ହରିଆଣା ସରକାର ନା ଖାପ୍ ପଞ୍ଚାୟତ !!!

ହରିଆଣା ସରକାରଙ୍କ ଶିକ୍ଷକଙ୍କ ପାଇଁ ନିର୍ଦ୍ଦେଶ ଯାହା ଜାରୀ ହେଲାନାହିଁ

ବ୍ୟଙ୍ଗ | 10 ମିନିଟ୍‌ରେ ପଢ଼ନ୍ତୁ | 02 Aug, 2017
ସମୁଦାୟ 2793 ଜଣ ପଢ଼ିଛନ୍ତି

Jeans is a strict no in Haryana
ହରିଆଣା ସରକାର ବହୁ ପ୍ରଚଳିତ ଖାପ୍ ପଞ୍ଚାୟତ ପରି ଏକ ନିର୍ଦ୍ଦେଶନାମା ଜାରୀ କରିଥିଲେ, ଯେଉଁଥିରେ ବିଦ୍ୟାଳୟର ଶିକ୍ଷକମାନେ ଜିନ୍‌ସ୍ ପିନ୍ଧିବା ଉପରେ କଟକଣା ଜାରୀ କରାଯାଇଥିଲା

ନିକଟ ଅତୀତରେ ହରିଆଣା ସରକାର ଶିକ୍ଷା ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆଣିବା କଥା କହିଛନ୍ତି୤ ବିଦ୍ୟାଳୟ ପାଠ୍ୟକ୍ରମରୁ ରାଜ୍ୟର ମହାପୁରୁଷମାନଙ୍କ ଜୀବନକୁ ବାଦ ଦିଆଯିବା ଏବଂ ପରେ ପରେ ପୁଣି ଥରେ ଅନ୍ତର୍ଭୂକ୍ତ କରିବା, ପୁଣି ପାଠ୍ୟକ୍ରମରେ ଭଗବତ୍ ଗୀତାକୁ ମିଶ୍ରଣ କରିବା ଇତ୍ୟାଦି ଏବଂ ଏ ସବୁରୁ ଯେତେବେଳେ ମନ ଭରିଲା ନାହିଁ ସେମାନେ ଫତୁଆ ଜାରି କରିଦେଲେ୤ ସ୍କୁଲ୍ ଶିକ୍ଷକମାନେ ଜିନ୍‌ସ ପିନ୍ଧିବେ ନାହିଁ୤ ହରିଆଣାରେ ସେମିତିରେ ବି ଜିନ୍‌ସ ଉପରେ ଅନେକ ପ୍ରତିବନ୍ଧ ରହିଛି୤ ଝିଅମାନେ ଜିନ୍‌ସ ପିନ୍ଧିବେନି, ମୋବାଇଲ୍ ଧରିବେନି, ଇତ୍ୟାଦି ଅଦ୍‌ଭୂତ ନିୟମ ସବୁ ଖାପ୍ ପଞ୍ଚାୟତ ଦ୍ବାରା ଜାରି କରାଯାଉଛି୤ କିନ୍ତୁ ହରିଆଣା ସରକାରଙ୍କ ନୂଆ ନିୟମକୁ ଦେଖିଲା ଲାଗୁଛି ହରିଆଣାରେ ବହୁମତ ସରକାର ନୁହଁ ବରଂ ଖାପ୍ ପଞ୍ଚାୟତ ଚାଲିଛି୤
Tight Jeans for Women

ଶିକ୍ଷା ବିଭାଗର ଏହି ନିର୍ଦ୍ଦେଶନାମାରେ କୁହାଯାଇଛି - ‘ସରକାରୀ ପ୍ରାଥମିକ ଏବଂ ମାଧ୍ୟମିକ ବିଦ୍ୟାଳୟରେ କାର୍ଯ୍ୟରତ ଶିକ୍ଷକମାନେ ବିଦ୍ୟାଳୟକୁ ଜିନ୍‌ସ ପିନ୍ଧି ଆସୁଛନ୍ତି, ନିର୍ଦ୍ଦେଶାଳୟକୁ ଗଲାବେଳେ ମଧ୍ୟ ଜିନ୍‌ସ ପିନ୍ଧୁଛନ୍ତି, ଯାହା ଅନୁଚିତ୤ ଏଥିପାଇଁ ନିଶ୍ଚିତ କରନ୍ତୁ ଯେ କୌଣସି ଶିକ୍ଷକ ଜିନ୍‌ସ ପିନ୍ଧି ନ ଆସନ୍ତୁ୤ ଶିକ୍ଷକମାନେ ଉଚିତ ବସ୍ତ୍ର ହିଁ ବ୍ୟବହାର କରନ୍ତୁ୤ ଏହା ସହିତ ବିଶେଷ ଟିପ୍ପଣୀ ବି ଦିଆଯାଇଛି ଯେ ଶିକ୍ଷକମାନେ ଲାଲ କିମ୍ବା ଅନ୍ୟ କୌଣସି ଚଟକିଲା ରଙ୍ଗର କପଡ଼ା ପିନ୍ଧିବେ ନାହିଁ, ଏବଂ କପଡ଼ା ଉପରେ ଚିତ୍ରବିଚିତ୍ର କିମ୍ବା କୌଣସି ପ୍ରକାରର ଲେଖା ବରଦାସ୍ତ କରାଯିବ ନାହିଁ, ଏବଂ ସାର୍ଟର ସମସ୍ତ ବୋତାମ ବନ୍ଦ ହୋଇଥିବା ଉଚିତ୤

କିଛି ମହିଳା ଶିକ୍ଷକ ଜିନ୍‌ସ ପିନ୍ଧିଥିବା ହେତୁ ନିର୍ଯ୍ୟାତନାର ଶୀକାର ହେଉଛନ୍ତି ବୋଲି ଜିନ୍‌ସ ବିରୋଧରେ ଏହି ନିର୍ଦ୍ଦେଶନାମା ଜାରୀ କରାଯାଇଛି ବୋଲି ଉଚ୍ଚ ଶିକ୍ଷା ବିଭାଗ ଦ୍ବାରା କୁହାଯାଉଛି୤

ଯଦି ମହିଳା ଶିକ୍ଷକମାନେ ଜିନ୍‌ସ ପିନ୍ଧି ଆସିବେ ତା ହେଲେ ଛାତ୍ରୀ ମାନଙ୍କ ଉପରେ ଏହାର ପ୍ରତିକୂଳ ପ୍ରଭାବ ପଡ଼ିବ ଏବଂ ଏହା ଭଲ ନୁହେଁ୤ ଶିଷୟିତ୍ରୀମାନେ ଛାତ୍ରୀ ମାନଙ୍କ ପାଇଁ ଆଦର୍ଶ ହେବା ଉଚିତ୤

ଶିକ୍ଷକ ମାନେ ମଧ୍ୟ ଭଦ୍ର କପଡ଼ାରେ ଆସିବା ଉଚିତ୤ ଜିନ୍‌ସ ଭଦ୍ର ନୁହେଁ୤ ଜିନ୍‌ସ ଦେହକୁ ଲାଖିକରି ରହେ ଏବଂ ଏହା ଦ୍ବାରା ଶରୀରର ଆକାର ଭଲଭାବରେ ଦେଖାଯାଏ୤ ଯାହା ଅନ୍ୟମାନଙ୍କୁ ଉତ୍ତେଜିତ କରିପାରେ୤ ଅବଶ୍ୟ ଜିନ୍‌ସ ପିନ୍ଧିଲେ ଆରାମଦାୟକ ଲାଗେ, କିନ୍ତୁ ହରିଆଣା ସରକାରଙ୍କ ମତରେ ଧୋତି ପିନ୍ଧିବା ହୁଏତ ସବୁଠାରେ ଶ୍ରେଷ୍ଠ ଓ ଆରାମଦାୟକ ପୋଷାକ ହୋଇପାରେ୤

କିନ୍ତୁ ଆଜି ପର୍ଯ୍ୟନ୍ତ ମହିଳା ମାନଙ୍କ ବିରୋଧରେ ଭାଷଣବାଜି କରାଯାଉଥିବା ହରିଆଣାରେ ହଠାତ ପୁରୁଷଙ୍କ ବିରୋଧରେ କେମିତି ନିୟମ ଜାରୀ କରାଗଲା୤ ଅବଶ୍ୟ ଏହା ଦ୍ବାରା ସରକାର ପୁରୁଷ ଓ ମହିଳାଙ୍କ ଭିତରେ କୌଣସି ଅନ୍ତର ରଖିବାକୁ ଚାହାନ୍ତି ନାହିଁ ବୋଲି ଆମେ ମନେକରୁ୤ ଲୋକମାନେ ତୁଚ୍ଛାଟାରେ ସୋସିଆଲ୍ ମିଡ଼ିଆରେ ହରିଆଣା ସରକାରଙ୍କୁ ଦୋଷ ଦେଉଛନ୍ତି୤

ଉଚିତ ଏମିତି ହୁଅନ୍ତା ଯେ ସରକାର ନିଜ ଇଚ୍ଛା ମୁତାବକ ଶିକ୍ଷକ ମାନଙ୍କ ପାଇଁ ୟୁନିଫର୍ମ ବାଧ୍ୟତା ମୂଳକ କରିଦିଅନ୍ତେ୤ ପୁରୁଷ ଶିକ୍ଷକ ମାନଙ୍କ ପାଇଁ ଧୋତିକୂର୍ତ୍ତା ଆଉ ମହିଳାଙ୍କ ପାଇଁ ଶାଢ଼ୀ ଏବଂ ଏହା ସହିତ ଖାଦୀ କନାରେ ନିର୍ମିତ ବ୍ୟାଗ୤ ଜୋତା କେବଳ ଚପଲ୤ ଅନେକ ସରକାରୀ ବିଭାଗ ଯେମିତି ଆର୍ମି, ପୋଲିସ୍, ଓକିଲମାନେ ମଧ୍ୟ ୟୁନିଫର୍ମ୍ ପିନ୍ଧୁଛନ୍ତି ତ ଶିକ୍ଷକମାନେ କାହିଁକି ପିନ୍ଧିବେନି? ଓଡ଼ିଶାରେ ମହିଳା ଶିକ୍ଷକମାନେ ମଧ୍ୟ ଗୋଲାପୀ ରଙ୍ଗର ଶାଢ଼ୀ ପିନ୍ଧି ବିଦ୍ୟାଳୟ ଯାଉଛନ୍ତି୤

କିନ୍ତୁ ହରିଆଣା ସରକାରଙ୍କ ନିର୍ଦ୍ଦେଶନାମା ଯାହା ଜାରୀ ହୋଇପାରିଲା ନାହିଁ:
- ଯେହେତୁ ଶିକ୍ଷକମାନେ ଜିନ୍‌ସ ପିନ୍ଧୁନାହାନ୍ତି, ତେଣୁ କୌଣସି ପୁରୁଷ କାହାକୁ ଶାରୀରିକ ନିର୍ଯ୍ୟାତନା ଦେବାର ଦେଖାଯିବ ନାହିଁ୤
- ଯେହେତୁ ଶିକ୍ଷକମାନେ ଜିନ୍‌ସ ପିନ୍ଧୁନାହାନ୍ତି, ତେଣୁ ହରିଆଣାରେ ଆଉ ବଳାତ୍କାର ପରି ଘଟଣା ଘଟିବ ନାହିଁ୤
- ଯେହେତୁ ଶିକ୍ଷକମାନେ ଜିନ୍‌ସ ପିନ୍ଧୁନାହାନ୍ତି, ତେଣୁ ଛାତ୍ରୀମାନଙ୍କର ଶିକ୍ଷାଦର ସବୁଠାରୁ ଅଧିକ ହେବ୤
- ଯେହେତୁ ଶିକ୍ଷକମାନେ ଜିନ୍‌ସ ପିନ୍ଧୁନାହାନ୍ତି, ତେଣୁ ଏବେ ହରିଆଣା ବିଦ୍ୟାଳୟ ମାନଙ୍କରୁ ଆଇଏଏସ୍ ଓ ଆଇପିଏସ୍ ପରୀକ୍ଷାରେ ଟପର୍ ମାନେ ବାହାରିବେ୤
- ଯେହେତୁ ଶିକ୍ଷକମାନେ ଜିନ୍‌ସ ପିନ୍ଧୁନାହାନ୍ତି ତେଣୁ ହରିଆଣାରେ କନ୍ୟାଭୃଣ ହତ୍ୟା ହେବ ନାହିଁ
- ଯେହେତୁ ଶିକ୍ଷକମାନେ ଜିନ୍‌ସ ପିନ୍ଧୁନାହାନ୍ତି ତେଣୁ ହରିଆଣାରେ ମହିଳାମାନଙ୍କ ଦ୍ବାରା ପ୍ରତିଦିନ ଦାୟର ହେଉଥିବା ମାମଲା ସଂଖ୍ୟା ଶୂନ ହୋଇଯିବ୤
- ଯେହେତୁ ଶିକ୍ଷକମାନେ ଜିନ୍‌ସ ପିନ୍ଧୁନାହାନ୍ତି ତେଣୁ ହରିଆଣାରେ ପୁରୁଷମାନେ ମହିଳାମାନଙ୍କୁ ସମାନ ଦୃଷ୍ଟିରେ ଦେଖିବେ୤
- ଯେହେତୁ ଶିକ୍ଷକମାନେ ଜିନ୍‌ସ ପିନ୍ଧୁନାହାନ୍ତି ତେଣୁ ହରିଆଣାରେ ନିର୍ଦ୍ଦେଶନାମା ଦେଉଥିବା ଭଦ୍ରବ୍ୟକ୍ତିମାନେ ଧୋତିକୂର୍ତ୍ତା ପିନ୍ଧିବେ୤

ସେ ଯା ହେଉ ହରିଆଣା ସରକାରଙ୍କ ମାନ୍ୟତାରେ ଜିନ୍‌ସ ହିଁ ସବୁ ଅପରାଧର ମୂଳ କାରଣ୤ ଯଦି ଜିନ୍‌ସ ଉପରେ ପ୍ରତିବନ୍ଧ ଲଗେଇ ଏହି ସବୁ ପରିବର୍ତ୍ତନ ଆସେ ତା ହେଲେ ଜିନ୍‌ସ ଉପରେ ପ୍ରତିବନ୍ଧ ଲଗାଇବା ନିହାତି ଜରୂରୀ୤ ଏମିତିରେ ପୃଥିବୀରେ ଯଦି କୌଣସି ଜାଗାରେ ସ୍ବର୍ଗଥାଏ ତେବେ ତାହା ହରିଆଣା ବୋଲି ଜାଣିବା୤ ଦେଶରେ ଯଦି କେଉଁଠି ଭଲ ଦିନ ଆସେ ତେବେ ତାହା କେବଳ ହରିଆଣାରେ ହିଁ ଆସିବ୤

ଜୟ ହରିଆଣା୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤