କାଷ୍ଟିଂ କାଉଚ ବନାମ ନିଖୁଣ ଅଭିନୟ

ଆସନ୍ତୁ ଜାଣିବା କଣ, କାହିଁକି ଓ କେମିତି ହେଉଛି କାଷ୍ଟିଂ କାଉଚ୤

ସିନେମା | 10 ମିନିଟ୍‌ରେ ପଢ଼ନ୍ତୁ | 31 Jul, 2017
ସମୁଦାୟ 3118 ଜଣ ପଢ଼ିଛନ୍ତି

Casting couch full


Casting in Progressଯେତେବେଳେ କୌଣସି ନୂତନ ଚଳଚ୍ଚିତ୍ରର ଯୋଜନା କରାଯାଏ ସେତେବେଳେ ଚଳଚ୍ଚିତ୍ରର କଥା, ଚିତ୍ରନାଟ୍ୟ, ସଂଳାପ, ଗୀତ, ସଂଗୀତ ପରି ମୁଖ୍ୟ ଓ ପାର୍ଶ୍ବ କଳାକାରଙ୍କ କଥା ବି ଚିନ୍ତା କରାଯାଏ୤ ବଲିଉଡ଼ ଓ ହଲିଉଡ଼ରେ ଅନେକ ଚଳଚ୍ଚିତ୍ର ଅଭିନେତା ବା ଅଭିନେତ୍ରୀଙ୍କୁ ଆଖି ଆଗରେ ରଖି ଲେଖାଯିବାର ଉଦାହରଣ ରହିଛି୤ ହେଲେ ଆମ ଓଡ଼ିଆ ସିନେଜଗତରେ ହୁଏତ ଏମିତି କିଛି ହେଉଥିବ ବୋଲି ଆମେ ଚିନ୍ତା କରିପାରୁନାହୁଁ୤ ଅବଶ୍ୟ ବିଗତ ଶତାବ୍ଦୀର ସତୁରୀ ଓ ଅଶି ଦଶକରେ ହୋଇଥିବା କିଛି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଆଖି ଆଗରେ ରଖି ଚରିତ୍ରମାନ ସୃଷ୍ଟି କରାଯାଇଥିବା କଥା ଆମେ ଶୁଣିଛୁ୤ ସିନେମାର ଅଭିନେତା ଚୟନ ପ୍ରକ୍ରିୟାକୁ କୁହାଯାଏ କାଷ୍ଟିଂ, ଏଥିପାଇଁ ବଲିଉଡ଼ ଓ ହଲିଉଡ଼ରେ ବିଭିନ୍ନ ସଂସ୍ଥା ରହିଛନ୍ତି ଯେଉଁମାନେ କାହାଣୀର ଦାବୀ ମୁତାବକ ବିଭିନ୍ନ ଚରିତ୍ର ପାଇଁ କଳାକାର ଯୋଗାଡ଼ କରିଦିଅନ୍ତି୤ କିନ୍ତୁ ଆମ ଓଡ଼ିଶାରେ ହେଉଥିବା ଚଳଚ୍ଚିତ୍ରମାନଙ୍କର ମୁଖ୍ୟ ଅଭିନେତା ଓ ଅଭିନେତ୍ରୀଙ୍କ ଚୟନ ସାଧାରଣତଃ ଚଳଚ୍ଚିତ୍ରର ନିର୍ଦ୍ଦେଶକ ଓ ପ୍ରଯୋଜକମାନେ ହିଁ କରନ୍ତି, ବେଳେ ବେଳେ ଅନ୍ୟ କଳାକାରମାନେ ମଧ୍ୟ ଏଥିରେ ସହାୟତା କରନ୍ତି୤

ସିନେମା ପାଇଁ କାଷ୍ଟିଂ କରାଯାଉଥିବା ସମୟରେ ଭିନ୍ନ ଭିନ୍ନ କଳାକାରଙ୍କ ପରୀକ୍ଷା ନିଆଯାଏ, ଏବଂ ଯୋଗ୍ୟ ବିବେଚିତ କଳାକାରଙ୍କୁ ଚରିତ୍ରଟି ଦିଆଯାଏ୤ ହେଲେ ଏବେ ସେ ସବୁ ଆଉ କରାଯାଉନାହିଁ୤ ଯାହା ଅଭିଯୋଗ ଆସିଛି, ତାହାକୁ ଦେଖିବା ଓ ଶୁଣିବାପରେ ଏକ ଘୃଣ୍ୟ ପରମ୍ପରା ଆମ ଓଲିଉଡ଼ ଇଣ୍ଡଷ୍ଟ୍ରୀରେ ରହିଛି ବୋଲି ଆମେ ଜାଣିବାକୁ ପାଉଛୁ୤ ଅବଶ୍ୟ ଏହାପୂର୍ବରୁ ବଲିଉଡ଼ରେ ଶକ୍ତିକପୂରଙ୍କ ପରି ଅଭିନେତା କାଷ୍ଟିଂ କାଉଚର ଉପସ୍ଥିତିକୁ ସ୍ବୀକାର କରିଛନ୍ତି୤

କାଷ୍ଟିଂ କାଉଚ କଣ ?

ଯଦି ଜଣେ ଅଭିନେତ୍ରୀ କୌଣସି ଏକ ଚଳଚ୍ଚିତ୍ରରେ ଅଂଶଗ୍ରହଣ କରିବାକୁ ଚାହାନ୍ତି, ଯାହା ଦ୍ବାରା ତାଙ୍କ କ୍ୟାରିୟରରେ ଉନ୍ନତି ହେବ, ସେହି କ୍ଷେତ୍ରରେ ଚଳଚ୍ଚିତ୍ରରେ ନିଜର ସ୍ଥାନ ସଂରକ୍ଷିତ କରିବା ପାଇଁ ସବୁ ପ୍ରକାରର ବୁଝାମଣା ବା କମ୍ପ୍ରୋମାଇଜ୍ କରିବାକୁ ରାଜି ହୋଇଯାଆନ୍ତି, ଏଥିରେ ପ୍ରଯୋଜକ / ନିର୍ଦ୍ଦେଶକଙ୍କ ସହ ରାତ୍ରୀଯାପନ ଅନ୍ତର୍ଭୂକ୍ତ୤ ଏହାକୁ କୁହାଯାଏ କାଷ୍ଟିଂ କାଉଚ୤ ବେଳେ ବେଳେ ସହଅଭିନେତାଙ୍କ ସହ ମଧ୍ୟ ରାତ୍ରୀଯାପନ କରିବାକୁ ପଡ଼ିଥାଏ୤ କିଛି ପାଇବାକୁ ହେଲେ କିଛି ତ ହରେଇବାକୁ ପଡ଼ିବ ହିଁ ପଡ଼ିବ୤ ଏହି ନିୟମରେ ସେମାନେ ଏହା ସବୁ କରନ୍ତି୤ କିଛି କ୍ଷେତ୍ରରେ ଏ ସବୁ ପାରସ୍ପରିକ ବୁଝାମଣାରେ ହୁଏ ତ ବେଳେ ବେଳେ ବାଧ୍ୟବାଧକତାରେ କରିବାକୁ ପଡ଼ିଥାଏ୤ ଯେଉଁମାନେ ଏ ସବୁ କରିବାକୁ ରାଜି ହୁଅନ୍ତି ନାହିଁ, ସେମାନେ ଚଳଚ୍ଚିତ୍ରରେ ଅଭିନୟ କରିବାର ସୁଯୋଗ ପାଆନ୍ତି ନାହିଁ୤ ଅବଶ୍ୟ ଏହା ଯେ ସବୁ ଅଭିନେତ୍ରୀ ବା ଅଭିନେତାଙ୍କ କ୍ଷେତ୍ରରେ ହେଉଥିବ ଏହା ଆମେ କହିପାରିବୁ ନାହିଁ୤ କାରଣ ଏହା ସବୁ କାନ ଶୁଣା କଥା୤ ଆମ ଗୁରୁ କହନ୍ତି, ଯେବେ ନ ଦେଖିବୁ ବେନି ନୟନେ ପରତେ ନ ଯିବୁ ଗୁରୁବଚନେ୤ ତେଣୁ ଆମେ କିଛି ଚଳଚ୍ଚିତ୍ର (ଉଦାହରଣ ପାଇଁ ହିନ୍ଦୀ ଚଳଚ୍ଚିତ୍ର ପେଜ୍ ଥ୍ରୀ) କୁ ଦେଖିବା ପରେ ଏମିତି କିଛି ହେଉଥିବ ବୋଲି ଭାବୁଛୁ୤

ଓଡ଼ିଆ ସିନେଜଗତରେ ଏ ସବୁ ହେଉଥିବ ବୋଲି ଚପା ଖବର ଅନେକ ଦିନରୁ ଆମେ ଶୁଣିବାକୁ ପାଉଥିଲୁ, ହେଲେ କେହି ଖୋଲାଖୋଲି ଏହି ବିଷୟରେ କହୁନଥିଲେ, ତେଣୁ ଆମେ ସବୁ ଭାରି ଭଦ୍ର ଓ ଶିଷ୍ଟ ବୋଲି ଧରିନେଇଥିଲୁ୤ ହେଲେ ବିଗତ କେଇଦିନ ଏହି ଚିଟଫଣ୍ଡ ଟଙ୍କାରେ ସିନେମା ନିର୍ମାଣ ହେବା କଥା ପ୍ରକଟ ହେବା ପରଠାରୁ ଗୋଟିଏ ପରେ ଗୋଟିଏ ଏମିତିକା କଥା ଆଗକୁ ଆସିବାରେ ଲାଗିଛି୤ ଜନୈକ ପ୍ରଯୋଜକ ଏହା ମଧ୍ୟ କହିପକାଇଲେ ଯେ ତାଙ୍କ ଚଳଚ୍ଚିତ୍ର ସଂସ୍ଥାରେ ଅଭିନୟ କରିବାକୁ କାଳେ ଅଭିନେତ୍ରୀମାନେ ନିଜ ଆଡ଼ୁ କାଷ୍ଟିଂ କାଉଚର ପ୍ରସ୍ତାବ ଦେଇଥିଲେ୤ ଏହାର ସତ୍ୟତା ଆମେ ତ ଜାଣିନୁ, ହେଲେ ଏହି ଭଦ୍ରବ୍ୟକ୍ତ ଜଣକ ଯଦି ଏହା ହେଉଥିବା କଥା ଜାଣିଥିଲେ ସେ ଏହା ବିରୁଦ୍ଧରେ କୌଣସି ଅଭିଯୋଗ ଆଣି ପାରିଥାନ୍ତେ, ପ୍ରଯୋଜକଙ୍କ ସଂସ୍ଥାରେ ତ ଅନ୍ତତଃ ଏହା ବିଷୟରେ ବିଷଦ ଚର୍ଚ୍ଚା ହୋଇପାରିଥାନ୍ତା ଆଉ ଯେଉଁ ପ୍ରଯୋଜକମାନେ ଏହି ପରି କର୍ମକାଣ୍ଡରେ ଲିପ୍ତ ସେମାନଙ୍କୁ ବେଳଥାଉ ଥାଉ ବାହାର କରି ଦିଆଯାଇ ଥାଆନ୍ତା୤ ଏବେ ନେଡ଼ିଗୁଡ଼ କହୁଣୀକୁ ବୋହି ଗଲା ପରେ ଆଉ ବାହାଷ୍ପୋଟ ମାରି ନିଜର ସଂସ୍ଥାର ଗାରିମା କଥା ବୁଝେଇଲେ କଣ ହେବ୤ ଓଡ଼ିଆରେ କଥାଟିଏ ଅଛି ନା, ବିରାଡ଼ି ଆଖି ବୁଜି ବୁଜି ଦୁଧ ପିଉଛି...


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤