ଭାଇଙ୍କ ମୁହଁରେ ବାଡ଼ ପକେଇବ କିଏ ?

ପ୍ରଥମଥର ନୁହେଁ ଯେ ସଲମାନ ଖାନ କିଛି କହିଛନ୍ତି ଆଉ ତାକୁ ନେଇ ବିବାଦ ହୋଇଛି୤

ସିନେମା | 8 ମିନିଟ୍‌ରେ ପଢ଼ନ୍ତୁ | 02 Aug, 2017
ସମୁଦାୟ 2970 ଜଣ ପଢ଼ିଛନ୍ତି

Salman Khan


ବିଗତ କିଛିଦିନ ତଳେ ବଲିଉଡ଼ର ପ୍ରମୁଖ ଷ୍ଟାର ସଲମାନ ଖାନ ନିଜର ଆଗାମୀ ଚଳଚ୍ଚିତ୍ର ସୁଲତାନର ସୁଟିଂର ଅନୁଭବକୁ ଗଣମାଧ୍ୟମ ଆଗରେ କହୁଥିବା ବେଳେ କଥାଛଳରେ କହିଦେଇଥିଲେ ଯେ ଏହି ଚଳଚ୍ଚିତ୍ର ପାଇଁ ସେ ଏତେ କସରତ ଓ ପରିଶ୍ରମ କରିଛନ୍ତି ଯେ ତାଙ୍କୁ ଜଣେ ଧର୍ଷିତା ପରି ଅନୁଭବ ହେଉଛି୤ ଏହା କହିବା ପରେ ଏହାକୁ ନେଇ ଏକ ନୂତନ ଜଟିଳ ସମସ୍ୟା ସୃଷ୍ଟି ହୋଇଛି୤ ମହିଳା ସଂଗଠନମାନେ ସଲମାନଙ୍କ ଏହି ମନ୍ତବ୍ୟକୁ ଅତ୍ୟନ୍ତ ସମ୍ବେଦନଶୀଳ ଓ ଋଚିହୀନ ବୋଲି ମନ୍ତବ୍ୟ ଦେବା ସହ ତାଙ୍କଠାରୁ କ୍ଷମାଭିକ୍ଷା କରିବାପାଇଁ ସାତ ଦିନ ସମୟ ଦେଇଥିଲେ୤ ଅବଶ୍ୟ ସମୟ ପୂର୍ବରୁ ସଲମାନଙ୍କ ପିତା ସଲିମ ଖାନ ଗଣମାଧ୍ୟମରେ ନିଜ ପୁତ୍ରର ଏତାଦୃଶ ଅଦୂରଦର୍ଶୀ ମନ୍ତବ୍ୟ ପାଇଁ କ୍ଷମାପ୍ରାର୍ଥନା କରିଛନ୍ତି୤
Salim Khan
କଥା ଛଳରେ ଆମେ ଅନେକ କଥା କହିଥାଉ, ସବୁ କଥାକୁ ଭାବିଚିନ୍ତି କହିବାଭଳି କ୍ଷମତା ବହୁତ କମ ଲୋକଙ୍କର ଥାଏ୤ ଟିକେ ମାଡ଼ ହୋଇଗଲେ ଆମେ କହିପକାଉ, ମରିଗଲା ପରି ଲାଗିଲା୤ ଅଥଚ ଆମେ ଜାଣିନୁ ଯେ ମରିଗଲେ କେମିତି ଲାଗେ୤ ବାସ ଏମିତି ଅନେକ କଥା ଅନେକ ଲୋକ କହନ୍ତି୤ ସବୁ କଥା କହିବା ପରେ ତାକୁ ପ୍ରମାଣ କରିବାପାଇଁ କୈଫୟତ ଦେବାକୁ ଆମେ କାହାକୁ ବାଧ୍ୟକରୁନାହୁଁ, କିନ୍ତୁ ଷ୍ଟାର ମାନଙ୍କ କଥା ନିଆରା୤ ସେମାନେ ହେଲେ ସାଧାରଣଙ୍କ ପାଇଁ ଜଣେ ଜଣେ ଆଦର୍ଶ୤ ତେଣୁ ସେମାନଙ୍କ କଥା ଓ କର୍ମ ସର୍ବଦା ଅନ୍ୟମାନଙ୍କ ଦ୍ବାରା ଅନୁକରଣୀୟ ହୋଇଥାଏ୤ ସେହିପରି ସ୍ଥାନରେ ଥିବା ବ୍ୟକ୍ତିମାନେ କଥା କହିବା ବେଳେ ଭାଷା ସଞ୍ଜମତା ରକ୍ଷା କରିବାର ଦାୟିତ୍ବ ସମ୍ପୂର୍ଣ୍ଣଭାବରେ ତାଙ୍କର ନିଜସ୍ବ, ନହେଲେ ସଲମାନଙ୍କ ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିବ ହିଁ ପଡ଼ିବ୤

ସଲମାନଙ୍କ ମନ୍ତବ୍ୟ କୌଣସି ମନ୍ଦ ଉଦ୍ଦେଶ୍ୟ ନେଇ ନ ଥିଲେ ସୁଦ୍ଧା ସେ କହିଥିବା କଥାର ଅନେକ ଦିଗ ରହିଛି୤ ଯେମିତି ଜଣେ ଧର୍ଷିତା କେବଳ ହାଲିଆ ଅନୁଭବ କରେନାହିଁ, ବରଂ ସେ ମାନସିକ ଓ ଶାରିରୀକ ଭାବରେ ମଧ୍ୟ ଦୂର୍ବଳ ହୋଇଯାଏ୤ ପରିଶ୍ରମ କରି ହାଲିଆ ହେଲେ ହୁଏତ ଆପଣ କିଛି ଘଣ୍ଟା, ଦିନ କିମ୍ବା ସପ୍ତାହପରେ ପୁଣି ସତେଜ ଅନୁଭବ କରିବେ, କିନ୍ତୁ ଧର୍ଷିତାମାନେ ଆଜୀବନ ନିଜ ସହ ଏକ ଦୁଃଖଦ ଅନୁଭବ ନେଇ ବଞ୍ଚିବାକୁ ବାଧ୍ୟହେବେ୤ ତେଣୁ ଆପଣଙ୍କ ପରିଶ୍ରମକୁ ଧର୍ଷିତାଙ୍କ ସହ ତୁଳନା କରିବା ଆମ ମତରେ ଏକ ଭୂଲ କଥା୤ ଯଦି ବା ଆପଣ ଅଧିକ କଷ୍ଟ ଅନୁଭବ କରୁଥାନ୍ତି ତଥାପି ତାହା ଜଣେ ଧର୍ଷିତାର ମାନସିକ ସ୍ଥିତି ତୁଳନାରେ କିଛି ନୁହେଁ ବୋଲି ଆମେ କହିପାରୁ୤ ତେଣୁ ଆପଣ ଦେଇଥିବା ମନ୍ତବ୍ୟ ଯେ ଏକ କ୍ଷଣିକ ଭୂଲ ଯୋଗୁଁ ପାଟିରୁ ଖସି ଆସିଥିବା ବକ୍ତବ୍ୟ ତା ଛଡ଼ା ଆଉ କିଛି ନୁହେଁ, ତାହା ଆମେ ଜାଣିପାରୁଛୁ୤ କିନ୍ତୁ ଏହିପରି ଏକ ମନ୍ତବ୍ୟ ଗଣମାଧ୍ୟମ ସମ୍ମୁଖରେ ଦେବାପରେ ଏହାକୁ ନେଇ ଉଠିଥିବା ଅବସ୍ଥା ପାଇଁ କେବଳ ଆପଣ ହିଁ ଦାୟୀ, ତେଣୁ ଏହି ମାମଲାରେ ଆପଣ ନିଜେ ଯଦି କ୍ଷମା ପ୍ରାର୍ଥନା କରିଥାନ୍ତେ ହୁଏତ ତାହା ସର୍ବାଦୌ ଉଚିତ ପଦକ୍ଷେପ ହୋଇଥାନ୍ତା୤

ସଲମାନଙ୍କ କ୍ଷେତ୍ରରେ ଏମିତି ଘଟଣାର କୌଣସି ନୂତନତ୍ବ ନାହିଁ୤ ବିଗତ କେଇ ମାସତଳେ ଟାଇଗର ମେମନର ଭାଇଙ୍କୁ ଫାଶୀଦଣ୍ଡ ଦିଆଯିବା ପୂର୍ବରୁ ମଧ୍ୟ ସଲମାନ ଖାନ ଟ୍ବିଟରରେ ଏମିତି କିଛି ଦାୟିତ୍ବହୀନ ମନ୍ତବ୍ୟ ଦେଇଥିଲେ ଯାହା ପାଇଁ ତାଙ୍କ ଘର ସମ୍ମୁଖରେ ବିଭିନ୍ନ ରାଜନୈତିକ ସଂଗଠନର କର୍ମକର୍ତ୍ତାମାନେ ଆନ୍ଦୋଳନ ଓ ଧାରଣା ଦେଇଥିଲେ ଏବଂ ସେତେବେଳେ ମଧ୍ୟ ତାଙ୍କ ପିତା ତାଙ୍କ ପାଇଁ କ୍ଷମାପ୍ରାର୍ଥନା କରିଥିଲେ୤ ନିଜ ସନ୍ତାନର ଭୂଲପାଇଁ ପିତା କ୍ଷମାମାଗିବା ଦ୍ବାରା ସେ ନିଜର ସହୃଦୟତା ଦର୍ଶାଉଛନ୍ତି ସତ, ହେଲେ ଆମେ ସେହି ସମ୍ମାନସ୍ପଦ ସ୍ଥାନରେ ସଲମାନଙ୍କୁ ଦେଖିବାକୁ ଚାହୁଁ୤


ଏହି ଲେଖାରେ ଲେଖକ ନିଜସ୍ବ ବିଚାର ବ୍ୟକ୍ତ କରିଛନ୍ତି | ଏହା ଜରୂରୀ ନୁହେଁ ଯେ ଆମ ୱେବସାଇଟ୍ ଏବଂ ସମ୍ପାଦକ ଏହି ଲେଖା ସହ ଶତପ୍ରତିଶତ ସହମତି ପ୍ରକାଶ କରନ୍ତି | ଏହି ଲେଖା ସମ୍ବନ୍ଧିତ ସମସ୍ତ ଅଭିଯୋଗ ପାଇଁ କେବଳ ଲେଖକ ହିଁ ଉତ୍ତରଦାୟୀ ଅଟନ୍ତି |





Back to Previous Page


ଆମେ ଆପଣଙ୍କୁ ଆବଶ୍ୟକ କରୁଛୁ

ସାଂପ୍ରତିକ ସମୟରେ ଆପଣ ସମାଜ, ସଂସ୍କୃତି, ରାଜନୀତି, କ୍ରୀଡ଼ା, ସାହିତ୍ୟ ଇତ୍ୟାଦି ବିଷୟ ଉପରେ ପ୍ରବନ୍ଧ ଲେଖୁଛନ୍ତି କି ?
ଯଦି ହଁ, ତେବେ ଆମ ସହ ଯୋଗ ଦିଅନ୍ତୁ ୤ ଆପଣଙ୍କ ଲିଖିତ ପ୍ରବନ୍ଧ ଆମ ୱେବ୍‌ସାଇଟରେ ପ୍ରକାଶିତ କରନ୍ତୁ୤
ଓଡ଼ିଆଗୁରୁ.କମ୍ ସାଇଟ୍‌ରେ ସହସମ୍ପାଦକ ହୁଅନ୍ତୁ ୤

ଇଚ୍ଛୁକ ବନ୍ଧୁମାନେ ଆମ ସହ ଦୂରଭାଷ ୭୦୦୮୫୬୭୦୮୫ ରେ ଯୋଗାଯୋଗ କରିପାରିବେ୤
ଇମେଲ୍ ଦ୍ବାରା ଯୋଗାଯୋଗ କରିବାପାଇଁ aahwaan@gmail.com ରେ ସମ୍ପର୍କ କରନ୍ତୁ୤