷ୍ଟିରୁ ଏହି ସବୁ ହସପିଟାଲ୍ ଯଥେଷ୍ଟ ନଥିଲେ ସୁଦ୍ଧା ବିଭିନ୍ନ ଜିଲ୍ଲାରେ ସ୍ବାସ୍ଥ୍ୟ କେନ୍ଦ୍ର, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର ଓ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର ମାନଙ୍କ ଦ୍ବାରା ଲୋକମାନେ ଉପକୃତ ହେଉଥିଲେ୤ ପରେ ପରେ ପ୍ରତ୍ୟେକ ଗାଁରେ ଉପକେନ୍ଦ୍ର, ଆଶା କର୍ମୀ, ଯଶୋଦା କର୍ମୀ, ଅଙ୍ଗନ୍‌ୱାଡ଼ି କର୍ମୀଙ୍କ ଦ୍ବାରା ସ୍ବାସ୍ଥ ସେବା ଯୋଗାଇ ଦିଆଯାଇଥିଲା୤ ତଥାପି ଏହା ରାଜ୍ୟର ସ୍ବାସ୍ଥ୍ୟ ସେବା କ୍ଷେତ୍ରରେ ଯଥେଷ୍ଟ ପ୍ରମାଣିତ ହୋଇନଥିଲା୤ ବିଶ୍ବ ସ୍ତରରେ ପ୍ରତି ହଜାର ଜନସଂଖ୍ୟାରେ ଯେତେ ସଂଖ୍ୟକ ଡାକ୍ତର ରହିବା କଥା, ଆମ ରାଜ୍ୟରେ ତା ଠାରୁ ଢେର୍ କମ ଡାକ୍ତର ଅଛନ୍ତି୤ ସେମାନଙ୍କ ମଧ୍ୟରୁ ଅଧିକାଂଶ ଡାକ୍ତର କେବଳ ସହରାଞ୍ଚଳରେ ହିଁ ରହି ରୋଗୀସେବା କରିବାକୁ ଇଚ୍ଛା କରୁଛନ୍ତି୤ ଏହାର ଅନେକ କାରଣ ହୋଇପାରେ୤ ତଥାପି ଗ୍ରାମାଞ୍ଚଳରେ ଏବଂ ସରକାରୀ ଡାକ୍ତରଖାନାକୁ ଆସିବା ପୂର୍ବରୁ ତଥା ସହରାଞ୍ଚଳରେ ଅନେକ ବେସରକାରୀ ସ୍ବାସ୍ଥ୍ୟ କେନ୍ଦ୍ର ଲୋକଙ୍କୁ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି୤ ଓଡ଼ିଶା ପାଇଁ ଆବଶ୍ୟକ ବାର ହଜାରରୁ ଅଧିକ ଡାକ୍ତର, କିନ୍ତୁ ସରକାରୀ ସ୍ତରରେ ଏହା ଚାରିହଜାରରୁ ବି କମ୍ ଅଛି, ଏବଂ ଡାକ୍ତରମାନଙ୍କ ସଂଗଠନ ଏହି ସଂଖ୍ୟାକୁ ଦୁଇ ହଜାରରୁ ମାତ୍ର କେତୋଟି ଅଧିକ ବୋଲି କହୁଛନ୍ତି୤ ଅର୍ଥାତ ଆବଶ୍ୟକତା ଠାରୁ ଛଅ ଭାଗରୁ ଭାଗେ ଡାକ୍ତର ରାଜ୍ୟରେ ସ୍ବାସ୍ଥ୍ୟସେବା ଯୋଗାଇ ଆସୁଛନ୍ତି୤

ସରକାରୀ ସ୍ତରରେ ଏହି ପ୍ରକାରର ଉଦାସୀନତାର ଲାଭ ବେସରକାରୀ ସଂସ୍ଥାମାନେ ପାଉଛନ୍ତି୤ ବର୍ତ୍ତମାନ ଓଡ଼ିଶାର ରାଜଧାନୀ ଭୁବନେଶ୍ବରଠାରେ ଦଶରୁ ଅଧିକ ବଡ଼ ବଡ଼ ଡାକ୍ତରଖାନା ଖୋଲିଛି, ଯେଉଁଠି ରୋଗୀମାନଙ୍କୁ ଉଚିତ ସେବା ଯୋଗାଇ ଦିଆଯାଉଛି୤ ଅବଶ୍ୟ ଏଠାରେ ରୋଗୀମାନଙ୍କୁ ଶୋଷଣ କରାଯାଉଛି ବୋଲି କୁହାଯାଉଛି, କିନ୍ତୁ ଉଚିତ ସ୍ବାସ୍ଥ୍ୟ ସେବା ବଦଳରେ ଅଧିକ ଖର୍ଚ୍ଚାନ୍ତ ହେବା ଛଡ଼ା ଆମ ରାଜ୍ୟବାସୀଙ୍କ ପାଖରେ ଆଉ କୌଣସି ଉପାୟ ବି ନାହିଁ୤ ସରକାର ଚାହିଁଲେ ସୁଦ୍ଧା ସରକାରୀ ସ୍ତରରେ କୌଣସି ବଡ଼ ଡାକ୍ତରଖାନା ନିର୍ମାଣ କରୁନାହାନ୍ତି, ଆଉ ସରକାରୀ ଡାକ୍ତରଖାନାରେ ଚାକିରୀ କରୁଥିବା ଡାକ୍ତରମାନେ ମଧ୍ୟ ରୋଗୀର ଅବସ୍ଥାକୁ ଦେଖି ସେମାନଙ୍କୁ ବେସରକାରୀ ଡାକ୍ତରଖାନାକୁ ପଠାଇ ଦେବାକୁ ଉଚିତ ମଣୁଛନ୍ତି୤

ବେସରକାରୀ ସ୍ତରରେ କାମ କରୁଥିବା ସ୍ବାସ୍ଥ୍ୟସେବା ଅନୁଷ୍ଠାନ ମାନଙ୍କ ମଧ୍ୟରେ ଛୋଟ ନର୍ସିଂ ହୋମ୍ ଠାରୁ ଆରମ୍ଭ କରି ବହୁତଳ ଓ ବହୁଶଯ୍ୟା ବିଶିଷ୍ଟ ଡାକ୍ତରଖାନା ମାନ ଅଛନ୍ତି୤ ପ୍ରତିବର୍ଷ ଏହି ସବୁ ଅନୁଷ୍ଠାନକୁ ସରକାରୀ ସ୍ତରରେ ପଞ୍ଜିକୃତ କରାଯାଉଛି ଏବଂ ସେମାନେ ନିର୍ଦ୍ଧିଷ୍ଟ ପରିମାଣର ଅର୍ଥ ବିନିମୟରେ ନିଜ ଅନୁଷ୍ଠାନକୁ ପରିଚାଳନା କରୁଛନ୍ତି୤ କିନ୍ତୁ ପ୍ରତିବର୍ଷ ସରକାର ନୂଆ ନୂଆ ନିୟମମାନ ପ୍ରଣୟନ କରିବା ଦ୍ବାରା ଏହି ଅନୁଷ୍ଠାନ ମାନେ ଅଯଥାରେ ହଇରାଣ ହେଉଛନ୍ତି୤ ଯେମିତି କି ୨୦୧୫ ପର୍ଯ୍ୟନ୍ତ କୌଣସି ସ୍ବାସ୍ଥ୍ୟ ସେବା ଅନୁଷ୍ଠାନକୁ ଅଗ୍ନିଶମନ ପାଇଁ କୌଣସି ନିୟନ ନଥିଲା, ହେଲେ ହଠାତ୍ ସରକାର ନିୟମ ଜାରୀ କରିଲେ ଏବଂ ଉଣାଅଧିକ ସମସ୍ତ ଅନୁଷ୍ଠାନ ଏହାକୁ ପାଳନ କରିବାକୁ ଆଗଭର ହେଲେ, କିନ୍ତୁ ଏତେ ସଂଖ୍ୟକ ବେସରକାରୀ ସଂସ୍ଥାକୁ ନିରୀକ୍ଷଣ କରିବା ଏବଂ ସେମାନଙ୍କୁ ଅନୁମୋଦନ ପତ୍ର ଦେବାକୁ ଅଧିକାରୀମାନେ ତତ୍ପରତା ଦେଖାଇଲେ ନାହିଁ, ସେଇଥିପାଇଁ ଅନେକ ନର୍ସିଂ ହୋମର ପଞ୍ଜିକରଣ ନ ହୋଇ ରହିଛି୤ ନିୟମ ମୁତାବକ ପ୍ରତ୍ୟେକ ନର୍ସିଂ ହୋମ ବାର୍ଷିକ ପଞ୍ଜିକରଣର ଅନ୍ୟୁନ ତିନିମାସ ପୂର୍ବରୁ ଆବେଦନ କରୁଥିଲେ ସୁଦ୍ଧା କିଛି ଅନୁଷ୍ଠାନର ପଞ୍ଜିକରଣ ବିଗତ ଅନେକ ବର୍ଷ ଧରି ଚାପି ରଖିଦିଆଯାଇ ସେମାନଙ୍କୁ ଅଯଥାରେ ହଇରାଣ କରାଯାଉଛି୤

ବର୍ତ୍ତମାନ ଭୁବନେଶ୍ବର ଠାରେ ସମ୍ ହସପିଟାଲରେ ଅଗ୍ନିକାଣ୍ଡ ଘଟିବା ପରେ ଘଟଣାକ୍ରମରେ ଅନୁଷ୍ଠାନର ଅଧ୍ୟକ୍ଷ ଡା ମନୋଜ ନାୟକଙ୍କୁ ଗିରଫ କରାଯାଇଛି୤ ଏହା ଏତେ ଶୀଘ୍ର କରାଯାଇଛି, ଯେ ଜଣାପଡୁଛି ଏହା ପଛରେ ରାଜନୈତିକ କିମ୍ବା ଅନ୍ୟ କୌଣସି ଉଦ୍ଦେଶ୍ୟ ନିଶ୍ଚୟ ରହିଛି୤ କାରଣ ବିଗତ ବର୍ଷରେ କଟକ ବଡ଼ ମେଡ଼ିକାଲ, ଶିଶୁଭବନରେ ମଧ୍ୟ ଅଗ୍ନିକାଣ୍ଡ ଘଟିଛି ଏବଂ ସେତେବେଳେ ଏହାପାଇଁ କୌଣସି ଉଚ୍ଚ ପଦସ୍ଥ ଅଧିକାରୀଙ୍କୁ ଗିରଫ କରାଯାଇନାହିଁ, ତା ହେଲେ ବେସରକାରୀ ହସପିଟାଲରେ ଦୁର୍ଘଟଣା ଘଟିଲେ ସେଥିପାଇଁ ଅଧ୍ୟକ୍ଷଙ୍କୁ ଗିରଫ କରାଯିବା, କେତେଦୂର ଯୁକ୍ତିଯୁକ୍ତ? ରେଳ ଦୁର୍ଘଟଣା ହେଲେ ରେଳମନ୍ତ୍ରୀଙ୍କୁ ଗିରଫ କରାଯାଉଛି କି ? ଦୁର୍ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତର ଆଦେଶ ନ ଦିଆଯାଇ, ତରବରିଆ ଭାବରେ ହସପିଟାଲର ଅଧ୍ୟକ୍ଷଙ୍କୁ ଗିରଫ କରାଯିବା, ରାଜ୍ୟରେ ଥିବା ବେସରକାରୀ ସ୍ବାସ୍ଥ୍ୟସେବା ସଂସ୍ଥାର ଫୋରମ ଦ୍ବାରା ନିନ୍ଦା କରାଯାଇଛି୤

ଶୁଣା ଯାଉଛି, ଏହି ଦୁର୍ଘଟଣା ପରେ ଏହି ହସପିଟାଲକୁ ବନ୍ଦ କରିଦେବାପାଇଁ କିଛି ରାଜନୈତିକ ଚାପ ସୃଷ୍ଟି ହୋଇଛି, ସେପରି ଯଦି ଦୁଏ, ତେବେ ଏହା ଆମ ରାଜ୍ୟରେ ସ୍ବାସ୍ଥ୍ୟସେବାକୁ ଦୁର୍ବଳ କରିଦେବ୤ କୌଣସି ସଂସ୍ଥା ଓଡ଼ିଶାରେ ନିବେଶ କରିବାକୁ ଇଚ୍ଛା ପ୍ରକଟ କରିବେ ନାହିଁ୤ ପୂର୍ବପରି ଓଡ଼ିଶାରୁ ରୋଗୀମାନେ ପୁଣି ଥରେ ବିଶାଖାପାଟଣା ଏବଂ କଲିକତା କିମ୍ବା ରାଇପୁର ଭଳି ସହର ମାନଙ୍କୁ ଯିବାକୁ ବାଧ୍ୟ ହେବେ୤ ସରକାରୀ ହସପିଟାଲରେ ଅଗ୍ନିଶମନ ବ୍ୟବସ୍ଥା ନାହିଁ ବୋଲି ସମ୍ବାଦ ବିଗତ କେଇ ଦିନ ହେବ ବିଭିନ୍ନ ସମ୍ବାଦପତ୍ରରେ ପ୍ରକାଶିତ ହୋଇଛି୤ ଏହାକୁ ଦେଖି, କେବଳ ବେସରକାରୀ ସଂସ୍ଥା ଉପରେ କଡ଼ା ପଦକ୍ଷେପ ନେବା ଏବଂ ସରକାରୀ ସଂସ୍ଥାକୁ ଛାଡ଼ ଦେଇଦେବା ଅନ୍ୟାୟ ପରି ମନେ ହେଉଛି୤ ଓଡ଼ିଶାର ତିନୋଟି ମେଡ଼ିକାଲ କଲେଜରେ ମଧ୍ୟ ଅଗ୍ନିଶମ ବ୍ୟବସ୍ଥା ନାହିଁ, ଭୁବନେଶ୍ବରରେ ଥିବା କ୍ୟାପିଟାଲ୍ ହସପିଟାଲରେ ମଧ୍ୟ ନାହିଁ, ବୋଲି ଶୁଣାଯାଉଛି୤ ତା ହେଲେ ସେହି ସବୁ ହସପିଟାଲକୁ ବନ୍ଦ କରାଯିବ ନାହିଁ କାହିଁକି ? ସେଠାରେ ଯଦି ଅଗ୍ନିକାଣ୍ଡ ଘଟେ ତା ହେଲେ ହୁଏତ ତାହା ବର୍ତ୍ତମାନର ଘଟଣାଠାରୁ ଅଧିକ ଭୟଙ୍କର ହୋଇପାରେ ବୋଲି ସମସ୍ତେ ମତ ଦେଉଛନ୍ତି୤ ଓଡ଼ିଶାର ସମସ୍ତ ସରକାରୀ ବଡ଼ ହସପିଟାଲ୍ ଦୁର୍ବଳ ଅବସ୍ଥାରେ ଅଛନ୍ତି୤ ସେହି ସବୁ ସ୍ଥାନରେ ଅଗ୍ନିକାଣ୍ଡ କିମ୍ବା ଅନ୍ୟକୌଣସି ଦୁର୍ଘଟଣା ହୁଏତ ବିସ୍ମୟାତୀତ ଭାବରେ ଘାତକ ହୋଇପାରେ, ସେ ସବୁ ବିଷୟରେ ସରକାର କଣ ପଦକ୍ଷେପ ନେଉଛନ୍ତି?
ଆଶା କରୁଛୁ, ବର୍ତ୍ତମାନର ଘଟଣା ପରେ ସରକାରଙ୍କ ଚେତା ଫେରିବ ଆଉ ସେ ବିଭିନ୍ନ ବେସରକାରୀ ନର୍ସିଂ ହୋମ ଏବଂ ସ୍ବାସ୍ଥ୍ୟସେବା ଅନୁଷ୍ଠାନର ପଞ୍ଜିକରଣ ତୁରନ୍ତ କରାଇବାପାଇଁ ଚେଷ୍ଟା କରିବେ୤ ଅଗ୍ନିଶମ ପାଇଁ ନୂତନ ଗାଇଡ଼ଲାଇନ୍ ପ୍ରସ୍ତୁତ କରିବେ୤ ସ୍ବାସ୍ଥ୍ୟସେବାକୁ ସୁଚାରୂ ରୂପେ ଯୋଗାଇବା ପାଇଁ ବେସରକାରୀ ସଂସ୍ଥାମାନଙ୍କୁ ଯଥାସମ୍ଭବ ସହାୟତା କରିବେ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤