ଅଣଓଡ଼ିଆଙ୍କ ପାଇଁ ଓଡ଼ିଶା

ଅସ୍ବାଭାବିକ ଭାବରେ ଅନେକ ଅଣଓଡ଼ିଆ ଓଡ଼ିଶାର ଅବସ୍ଥିତି ବିଷୟରେ ଅଜ୍ଞ, ଏମିତି କାହିଁକି?

ସମାଜ | 8 ମିନିଟ୍‌ରେ ପଢ଼ନ୍ତୁ | 31 Jul, 2017
ସମୁଦାୟ 3599 ଜଣ ପଢ଼ିଛନ୍ତି

ଓଡ଼ିଶା ବାହାରେ ଓଡ଼ିଆ ମାନଙ୍କର ଅବସ୍ଥିତି ଅତି ସ୍ବଚ୍ଛଳ ଓ ଉଚ୍ଚବେତନ ପ୍ରାପ୍ତ ସଫ୍ଟୱେର୍ କର୍ମଚାରୀ କିମ୍ବା ଅନ୍ୟ ଅନେକ ସଂସ୍ଥାରେ ଉଚ୍ଚପଦସ୍ଥ କର୍ମଚାରୀ ହିସାବରେ ଜଣାଯାଏ୤ ଅଥଚ ଓଡ଼ିଆ ବିଷୟରେ ଅନେକ ବ୍ୟକ୍ତି ଏମିତି ପ୍ରଶ୍ନ କରନ୍ତି ସତେ ଯେମିତି ସେମାନେ ଏହି ନାଁ ଆଗରୁ କେବେ ଶୁଣି ନାହାନ୍ତି କିମ୍ବା ଏମିତିକି କୌଣସି ରାଜ୍ୟ ବା ସ୍ଥାନ ପୃଥିବୀ ପୃଷ୍ଠରେ ନାହିଁ୤ ହେଲେ ସେମାନେ ତ ହେଲେ ଅଣଓଡ଼ିଆ, ସେମାନଙ୍କୁ ଦୋଷ ଦେଇ ଆମର କିଛି ଲାଭନାହିଁ, କିନ୍ତୁ ଯଦି ଜଣେ ଓଡ଼ିଆ ବ୍ୟକ୍ତିକୁ ଓଡ଼ିଶା ବାହାରେ କେହି ଓଡ଼ିଶା ବିଷୟରେ ପ୍ରଶ୍ନକରେ ସେ କଣ ଉତ୍ତର ଦେବେ ? ଆମ ରାଜ୍ୟର କେତୋଟି ପ୍ରମୁଖ ସହରର ନାଁ ନେବେ, କିଛି ପ୍ରମୁଖ ବ୍ୟକ୍ତିତ୍ବଙ୍କ ବିଷୟରେ କହିବେ, କିମ୍ବଦନ୍ତୀ ଓ ଇତିହାସ କଥା କହିବେ ନା ଆଉ କିଛି ? ହେଲେ ଅନେକ ଓଡ଼ିଆ ଏମିତି ପ୍ରଶ୍ନର ସମ୍ମୁଖୀନ ହେଲେ ଏମିତି ନିରବ ହୋଇଯାଆନ୍ତି ସତେ ଯେମିତି ସେମାନଙ୍କୁ ଆଇଏଏସ୍ ପରୀକ୍ଷାରେ କୌଣସି ପାଠ୍ୟ ବହିର୍ଭୂତ କଠିନ ପ୍ରଶ୍ନ ପଚରା ଯାଇଛି ଆଉ ସେମାନେ ଏହାର ଉତ୍ତର ଜମାରୁ ଜାଣିନାହାନ୍ତି୤


ଅନେକ ସମୟରେ ଆମେ ସାମାଜିକ ଭାବରେ ମିଳାମିଶା କରୁଥିବା ସମୟରେ ଅନେକ ବ୍ୟକ୍ତି ସନ୍ଦୀହାନ ହୋଇ ପଡ଼ନ୍ତି ଆଉ ଆମ ରାଜ୍ୟ ଓ ସହର ବିଷୟରେ ପ୍ରଶ୍ନମାନ କରନ୍ତି, ଅବଶ୍ୟ ସେମାନଙ୍କର କୌଣସି ମନ୍ଦ ଉଦ୍ଦେଶ୍ୟ ନଥାଏ୤ ହେଲେ ଓଡ଼ିଶା ବିଷୟରେ ପ୍ରଶ୍ନ କଲେ ଅନେକେ ଏମିତି ଉତ୍ତର ଦିଅନ୍ତି୤


- ଓଡ଼ିଶା, ଭାରତର ଦକ୍ଷିଣପୂର୍ବରେ ଅଛି୤ ଆପଣ ପୁରୀ ବିଷୟରେ ଜାଣିଥିବେ ? ଶ୍ରୀଜଗନ୍ନାଥ ? ବାସ୍, ଆମ ରାଜ୍ୟ ସେଇଟା୤ ଆଛା ପୁରୀ ବିଷୟରେ ଜାଣି ନାହାନ୍ତି ? ଭୁବନେଶ୍ବର ? ରାଉରକେଲା ? ଏ ସବୁ ଆମ ରାଜ୍ୟରେ ଅଛି୤


- କୋଲକାତାରୁ ଦକ୍ଷିଣକୁ ଗଲେ ଓଡ଼ିଶା ପଡ଼େ୤ ବଡ଼ ରାଜ୍ୟ୤ ସବୁଠୁ ଲମ୍ବା ସମୁଦ୍ରକୂଳ ଆମ ରାଜ୍ୟରେ ଅଛି୤ ଚାନ୍ଦିପୁର୍ ? ଜାଣିନାହାନ୍ତି, ଯେଉଁଠି ମିସାଇଲ୍ ପରୀକ୍ଷା ହୁଏ ? ସେ ଓଡ଼ିଶାରେ ଅଛି୤


- ଆନ୍ଧ୍ରାରୁ ଉତ୍ତରକୁ ଗଲେ ଓଡ଼ିଶା ଆସେ୤ ଆନ୍ଧ୍ରା, ଭାଇଜାଗ୍, ବରମ୍ପୁର୍, ତା ପରେ ତ ଓଡ଼ିଶା୤ ହେ ହେ ହେ୤ ବହୁତ୍ ନିକଟ୤


- ଚିଲିକା ? ଚିଲିକା ଶୁଣିଥିବେ? ହଁ, ବାସ୍ ସେଇ ଆମ ଓଡ଼ିଶା୤


- ନବୀନ ପଟ୍ଟନାୟକ! ଆମ ମୁଖ୍ୟମନ୍ତ୍ରୀ୤ ସେଇଟା ଓଡ଼ିଶା୤


ଓଡ଼ିଶା ବିଷୟରେ ଅନେକ ଉତ୍ତର୤ ସବୁଠିକ୍ କିନ୍ତୁ ସବୁଠି କିଛି ନା କିଛି ହଜିଗଲା ପରି ଲାଗେନି ? ଆମେ ଚାହିଁଲେ ଏହାକୁ ସରଳ ଭାବରେ ବି କହିପାରିବା୤


- ଭାରତୀୟ ଗଣତନ୍ତ୍ରର ପ୍ରଥମ ସ୍ବତନ୍ତ୍ର ଭାଷାଭିତ୍ତିକ ରାଜ୍ୟ ଓଡ଼ିଶା, ଯାହା ଭାରତର ଦକ୍ଷିଣ ପୂର୍ବରେ ଉତ୍ତରରେ ପଶ୍ଚିମ ବଙ୍ଗ, ଦକ୍ଷିଣରେ ଆନ୍ଧ୍ରପ୍ରଦେଶ, ପଶ୍ଚିମରେ ଛତିଶଗଡ଼ ଦ୍ବାରା ଘେରି ରହିଛି ଏବଂ ପୂର୍ବରୁ ବିଶାଳ ବଙ୍ଗୋପସାଗର ଆମ ରାଜ୍ୟର ସୀମା ଗଢ଼ିଛି୤ ଭାରତର ୨୯ ଗୋଟି ରାଜ୍ୟ ମଧ୍ୟରୁ ଓଡ଼ିଶା ଅନ୍ୟତମ୤ ଆମ ରାଜ୍ୟ ର ଭାଷା ଓଡ଼ିଆ ସେଇଥିପାଇଁ ଆମ ରାଜ୍ୟର ନାମ ଓଡ଼ିଶା୤ ପ୍ରଭୂ ଶ୍ରୀ ଜଗନ୍ନାଥ ଆମ ରାଜ୍ୟର ଆରାଧ୍ୟ ଦେବତା୤ ଭାରତରେ ହିନ୍ଦୁମାନଙ୍କ ପାଇଁ ଥିବା ଚାରୋଟି ତୀର୍ଥ ମଧ୍ୟରେ ସର୍ବୋତ୍କୃଷ୍ଟ ତୀର୍ଥ ହେଉଛି ଶ୍ରୀ ଜଗନ୍ନାଥଧାମ ପୁରୀ୤ ଆମେ ସେଇ ରାଜ୍ୟର ବାସିନ୍ଦା୤


ଏହା ପରେ ଯଦି ଆଉ କିଛି ପ୍ରଶ୍ନ ଆସେ ତେବେ ତାହାର ଉତ୍ତର ବି ଏମିତି ଦେଇ ହେବ୤


ହେଲେ ସ୍ଥଳ ବିଶେଷରେ କିଛି ବ୍ୟକ୍ତି ଏମିତି ପ୍ରଶ୍ନ କରନ୍ତି ସତେ ଯେମିତି ଓଡ଼ିଶା ନାଁ ସେମାନେ ପ୍ରଥମଥର ଶୁଣୁଛନ୍ତି ସେମାନଙ୍କ ପାଇଁ ଆମର ଉତ୍ତର କିନ୍ତୁ ଟିକେ ନିଆରା;


- ଆପଣ ଓଡ଼ିଶା ବିଷୟରେ ଜାଣି ନାହାନ୍ତି ? ଆପଣ କେତେ ଶ୍ରେଣୀ ପାଠ ପଢ଼ିଛନ୍ତି? ଭାରତର ରାଜ୍ୟ ମାନଙ୍କ ମଧ୍ୟରେ ପ୍ରଥମେ ନିର୍ମାଣ ହୋଇଥିବା ରାଜ୍ୟ ହେଉଛି ଓଡ଼ିଶା ଅଥଚ ଆପଣ ଜାଣିନାହାନ୍ତି ମାନେ ଆପଣଙ୍କ ସାଧାରଣ ଜ୍ଞାନ ଶୂନ୤ ଆପଣ ସତରେ ପାଠ ପଢ଼ିଥିଲେ ନା କପି କରି ପାଠ ପାସ କରୁଥିଲେ ?


ଓଡ଼ିଶା ଆମର ଜନ୍ମଭୂମି ଏବଂ ଏହାର ସମ୍ମାନ ରକ୍ଷା କରିବା ପ୍ରତ୍ୟେକ ଓଡ଼ିଆଙ୍କ ଦାୟିତ୍ବ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤