ଯଦି ସୀତା ଅଗ୍ନିପରୀକ୍ଷା ଦେଇନଥାନ୍ତେ ?

କଣ ହୋଇଥାନ୍ତା ଯଦି ସତୀସୀତା ଅଗ୍ନି ପରୀକ୍ଷା ଦେବାକୁ ମନା କରିଦେଇଥାନ୍ତେ ?

ସମାଜ | 10 ମିନିଟ୍‌ରେ ପଢ଼ନ୍ତୁ | 31 Jul, 2017
ସମୁଦାୟ 737 ଜଣ ପଢ଼ିଛନ୍ତି

Ramayan has a story


ହଜାର ହଜାର ବର୍ଷ ତଳର ଏକ ମହାନ ଗ୍ରନ୍ଥ ରାମାୟଣର ଏକ ପର୍ବ୤ ଦୁଷ୍ଟ ରାବଣକୁ ବଧକରି ରାମ ସୀତାଙ୍କୁ ଲଙ୍କାରୁ ମୁକ୍ତ କରିଦେଇଥିଲେ୤ ରାମସୀତାଙ୍କୁ ନେଇ ଚଉଦବର୍ଷର ବନବାସରେ ଯାଇଥିଲେ, ଏବଂ ଏହି ଚଉଦବର୍ଷରୁ ତେରବର୍ଷ ଦଶମାସ ସେମାନେ ଘଞ୍ଚ ଅରଣ୍ୟରେ ଯାପନ କରିବାପରେ ଶେଷ ଦୁଇମାସରେ ହିଁ ସୀତାଙ୍କ ହରଣ ହୋଇଥିଲା୤ ଏବଂ ଏହି ଦୁଇ ମାସର ଘଟଣା ସମସ୍ତେ ଅତି ଆଶ୍ଚର୍ଯ୍ୟ ଓ ରୋମାଞ୍ଚକର ମନେ କରି ଶୁଣନ୍ତି୤ କେମିତି ହନୁମାନ ସମୁଦ୍ର ଉପରେ ଲମ୍ଫ ଦେଇ ଲଙ୍କାକୁ ଗଲେ, ସୁନାର ଲଙ୍କା କେମିତି ଜଳିଲା, ବାଳି ସୁଗ୍ରୀବ ଯୁଦ୍ଧ, ସେତୁବନ୍ଧ ନିର୍ମାଣ, ଇନ୍ଦ୍ରଜିତ ବଦ୍ଧ ଇତ୍ୟାଦି ଅନେକ ଗୁରୁତ୍ତ୍ବପୂର୍ଣ୍ଣ ଘଟଣାରେ ଏହା ସମୃଦ୍ଧ, ଏହି ସବୁ ମଧ୍ୟରେ ରହିଛି ଅଗ୍ନିପରୀକ୍ଷା୤

କିନ୍ତୁ ଅଗ୍ନିପରୀକ୍ଷା କାହିଁକି ?

ସୀତାଙ୍କୁ ଲଙ୍କାରୁ ମୁକ୍ତ କରିବାପରେ ଯୁଦ୍ଧର ପରିସମାପ୍ତି ହୋଇଥିଲା ଏବଂ ଲଙ୍କାରେ ବିଭିଷଣଙ୍କୁ ରାଜପାଠ ଦାନ କରି ରାମ, ଲକ୍ଷ୍ମଣ ଓ ସୀତା ଅଯୋଧ୍ୟା ପ୍ରତ୍ୟାଗମନ କରିବାର ପୂର୍ବରୁ ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବାପାଇଁ କୁହାଗଲା୤ ଏହାର ବୈଜ୍ଞାନିକ କାରଣକୁ ଆମେ ସମର୍ଥନ କରୁ, ଆମ ମତରେ ଯେହେତୁ ସୀତା ଏକ ଅସୁର ରାଜ୍ୟରେ ଥିଲେ ତେଣୁ ସମ୍ଭବତଃ ତାଙ୍କ ଦେହରେ କୌଣସି ପ୍ରକାର ବିଚିତ୍ର ଜୀବାଣୁ, ବୀଜାଣୁ ବା କିଟାଣୂ ପ୍ରବେଶ କରିଥାଇ ପାରେ ଏବଂ ଆମେ ବିଜ୍ଞାନାଗାରରେ ଯେମିତି ନିଆଁରେ ଦେଖାଇ ସବୁ ଜିନିଷକୁ ସଂକ୍ରମଣଶୂନ୍ୟ କରିଦେଇ, ହୁଏତ ରାମ ସେଇ ଆଶାରେ ସୀତାକୁ ଅଗ୍ନିରେ ପ୍ରବେଶ କରିବା କଥା କହିପାରିଥାନ୍ତି୤ କିନ୍ତୁ ଅଧିକାଂଶଙ୍କ ମତରେ ସୀତାଙ୍କ ସତୀତ୍ବର ପରୀକ୍ଷାପାଇଁ ଅଗ୍ନିରେ ପ୍ରବେଶ କରିବାକୁ କୁହାଯାଇଥିଲା୤

ଯେଉଁ ନାରୀ ନିଜର ସମସ୍ତ ସୁଖସ୍ବଚ୍ଛନ୍ଦ ତ୍ୟାଗକରି ଦୀର୍ଘ ତେରବର୍ଷ ଦଶମାସ କାଳ ଅରଣ୍ୟରେ ବିତେଇ ପାରିଲା ସେ କାହିଁକି ମାତ୍ର ଦୁଇମାସରେ ଲଙ୍କାର ଭବ୍ୟ ସ୍ବର୍ଣ୍ଣୀମ ରାଜ୍ୟକୁ ଦେଖିବ ନିଜର ସତୀତ୍ବକୁ ହରେଇବ ? ଏମିତି ଥିଲେ ସେ ହୁଏତ ଅଯୋଧ୍ୟାରେ ରହିବାକୁ ପସନ୍ଦ କରିଥାନ୍ତେ୤ ବଣକୁ ଯିବାକୁ ଜିଦ୍ କଦାପି କରିନଥାନ୍ତେ୤

ରାମାୟଣର ଲେଖକ ଜଣେ ପୁରୁଷ ତେଣୁ ସେ ହୁଏତ ନାରୀର ଅନ୍ତରାତ୍ମାର କୋହକୁ ଶୁଣିବାକୁ ସକ୍ଷମ ହୋଇ ପାରିନଥିଲା୤ ନହେଲେ, ମର୍ଯ୍ୟାଦା ପୁରୁଷୋତ୍ତମ ରାମଙ୍କ ପତ୍ନୀଙ୍କୁ ସର୍ବସମ୍ମୁଖରେ ଅଗ୍ନିପରୀକ୍ଷା ଦେବା ଭଳି ଚିନ୍ତା କେଉଁଠୁ ଆସିଥାନ୍ତା୤ ସତୀତ୍ବ କଣ କେବଳ ଶାରୀରିକ ଅବସ୍ଥା? ମାନସିକ ସତୀତ୍ବର ପରୀକ୍ଷା କେଉଁ ଅଗ୍ନି ନେଇ ପାରିଥାନ୍ତା ? ସୀତା ଚାହିଁଥିଲେ କହିପାରିଥାନ୍ତେ, ନା ମୁଁ ଏମିତି ପରୀକ୍ଷାରେ ବିଶ୍ବାସ କରେନାହିଁ୤ ଆଉ ଆପଣ ମୋ ସତୀତ୍ବର ପରୀକ୍ଷା କାହିଁକି ନେବାକୁ ଚାହୁଁଛନ୍ତି ?

କିନ୍ତୁ ସେ ସେମିତି କରିନଥିଲେ, କାରଣ ରାମାୟଣକୁ ଜଣେ ମହିଳା ନୁହେଁ ବରଂ ଜଣେ ପୁରୁଷ ଲେଖିଥିଲେ୤ ସେ କେମିତିବା ଜଣେ ନାରୀର ଅନ୍ତରର କଥାକୁ ବୁଝିପାରିବେ ? ତେଣୁ ରାମାୟଣର ପ୍ରାରମ୍ଭରେ ମାଟିତଳୁ ଉଦ୍ଧାର ହୋଇଥିବା ଅନାଥ ଝିଅ ସୀତା, ଯୁବତୀ ଅବସ୍ଥାରେ ନିଜ ପତିଙ୍କ ସହ ଜଙ୍ଗଲରେ ଜୀବନ ଯାପନ କରି ଦୁର୍ଦ୍ଦାନ୍ତ ରାବଣ ଦ୍ବାରା ଅପହୃତା ହୋଇ, ଶେଷ ଜୀବନରେ ଆତ୍ମହତ୍ୟା ପ୍ରବଣ ହୋଇ ପଡ଼ିଥିଲେ କାହିଁକି ? ରାମକୁ ଆମେ ମର୍ଯ୍ୟାଦା ପୁରୁଷୋତ୍ତମ ବୋଲି ପ୍ରମାଣ କରିବାକୁ ଯାଇ, ସୀତାଙ୍କ ପ୍ରତି ଅନ୍ୟାୟ କରିନାହେଁ ତ ? ତ୍ରେତୟାରେ ମଧ୍ୟ କନ୍ୟା ଭୃଣକୁ ମାଟି ତଳେ ପୋତିଦେବାର ପ୍ରଥା ଥିଲା୤ ତା ହେଲେ ଏହି ଯୁଗରେ କନ୍ୟାଭୃଣ ହତ୍ୟା ହେବାକୁ ଆଶ୍ଚର୍ଯ୍ୟର ଦୃଷ୍ଟିରେ ଦେଖିବା କେମିତି୤ ହୁଏତ ଏବେ ଯେଉଁମାନେ କନ୍ୟାଭୃଣ ହତ୍ୟା କରୁଛନ୍ତି ସେମାନେ ରାମାୟଣରୁ ଉଦାହରଣ ପାଇଥିବେ, ଏବଂ ଏହା ବୃଦ୍ଧିପାଇଥିବ୤ ଯଦି ରାମାୟଣରେ ରାମ ସ୍ନେହରେ ସୀତାଙ୍କୁ ଆପଣେଇ ନେଇଥାନ୍ତେ ସେ ଉଦାହରଣ ସୃଷ୍ଟି କରିଥାନ୍ତେ୤ ଯୁଗଯୁଗରୁ ପତ୍ନୀକୁ ଦାସୀ ଭାବରେ ଦେଖି ଆସିଥିବା ସମାଜରେ ହୁଏତ ଆଜି ସମାନ ଅଧିକାର ମିଳୁଥାନ୍ତା୤ କିନ୍ତୁ ହାୟ, ସେମିତି ହୋଇଲା ନାହିଁ୤ ସୀତାଙ୍କୁ ଅଗ୍ନି ପରୀକ୍ଷା ଦେବାକୁ ହିଁ ପଡ଼ିଲା୤ ସେ ବା କଣ କରିଥାନ୍ତେ୤ ସେତେବେଳେ ବି ପୁରୁଷ ପ୍ରଧାନ ସମାଜ ଥିଲା ଆଉ ଆଜି ବି ଅଛି୤ ଆଜି ବି ଅନେକ ସୀତା ନିଜର ସତୀତ୍ବର ପରୀକ୍ଷା ଦେଉଛନ୍ତି୤ ଅନେକ ଆତ୍ମହତ୍ୟା କରୁଛନ୍ତି ମଧ୍ୟ୤ ରାମାୟଣରେ ସାମାନ୍ୟ ପରିବର୍ତ୍ତନ ହୋଇଥିଲେ ଆଜି ଯୁଗ ବଦଳି ଯାଇଥାନ୍ତା୤

ସତରେ ଯଦି ସୀତା ଅଗ୍ନି ପରୀକ୍ଷା ଦେବାପାଇଁ ମନା କରିଦେଇଥାନ୍ତେ, ହୁଏତ ରାମାୟଣର ସ୍ରଷ୍ଟା ତାଙ୍କୁ ରାମଙ୍କ ଦ୍ବାରା ପ୍ରତ୍ୟାଖ୍ୟାନ କରିବା ଭଳି ଅବସ୍ଥା ସୃଷ୍ଟି କରିଦେଇଥାନ୍ତେ, କାରଣ ସେ ପୁରୁଷ ଥିଲେ, ସେ କେମିତି ସହିଥାନ୍ତେ ଜଣେ ନାରୀ ପୁରୁଷର ନିର୍ଦ୍ଦେଶକୁ ଅବମାନନା କରିବ୤ ସୀତା ସତୀ ହୋଇଥାଆନ୍ତୁ, କିନ୍ତୁ ସେ କେବେ ବି ରାମଙ୍କ ଠାରୁ ତ ଉର୍ଦ୍ଧ୍ବରେ ନଥିଲେ ନା ହେବେ୤ ସେଇଥି ପାଇଁ ବୋଧହୁଏ ସୀତା ପୁଣିଥରେ ଧରିତ୍ରୀରେ ଆତ୍ମଦାହ ଦେଇଥିଲେ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤