ଅଦ୍ଭୂତ ସମାଜ : କୁମାରୀତ୍ବର ପରୀକ୍ଷା ଦେବାକୁ ପଡୁଛି ଏଠି!

ସଂଭୋଗ ବେଳେ କୁମାରୀତ୍ବ ପରୀକ୍ଷାରେ ଅସଫଳ ଯୁବତୀକୁ ଛାଡ଼ପତ୍ର ଦେଲା ନାସିକର ପଞ୍ଚାୟତ

ସମାଜ | 15 ମିନିଟ୍‌ରେ ପଢ଼ନ୍ତୁ | 31 Jul, 2017
ସମୁଦାୟ 2807 ଜଣ ପଢ଼ିଛନ୍ତି

Khaap Panchayat
ମହାରାଷ୍ଟ୍ରର ନାସିକ ଠାରେ ଏକ ନବବିବାହିତ ଯୁବକ ବିବାହର ଦୁଇଦିନ ପୂରଣ ନ ହେଉଣୁ ନିଜ ପତ୍ନୀକୁ ଛାଡ଼ପତ୍ର ଦେଇଛନ୍ତି୤ ଏହାର କାରଣ ମାତ୍ର ଏତିକି ଯେ ବିବାହୋପରାନ୍ତ ନିଜ ପତ୍ନୀ ସହ ସଂଭୋଗବେଳେ ପତ୍ନୀର ଗୁପ୍ତାଙ୍ଗରୁ ରକ୍ତ କ୍ଷରଣ ହେଲାନାହିଁ୤ ଆଶ୍ଚର୍ଯ୍ୟର ବିଷୟ ହେଉଛି ଯେ ଏହା ପ୍ରକଟ ହେବା ପଛରେ ଏକ ପ୍ରଚ୍ଛନ୍ନ ହୀନ ମାନସିକତା କାମ କରୁଥିଲା୤ ସୂଚନାଯୋଗ୍ୟ ଯେ ସମ୍ପୃକ୍ତ ଗ୍ରାମ ପଞ୍ଚାୟତ ଯୁବକକୁ ଧବଳ ଚାଦର ବ୍ୟବହାର କରି ସଂଭୋଗ କରିବାକୁ ନିର୍ଦ୍ଦେଶ ଦେଇଥିଲେ୤ ଏହା ଦ୍ବାରା ପତ୍ନୀର କୁମାରୀତ୍ବର ପରୀକ୍ଷଣ ସହଜରେ ହୋଇପାରିବ୤ ପରଦିନ ଯେତେବେଳେ ଚାଦରକୁ ପରୀକ୍ଷା କରିବା ବେଳେ ରକ୍ତ ବା ଲାଲ ରଙ୍ଗ ଦେଖାଗଲାନି, ସେତେବେଳେ ହିଁ ତାକୁ ତ୍ୟାଗ କରିବାକୁ ନିର୍ଦ୍ଦେଶ ଦିଆଗଲା୤ ଏବଂ ଏହାପରେ ସମ୍ପୃକ୍ତ ଯୁବତୀକୁ ଅନେକ ଦିନଧରି ବନ୍ଦ କୋଠରୀରେ ବନ୍ଦୀ କରି ରଖାଗଲା ଯାହା ଦ୍ବାରା ସେ କାହାକୁ ଏହା ବିଷୟରେ ଜଣାଇ ପାରିବନାହିଁ୤

ଏହାର ଅର୍ଥ ହେଉଛି ଗ୍ରାମରେ କାହାର ସ୍ତ୍ରୀ ପବିତ୍ର ବା ଅପବିତ୍ର ଏହା ପଞ୍ଚାୟତ ଚାହିଁଲେ ପରୀକ୍ଷା କରିପାରିବ? ଆଉ ଯଦି ପରୀକ୍ଷାରେ ସମ୍ପୃକ୍ତା ମହିଳା ଅପବିତ୍ର ବୋଲି ପ୍ରମାଣିତ ହୁଅନ୍ତି ତେବେ ତାଙ୍କର ଜୀବନ ବିଷୟରେ ମଧ୍ୟ ପଞ୍ଚାୟତ ନିଷ୍ପତ୍ତି ନେବ ? ଆଶ୍ଚର୍ଯ୍ୟର ବିଷୟ ଏହି ଗ୍ରାମରେ ଲୋକମାନେ ନିଜ ଅନ୍ତରଙ୍ଗ ଶୟନକକ୍ଷରେ ମଧ୍ୟ ପଞ୍ଚାୟତର ନିଷ୍ପତ୍ତିକୁ ଅଗ୍ରାଧିକାର ଦେଉଛନ୍ତି ? ଅବଶ୍ୟ ଏହି ପଞ୍ଚାୟତରେ ଯୁବକ ମାନଙ୍କ ପବିତ୍ରତା ପରୀକ୍ଷା କରିବାପାଇଁ କୌଣସି ପରୀକ୍ଷା ନାହିଁ୤

ଏହି ଘଟଣାରେ ସମ୍ପୃକ୍ତ ଯୁବତୀ ଜଣକ ପାଠୋଇ ଥିଲେ ଏବଂ ପୋଲିସ ବିଭାଗରେ କାମ କରିବାପାଇଁ ଅନେକ ସମୟ ଖେଳକୁଦରେ ଧ୍ୟାନ ଦେଉଥିଲେ୤ ସୂଚନାଯୋଗ୍ୟ ଯେ ଅତ୍ୟଧିକ ଖେଳକୁଦ ଓ ସାଇକେଲ ଓ ଘୋଡ଼ା ଚଢ଼ା ଆଦି କାର୍ଯ୍ୟ କରିବା ଦ୍ବାରା ମହିଳା ମାନଙ୍କ ସତୀଛଦ୍ର ବା ହାଇମେନ୍ ନଷ୍ଟ ହୋଇଯାଏ୤ କିନ୍ତୁ ଆମ ସମାଜରେ ହାଇମେନର ଅନୁପସ୍ଥିତିକୁ ମହିଳାଙ୍କ ସତୀତ୍ବ ବା ପବିତ୍ରତା ସହ ଯୋଡ଼ି ଦେଖାଯାଉଥିବା ହେତୁ ଏହି କ୍ଷେତ୍ରରେ ମହିଳା ଜଣକ ଅପବିତ୍ର ବୋଲି ଘୋଷିତ ହୋଇଗଲେ୤

ସମାଜର ଚିନ୍ତାଧାରା :

ମହିଳା ମାନଙ୍କ ପ୍ରଜନନନଳୀର ସମ୍ମୁଖରେ ଥିବା ପତଳା ଝିଲ୍ଲୀକୁ ହାଇମେନ୍ ବା ସତୀଚ୍ଛଦ୍ର ବୋଲି କୁହାଯାଏ୤ ଏହା ଛିଡ଼ିଗଲେ ରକ୍ତ ବାହାରେ ଯାହାକୁ ସାଧାରଣତଃ ଲୋକମାନେ ସତୀତ୍ବର ପରୀକ୍ଷା ବୋଲି ଭାବିଥାଆନ୍ତି୤ ଅତୀତରେ ମହିଳାମାନଙ୍କର ସତୀତ୍ବ ପରୀକ୍ଷା କରିବାପାଇଁ ଏହି ଚ୍ଛଦ୍ରର ଉପସ୍ଥିତିକୁ ପରୀକ୍ଷା କରାଯାଉଥିଲା୤ ବର୍ତ୍ତମାନ ଯୁଗରେ ଏହି ଚ୍ଛଦ୍ର ଅଧିକାଂଶ ଯୁବତୀଙ୍କ ଠାରେ ଉପସ୍ଥିତ ନଥାଏ କାରଣ ଏହା ସାଇକେଲ ଚଳାଇବା ଭଳି ସାମାନ୍ୟ କାର୍ଯ୍ୟଦ୍ବାରା ମଧ୍ୟ ନଷ୍ଟ ହୋଇପାରେ୤ ଖେଳକୁଦ, ନାଚ କରିବା, କ୍ରିକେଟ୍, ଫୁଟବାଲ୍ ଆଦି ଖେଳିବା ଦ୍ବାରା ମଧ୍ୟ ଏହି ଝିଲ୍ଲୀ ନଷ୍ଟ ହୋଇପାରେ୤ କିନ୍ତୁ ଋଢ଼ିବାଦୀ ମାନେ ମହିଳା ମାନଙ୍କୁ ପଣ୍ୟଦ୍ରବ୍ୟ ଭଳି ବ୍ୟବହାର କରିବା ଦ୍ବାରା ଯେଉଁ ମହିଳାଙ୍କ ସତୀଚ୍ଛଦ୍ର ସୁରକ୍ଷିତ ଥାଏ କେବଳ ତାଙ୍କୁ ହିଁ ପବିତ୍ର ବୋଲି ଘୋଷଣା କରନ୍ତି୤ ଏହି ଗ୍ୟାରେଣ୍ଟୀ ସହ ସେମାନେ ମହିଳାମାନଙ୍କୁ ସ୍ବୀକାର କରିବାକୁ ଚାହାନ୍ତି୤ ଅର୍ଥାତ ବ୍ୟବହାର କର, ଯଦି ଜଣା ପଡ଼ିଲା ଯେ ମହିଳାଙ୍କ ଝିଲ୍ଲୀ ନାହିଁ, ତେବେ ତିରସ୍କାର କର୤ ସତେ ଯେମିତି ସବୁ ପୁରୁଷ ରାମ ଆଉ ସମସ୍ତଙ୍କୁ କେବଳ ସୀତା ହିଁ ଦରକାର୤
Virginity is a must in India
ଶିକ୍ଷିତମାନେ ମଧ୍ୟ ଏହିପ୍ରକାର ମାନସିକତାର ଶୀକାର

ଅବିଶ୍ବାସ ହେଉଥିଲେ ମଧ୍ୟ ଏହି ଧାରଣା କେବଳ ଅପାଠୁଆ ବା ଅଳ୍ପଶିକ୍ଷିତଙ୍କ ମଧ୍ୟରେ ଥିବ ବୋଲି କହିବା ଠିକ ହେବନାହିଁ୤ କାରଣ ଅଧିକାଂଶ ଶିକ୍ଷିତ ଯୁବକ ମଧ୍ୟ ଏହି ଧାରଣାକୁ ମାନନ୍ତି୤ ନିକଟ ଅତୀତରେ ଏକ ଖବର ଆସିଥିଲା ଯେ ବାଙ୍ଗାଲୁରୁରେ କାମ କରୁଥିବା ଜନୈକ ବୈଜ୍ଞାନିକ ବିବାହ ପୂର୍ବରୁ ନିଜ ପତ୍ନୀଙ୍କର ସତୀତ୍ବ ପରୀକ୍ଷା କରିବାକୁ ଚାହିଁଥିଲେ୤ ଯେ ହେତୁ ନିର୍ବନ୍ଧ ହୋଇଯାଇଥିଲା ତେଣୁ ମହିଳା ଜଣକ ପରୀକ୍ଷା ଦେଇଥିଲେ ଆଉ ସଫଳ ବି ହୋଇଥିଲେ, ତଥାପି ବୈଜ୍ଞାନିକଙ୍କ ମନରୁ ସନ୍ଦେହ ଗଲାନାହିଁ୤ ବିବାହର ପାଞ୍ଚବର୍ଷ ପରେ ମଧ୍ୟ ସେ ସବୁବେଳେ ନିଜ ପତ୍ନୀଙ୍କ ଉପରେ ସନ୍ଦେହ କରୁଥିବା ହେତୁ ମହିଳା ଜଣକ ପୋଲିସ ସହାୟତା ନେବାକୁ ବାଧ୍ୟ ହେଲେ୤

ଗାଆଁ ମାନଙ୍କରେ ଅବସ୍ଥା ଆହୁରି ଖରାପ
Villages in India
ଗାଁ ଗଣ୍ଡାରେ ଏମିତି ଅନେକ ଘଟଣା ଘଟୁଛି ଯାହା ଲୋକଲୋଚନକୁ ଆସିବାକୁ ସୁଯୋଗ ପାଉନାହିଁ୤ ନୀତିନିୟମର ଦ୍ବାହି ଦେଇ ଯୁବତୀମାନଙ୍କ ସତୀତ୍ବର ପରୀକ୍ଷା କରାଯାଉଛି୤ କିଛି ପରୀକ୍ଷା ଏମିତି ଯେ ଯାହା କେମିତି ବିଶ୍ବସନୀୟ ତାହା କରୁଥିବା ବ୍ୟକ୍ତିମାନେ ହିଁ ଜାଣିଥିବେ୤ ଗୋଟିଏ ପରୀକ୍ଷା ତ ଏମିତି ଯେ ପରୀକ୍ଷା ଦେଉଥିବା ଯୁବତୀ ଜଣକ ପାଣି ଭିତରେ ସେତେବେଳଯାଏଁ ବୁଡ଼ି ରହିବେ, ଯେତେବେଳ ଯାଏଁ ଜଣେ ଯୁବକ ଶହେ ପାଦ ବାଟ ଚାଲି ଆସିବ୤ ଯଦି ସେ କରି ପାରିବ ତ ପବିତ୍ର ନହେଲେ ଅପବିତ୍ର୤ ନିଆଁ ଉପରେ ଚାଲିବା, ତାତିଲା ଲୁହାକୁ ହାତରେ ଧରିବା ଆଦି ଅନେକ ପରୀକ୍ଷା ରହିଛି ଯାହା ଆଧୁନିକ ସମାଜ ପାଇଁ ଆଶ୍ଚର୍ଯ୍ୟର ବିଷୟବସ୍ତୁ୤ ଏହି ସବୁ ପରୀକ୍ଷାରେ ଅସଫଳ ହେଉଥିବା ଯୁବତୀମାନଙ୍କୁ ଶାରୀତିକ ନିର୍ଯ୍ୟାତନା ଦିଆଯାଏ ଆଉ କାହା ସହ ସମ୍ବନ୍ଧ ରହିଛି ସେ ବିଷୟରେ ପ୍ରଶ୍ନ କରାଯାଇ ଅଧିକ ପ୍ରତାଡ଼ିତ କରାଯାଇଥାଏ୤

ଯୁବତୀ ମାନେ କୁମାରୀ ବା ପବିତ୍ର ରହିବା ଜରୂରୀ୤ ଏହି ଧାରଣା ଆମ ମୂଳଭୂତ ଧାରଣାରେ ପାଣି ପରି ମିଶି ଯାଇଛି ଏବଂ ପୀଢ଼ି ପରେ ପୀଢ଼ି ଏହା ଆଗକୁ ଆଗକୁ ବଢ଼ି ଚାଲିଛି୤ ଅପାଠୁଆକୁ କେମିତି ହେଲେ ପଢ଼େଇ ଶିଖେଇ ହେବ କିନ୍ତୁ ପାଠୁଆ ବା ଶିକ୍ଷିତ ମାନଙ୍କ ଅବଧାରଣାକୁ କେମିତି ବନ୍ଦ କରିବେ ? ଆମ ଦେଶର ଆଇନ ବ୍ୟବସ୍ଥା ଆସ୍ଥା ଆଉ ବିଶ୍ବାସର ବିଷୟ ମାନଙ୍କ ନିକଟରେ ଅସହାୟ ହୋଇପଡ଼େ୤ ଅବସ୍ଥା ଏହା ହୁଏ ଯେ ଏକବିଂଶ ଶତାବ୍ଦୀରେ ମଧ୍ୟ ମହିଳା ମାନଙ୍କୁ ହିଁ ନିଜ ସତୀତ୍ବର ପରୀକ୍ଷା ଦେବାକୁ ପଡ଼େ୤ ମହିଳା ମାନଙ୍କୁ ନେଇ ଯେତେ ସବୁ ସମସ୍ୟା ରହିଛି ସେ ସବୁ ମଧ୍ୟରେ ଏହା ବି ଏକ ଗୁରୁତ୍ତ୍ବପୂର୍ଣ୍ଣ ସମସ୍ୟା ଯାହା ବିଷୟରେ ଚର୍ଚ୍ଚା ଯୁଗଯୁଗ ଧରି ଚାଲୁଥିବ୤

(ସୂଚନାଯୋଗ୍ୟ ଯେ ନାସିକ ଘଟଣାରେ ସମ୍ପୃକ୍ତ ଯୁବକ ନିଜ ବିବାହିତା ପତ୍ନୀଙ୍କୁ ପୁଣି ସ୍ବୀକାର କରିବାକୁ ରାଜି ହୋଇଛନ୍ତି, କିନ୍ତୁ ଏହି ଘଟଣା ପୂର୍ବରୁ ଘଟିଥିବା ଅନେକ ଏମିତି ଘଟଣାରେ ପଡ଼ି ନିଜର ସମ୍ମାନ ହରାଇଥିବା ମହିଳା ମାନଙ୍କୁ ନ୍ୟାୟ ଦେବ କିଏ ?)


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤