ଭୂଲରେ ସୁଧା ଆଉ ସହାନୁଭୂତି ଦେଖାଇବିନି

ଜାଣନ୍ତୁ କାହିଁକି ଜଣେ ଜୀବନଦାତା ଡାକ୍ତର ଏମିତି କହିଲେ !

ସମାଜ | 15 ମିନିଟ୍‌ରେ ପଢ଼ନ୍ତୁ | 31 Jul, 2017
ସମୁଦାୟ 2721 ଜଣ ପଢ଼ିଛନ୍ତି

ବର୍ଷ ୨୦୧୫ର ଶେଷ ସପ୍ତାହ, ଶୀତଛୁଟି କାଟିବା ପାଇଁ  ଜଣେ ଡାକ୍ତର ନିଜ ପରିବାର, ପତ୍ନୀ ଓ ଦୁଇବର୍ଷର ପୁଅକୁ ଧରି ଶ୍ରୀ ଜଗନ୍ନାଥପୁରୀ ଯାଇଥିଲେ ମହାପ୍ରଭୂଙ୍କ ଦର୍ଶନ ପାଇଁ୤ ଦର୍ଶନପରେ ସନ୍ଧ୍ୟାରେ ଭୁବନେଶ୍ବର ଫେରୁଥିବା ବେଳେ ଅନ୍ଧାର ହୋଇଯାଇଥିଲା୤ ଡାକ୍ତରବାବୁ ଅତ୍ୟନ୍ତ ସାବଧାନତାର ସହ ନିଜ କାରରେ ଘରକୁ ଫେରୁଥିବା ବେଳେ ଗୋଟିଏ ଅଘଟଣ ଘଟିଲା୤ ଅନ୍ଧାର ରାସ୍ତାରେ ହଠାତ ରାଷ୍ଟ୍ରୀୟ ରାଜପଥ ଉପରକୁ ଦଉଡ଼ି ଆସିଲା ବାଳିକାଟିଏ୤ ଦୂର୍ଘଟଣାକୁ ଏଡ଼ାଇବାକୁ ପାରୁପଣେ ଚେଷ୍ଟା କରିବା ସତ୍ତ୍ବେ ଝିଅଟି ଗାଡ଼ିରେ ଧକା ଖାଇ ରାସ୍ତା ପାର୍ଶ୍ବରେ ପଡ଼ିଗଲା୤ ଏହାକୁ ଦେଖି ସ୍ତବ୍ଧ ହୋଇଗଲେ ଡାକ୍ତର ଦମ୍ପତି୤ କଣ କରାଯିବ? ଏପାଖ ସେପାଖ ଦେଖିଲେ କେହି କେଉଁଠି ଦେଖାଯାଉ ନାହାନ୍ତି୤ ପିଲାକୁ ସେମିତି ଅବସ୍ଥାରେ ଛାଡ଼ିଦେଇ ଚାଲିଯିବା ଉଚିତ ହେବନି ବୋଲି ସେମାନେ ଝିଅଟିକୁ ନିଜ ଗାଡ଼ିରେ ନେଇ ନିକଟସ୍ଥ ଛକରେ ତା ପରିଚୟ ବୁଝିଲେ ଓ ତା ପିତାମାତାଙ୍କୁ ଖବର ଦେଇ ଚନ୍ଦନପୁରରେ ଥିବା ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇଗଲେ୤ ସେଠି ଡାକ୍ତର ଝିଅଟିର ଚିକିତ୍ସାପାଇଁ ଅସହାୟତା ପ୍ରକାଶ କରିବାପରେ ତାକୁ ନେଇ ସେମାନେ ପୁରୀ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଗଲେ, ପ୍ରାଥମିକ ସୁଶ୍ରୁଷାପରେ ତାକୁ ଅଧିକ ଚିକିତ୍ସାପାଇଁ କଟକ ବଡ଼ ମେଡ଼ିକାଲକୁ ପଠାଇ ଦିଆଗଲା୤
Road Traffic Accident
ଡାକ୍ତରବାବୁ ଶାନ୍ତିରେ ନିଃଶ୍ବାସ ମାରୁଥିଲେ ହେଲେ ଝିଅଟିର ବାପା ଅନୁରୋଧ କରିଲେ ଯେ ଯେହେତୁ ଡାକ୍ତରବାବୁ ଭୁବନେଶ୍ବରର ଏକ ଘରୋଇ ହସପିଟାଲରେ କାମ କରନ୍ତି, ଯଦି ସେ ଝିଅକୁ ସେଇଠି ରଖି ଚିକିତ୍ସା ବ୍ୟବସ୍ଥା କରନ୍ତେ ତେବେ ଝିଅଟି ଶୀଘ୍ର ଭଲ ହୋଇଯାଆନ୍ତା୤ ଡାକ୍ତରବାବୁ ରାଜି ହୋଇଗଲେ ଏବଂ ଝିଅଟିକୁ ନେଇ ଭୁବନେଶ୍ବର ସମ୍ ହସପିଟାଲରେ ଭର୍ତ୍ତି କରିଦେଲେ୤ ଏହାପରେ ଝିଅଟିର ଚିକିତ୍ସାରେ ଅର୍ଥ ପାଣିପରି ଖର୍ଚ୍ଚ ହେବାକୁ ଲାଗିଲା୤ ଝିଅଟିର ବାପା ଗରୀବ ଓ ଆର୍ଥିକ ଭାବରେ ଅସମର୍ଥ ବୋଲି ଜଣାଇବା ପରେ ଡାକ୍ତରବାବୁ ନିଜ ଆଡ଼ୁ ସମସ୍ତ ଚିକିତ୍ସା କରିବାପରେ ପ୍ରାୟ ଦୁଇ ଲକ୍ଷଟଙ୍କା ଖର୍ଚ୍ଚ କରିବାପରେ ଆଉ ଖର୍ଚ୍ଚ କରିବା ଅବସ୍ଥାରେ ନଥିଲେ, ତେଣୁ ସେ ରାଜ୍ୟ ସରକାରଙ୍କୁ ଏ ବିଷୟରେ ଜଣାଇଲେ୤ ସରକାରଙ୍କ ତରଫରୁ ପାଣ୍ଠିର ବ୍ୟବସ୍ଥା କରିଦିଆଗଲା, କିନ୍ତୁ ମିଳିଲା ନାହିଁ୤ ଅଗତ୍ୟା ସମ୍ ହସପିଟାଲ ଅଧିକାରୀମାନେ ଦୟାପରବଶ ଝିଅଟିର ଚିକିତ୍ସା ଜାରୀ ରଖିଲେ୤

ଦୁର୍ଘଟଣା ପରଦିନ ଡାକ୍ତରବାବୁ ନିଜ ଗାଡ଼ିର କାଗଜପତ୍ର ଧରି ଚନ୍ଦନପୁର ଥାନାରେ ଆତ୍ମସମର୍ପଣ କରି ବେଲ୍ ବଣ୍ଡରେ ଆସିଥିଲେ୤ ସେ ଜଣେଇଲେ ଯେ ଯେହେତୁ ତାଙ୍କ ଗାଡ଼ିର ଜୀବନବୀମା କରାଯାଇଛି ତେଣୁ ଯଦି ସେ ଝିଅଟିର ବାପା ଚାହାନ୍ତି ତେବେ ସେ ଏଥିପାଇଁ ନିବେଦନ କରିଲେ ତାଙ୍କୁ ଝିଅଟିର ଚିକିତ୍ସା ଖର୍ଚ୍ଚ ମିଳିଯିବ୤ କିନ୍ତୁ ଟଙ୍କା ମିଳିବା କଥା ଶୁଣିବାପରେ ଝିଅଟିର ବାପାଙ୍କର ସ୍ବର ବଦଳିଗଲା୤

ସେ ଡାକ୍ତରଙ୍କୁ ପରୋକ୍ଷରେ ଜଣେଇ ଦେଲେ ଯେ ଯେହେତୁ ସେ ଦୁର୍ଘଟଣା ଘଟାଇଛନ୍ତି ତେଣୁ ଝିଅର ସମସ୍ତ ଚିକିତ୍ସା ଖର୍ଚ୍ଚ ସେ ହିଁ ବହନ କରିବେ, ଆଉ ଜୀବନବୀମା ବାବଦକୁ ମିଳିବାକୁ ଥିବା ସବୁ ଟଙ୍କା ସେ ତାଙ୍କୁ ଦେଇଦେବେ୤ ସେ ଅନେକ ମାସ ହେଲା ଝିଅର ଚିକିତ୍ସା ପାଇଁ ହସପିଟାଲରେ ରହୁଥିବାରୁ ତାଙ୍କର ଘର ଚଳିବା ପାଇଁ ମଧ୍ୟ ଡାକ୍ତରବାବୁ ହିଁ ପଇସା ଦେବେ୤ ଏ ସବୁକୁ ମିଶେଇ ଅନ୍ୟୁନ ପାଞ୍ଚଲକ୍ଷ ଟଙ୍କା ସେ ଦାବୀ କରିଲେ୤ ଏହି ଅବାନ୍ତର ଦାବୀପରେ ଡାକ୍ତରବାବୁଙ୍କ ଧୈର୍ଯ୍ୟଚ୍ୟୁତି ଘଟିଥିଲା କିନ୍ତୁ ସେତେବେଳକୁ ଝିଅର ବାପା ନିଜ ଗାଁ ଲୋକଙ୍କୁ ନେଇ ସମ୍ ହସପିଟାଲ ସମ୍ମୁଖରେ ଧାରଣା ଦେଇ ମାମଲାକୁ ଜଟିଳ କରିଦେଲେ୤ ଏହାପରେ ଡାକ୍ତରବାବୁଙ୍କୁ ଅନେକ ମହଲରୁ ଅନେକ ଅଜଣା ନମ୍ବରରୁ ବାରମ୍ବାର ଧମକ ମିଳିବାକୁ ଲାଗିଲା୤ ପାଞ୍ଚ ଲକ୍ଷଟଙ୍କା ଦିଅ ନହେଲେ ତୁମକୁ ମାରିଦେବୁ, ଇତ୍ୟାଦି ଅନେକ ଧମକି ଶୁଣିବା ପରେ ଡାକ୍ତରବାବୁ ଚିନ୍ତାରେ ପଡ଼ିଛନ୍ତି୤

ଝିଅଟିକୁ ହସପିଟାଲରେ ଛାଡ଼ିଦେଇ ତା ପିତାମାତା ଚାଲିଯାଇଛନ୍ତି ଆଉ ହସପିଟାଲ୍ ବାହାରେ ଧାରଣା ଓ ଆନ୍ଦୋଳନ କରିବା ଧମକ ଦେଉଛନ୍ତି୤ ରାଜ୍ୟ ସରକାର ଏଇ ମାମଲାରେ ଝିଅଟିର ସମସ୍ତ ଚିକିତ୍ସାଖର୍ଚ୍ଚ ବହନ କରିବେ ବୋଲି କହିଥିଲେ ସୁଦ୍ଧା ପାହୁଲାଟିଏ ଦେଇନାହାନ୍ତି, ଏଣେ ଡାକ୍ତରବାବୁ ଶାନ୍ତିରେ ଶୋଇ ପାରୁନାହାନ୍ତି୤

ଝିଅର ପିତାଙ୍କ ତରଫରୁ ଡାକ୍ତରଙ୍କ ବିରୋଧରେ ମାମଲା ରୁଜୁ କରାଯାଇ ଡାକ୍ତରବାବୁ ବେପରବାୟ ଗାଡ଼ି ଚାଳନା କରୁଥିଲେ ବୋଲି କୁହାଯାଇ ଦଫା ଲଗେଇ ଦିଆଯାଇଛି୤ ପ୍ରଶ୍ନ ଉଠୁଛି, ଡାକ୍ତରବାବୁ ଗାଡ଼ି କେତେ ବେଗରେ ଚଳାଉଥିଲେ ତାହା ପ୍ରମାଣ ହୋଇନପାରେ, କିନ୍ତୁ ଅନ୍ଧାରରେ ରାଷ୍ଟ୍ରୀୟ ରାଜପଥ ଉପରେ ଅଭିଯୁକ୍ତଙ୍କ ଝିଅ କାହିଁକି ଦଉଡ଼ୁଥିଲା ? ଅନ୍ଧାର ରାସ୍ତା ଏବଂ ପୁରୀ ଭୁବନେଶ୍ବର ରାଜରାସ୍ତାରେ ଯାନବାହାନଙ୍କ ଗତିଶୀଳତା କେତେ ତାହା କଣ ଝିଅର ବାପା ମାଆ ଜାଣିନଥିଲେ, ସେମାନେ କାହିଁକି ଝିଅକୁ ରାସ୍ତା ଉପରକୁ ଛାଡ଼ିଥିଲେ?

ସେ ଯା ହେଉ, ବିଗତ ଛଅ ମାସ ହେଲା ଏହି ମାମଲାରେ ଫସିରହି ଡାକ୍ତରବାବୁଙ୍କ ଧୈର୍ଯ୍ୟ ସମ୍ପୂର୍ଣ୍ଣ ଭାବରେ ଭାଙ୍ଗିଯାଇଛି ଆଉ ସେ ମନେ ମନେ ନିଶ୍ଚୟ ଚିନ୍ତା କରୁଥିବେ, ଭୂଲରେ ସୁଦ୍ଧା ଆଉ କେବେ ସହାନୁଭୂତି ଦେଖାଇବି ନାହିଁ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤