ବିରଳ ଇଜିପ୍ସିଆନ୍ ଶାଗୁଣା ସହ ସାକ୍ଷାତ

ଭାରତରୁ ବିଲୁପ୍ତପ୍ରାୟ ବିରଳ ଇଜିପ୍ସିଆନ୍ ଶାଗୁଣାକୁ ମୁହାଁମୁହିଁ ଦେଖିବା ଏବଂ ଚିତ୍ର ଉତ୍ତୋଳନ କରିବାର ସୌଭାଗ୍ୟ ପାଇଲି

ସୋସିଆଲ୍ ମିଡ଼ିଆ | 12 ମିନିଟ୍‌ରେ ପଢ଼ନ୍ତୁ | 02 Aug, 2017
ସମୁଦାୟ 3704 ଜଣ ପଢ଼ିଛନ୍ତି

ବିଗତ ଶତାବ୍ଦୀର ଅଶିଦଶକର କଥା୤ ଓଡ଼ିଶାର ଗଞ୍ଜାମ ଜିଲ୍ଲାର ଏକ ଅଖ୍ୟାତ ପଲ୍ଲୀ ମଠସରସିଂ ଠାରେ ମୋ ବାଲ୍ୟକାଳ ବିତାଇଥିବା ସମୟରେ ଆମ ଗାଁଠାରୁ ଅନତି ଦୂରରେ ଥିବା ଏକ ମୁଣ୍ଡିଆ ଉପରେ ବସୁଥିବା ଅଗଣିତ ଅତି ଉଚ୍ଚ ପକ୍ଷୀମାନଙ୍କୁ ଦେଖିବା ଆମ ପାଇଁ କୌଣସି କୌତୁହଳ ଠାରୁ କମ ନଥିଲା୤ ଅବଶ୍ୟ ବୟସ୍କମାନେ ଆମକୁ ଅନେକଥର ତାଗିଦ କରିଦେଇଥିଲେ ଯେ ସେଇ ପକ୍ଷୀ ପାଖକୁ ଗଲେ ସେ କାଳେ ଆଖି ଖୋଳି ନେଇଯିବ, କିମ୍ବା ଖପୁରି ଫଟେଇ ଦେଇ ଦହି ଖାଇଦେବ୤ ତେଣୁ ସବୁବେଳେ ସୁରକ୍ଷିତ ଦୂରତ୍ବରେ ରହି ଆମେ ସେହି ବିଶାଳ ପକ୍ଷୀମାନଙ୍କୁ ଦେଖି ଆସୁଥିଲୁ୤ ଯେତେବେଳେ ସେହି ପକ୍ଷୀ ଭିତରୁ ଗୋଟିଏ ବି ପକ୍ଷୀ ନିଜ ବିଶାଳ ପକ୍ଷ ବିସ୍ତାର କରିଦେଉଥିଲା ଆମକୁ ଲାଗୁଥିଲା ସତେ ଯେମିତି ସେହି ପକ୍ଷରେ ସେ ଆମପରି ତିନି ଚାରିଜଣ ପିଲାଙ୍କୁ ଲୁଚେଇ ଦେଇପାରିବ୤ ସେହି ପକ୍ଷୀମାନେ ଅତ୍ୟନ୍ତ ହିଂସ୍ର ଥିଲେ ବୋଲି ଆମେ ଭାବୁଥିଲୁ, କାରଣ ଅଧିକାଂଶ ସମୟରେ ସେମାନେ ଆମ ଗାଁର ମରିଯାଇଥିବା ଗାଇଗୋରୁଙ୍କ ଶବକୁ ଝୁଣି ଝୁଣି ଖାଉଥିବାର ଦେଖୁଥିଲୁ୤



ସମୟ ଗଡ଼ିବା ସହ ଆମେ ଗାଁରୁ ସହରକୁ ଆସିବା ପରେ ସେଇ ପକ୍ଷୀମାନଙ୍କୁ ଭୁଲିଗଲୁ୤ ବିଗତ ଦୁଇ ତିନି ବର୍ଷରେ ଫେସବୁକରେ ସକ୍ରିୟ ହେବାପରେ ଯେତେବେଳେ ମୁଁ ପକ୍ଷୀ ପ୍ରେମୀଙ୍କ ଗହଣରେ ନିଜକୁ ପାଇଲି, ସେତେବେଳେ କ୍ୟାମେରା ଧରି ପ୍ରତିଦିନ ନୂଆ ନୂଆ ପକ୍ଷୀର ଫଟୋ ଉଠେଇବା ପାଇଁ ତତ୍ପରତା ପ୍ରକାଶ କଲି୤ ସେତେବେଳେ ଅନେକ ପକ୍ଷୀର ଫଟୋ ଉଠେଇଥିବା ସତ୍ତ୍ବେ ଶାଗୁଣା ନାମକ ଏହି ପକ୍ଷୀର ଛବି ମୁଁ କେବେ ଉଠେଇ ପାରିଲି ନାହିଁ୤ ଅନେକ ବନ୍ଧୁଙ୍କୁ ଖବର ଦେଇ ସୂଚନା ଦେବାପାଇଁ କହିଲି ଯେ ଯଦି ସେମାନେ ନିଜ ଅଞ୍ଚଳରେ ଶାଗୁଣା ଦେଖନ୍ତି ତ ମୋତେ ନିଶ୍ଚୟ ଜଣାଇବେ, ହେଲେ କେହି କେବେ ସଠିକ ସୂଚନା ଦେଇ ପାରିଲେ ନାହିଁ୤ ଏହି ସମୟରେ ଇଣ୍ଟରନେଟରେ ପଢ଼ି ଜାଣିବାକୁ ପାଇଲି ଯେ ଭାରତରୁ ଶାଗୁଣା ବଂଶ ଲୋପପାଇବା ପରିସ୍ଥିତିରେ ଆସି ପଡ଼ିଲେଣି୤ ବିଗତ ତିନି ଦଶନ୍ଧିରେ ଏମିତି କଣ ପରିବର୍ତ୍ତନ ହେଲା ଯେ ଶାଗୁଣା ବଂଶ ଲୋପପାଇବାକୁ ବସିଲା୤ ଏହାର ପ୍ରମୁଖ କାରଣ ଥିଲା ଏକ କଷ୍ଟ ନିବାରକ ଔଷଧ ‘ଡାଇକ୍ଲୋଫେନାକ୍’୤ ଏହା ମନୁଷ୍ୟମାନେ କଷ୍ଟ ନିବାରଣ ପାଇଁ ବ୍ୟବହାର କରନ୍ତି ଏବଂ ଏହି ଔଷଧକୁ କିଛି ପଶୁ ଚିକିତ୍ସକ ପଶୁମାନଙ୍କ ଚିକିତ୍ସାରେ ମଧ୍ୟ ବ୍ୟବହାର କରୁଥିଲେ୤ ଯେଉଁ ସବୁ ପଶୁ ଏହି ଔଷଧ ସେବନ କରିଥିଲେ ସେହି ପଶୁମାନେ ମୃତ୍ୟୁବରଣ କରିବାପରେ ସେହି ପଶୁର ଶବକୁ ଯେଉଁ ସବୁ ଶାଗୁଣାମାନେ ଖାଇଲେ ସେମାନେ ଏହି ଔଷଧକୁ ନିଜ ପାକତନ୍ତ୍ରରେ ପାଇଲେ ଏବଂ ଏହା ସେମାନଙ୍କ ପାଇଁ ଘାତକ ପ୍ରମାଣିତ ହୋଇଥିଲା୤ ଏହା ଦ୍ବାରା ସେମାନଙ୍କ ଯକୃତ ଖରାପ ହୋଇ ମୃତ୍ୟୁବରଣ କରିବା ଅବସ୍ଥା ଆସିଗଲା୤ ଦେଖୁ ଦେଖୁ ମାତ୍ର ତିନି ଦଶନ୍ଧୀରେ ଲକ୍ଷାଧିକ ଶାଗୁଣା ଥିବା ଭାରତରେ ମାତ୍ର କେଇ ହଜାର ଶାଗୁଣା ଅଛନ୍ତି ଏବଂ ସେମାନଙ୍କ ସଂଖ୍ୟା ଦିନକୁ ଦିନ କମ ହେବାରେ ଲାଗିଛି୤


ସୌଭାଗ୍ୟର ବିଷୟ ଚଳିତ ବର୍ଷ ମାର୍ଚ୍ଚ ମାସରେ ବ୍ରହ୍ମପୁର ନିକଟସ୍ଥ ଗଞ୍ଜାମ ଜିଲ୍ଲାର ଭେଟନଇ ଅଞ୍ଚଳରେ କୃଷ୍ଣସାର ମୃଗ ଦେଖିବାକୁ ଯାଇଥିବା ବେଳେ ସେଠାରେ ବିରଳ ଇଜିପ୍ସିଆନ୍ ଶାଗୁଣା ଦେଖି ଫଟୋ ଉଠାଇଥିଲି, କିନ୍ତୁ ଦୁର୍ଭାଗ୍ୟର ବିଷୟ, ମୋ ଠାରୁ ବହୁତ ଦୂରରେ ଥିବା ହେତୁ ଏହି ଶାଗୁଣାର ନିଖୁଣ ଛବି ଉଠାଇ ପାରିନଥିଲି୤ ଏହାପରେ ପରେ ଚଳିତ ମାସରେ ପୁଣିଥରେ ଏହି ଶାଗୁଣା ମୁଁ ଦେଖିବାକୁ ପାଇଲି ଗଞ୍ଜାମ ଜିଲ୍ଲାର ଗୋଳନ୍ଥରା ଥାନା ଅନ୍ତର୍ଗତ ହରିପୁର ଠାରେ୤ ଏଥର ମଧ୍ୟ ମୋର ଅତି ନିକଟରେ ଥିବା ସତ୍ତ୍ବେ କ୍ୟାମେରାର ଅଭାବରୁ ମୋବାଇଲରେ ଚିତ୍ର ଓ ଭିଡ଼ିଓ କ୍ଲିପ୍ ନେଇ ବନ୍ଧୁମାନଙ୍କୁ ଦେଖାଇଥିଲି୤



ଆଜି ଅପରାହ୍ନରେ ପୁଣିଥରେ ଗୋଳନ୍ଥରା ଯାଇଥିବା ବେଳେ ଏହି ଶାଗୁଣାକୁ ଦେଖି କ୍ୟାମେରା ଧରି ସେମାନଙ୍କ ପଛରେ ଯିବାପରେ ଦେଖିବାକୁ ପାଇଥିଲି ତିନୋଟି ବୟସ୍କ ଏବଂ ଦୁଇଟି ସାନ ଇଜିପ୍ସିଆନ୍ ଶାଗୁଣା୤ ମୋର ସୌଭାଗ୍ୟ ଏହି ଶାଗୁଣାମାନଙ୍କ ଛବି ମୁଁ ଅତି ନିକଟରୁ ଉଠେଇ ପାରିଲି୤ ହୁଏତ ଏତେ ନିକଟରୁ ଏହି ଶାଗୁଣାର ଛବି ଆମ ରାଜ୍ୟରେ ଆଉ କେହି ବନ୍ଧୁ ଉଠେଇ ନଥିବେ୤ ସେ ଯା ହେଉ ଆଜି ମୁଁ ଅତ୍ୟନ୍ତ ଖୁଶି ଯେ ମୁଁ ଅନେକ ଦିନରୁ ଦେଖିଥିବା ଏକ ପକ୍ଷୀକୁ ମୋର ଅତି ନିକଟରେ ଦେଖିବାକୁ ପାଇଲି୤ ସେହି ବିରଳ ପକ୍ଷୀର ଅନେକ ଛବି ମୁଁ ନେଇଛି, ସେଥିରୁ କିଛି ଛବି ଏଠାରେ ବନ୍ଧୁମାନଙ୍କ ପାଇଁ ଦେଉଛି୤


ସ୍ଥାନ : ଗୋଳନ୍ଥରା
ସମୟ : ଅପରାହ୍ନ ୧୨:୩୦ - ୧:୩୦
ପ୍ରାଣୀ : ଶାଗୁଣା
ପ୍ରଜାତି : ଇଜିପ୍ସିଆନ୍ ଶାଗୁଣା

















ଡା ଜ୍ୟୋତି ପ୍ରସାଦ ପଟ୍ଟନାୟକ


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤